ଅଳ୍ପ ଗଳ୍ପ ପୁରାଣ ପ୍ରସଙ୍ଗରୁ: ଅନ୍ଧ ବ୍ରାହ୍ମଣକୁ ଦେଲ ଦିବ୍ୟଚକ୍ଷୁ…

ଦିନେ ନନ୍ଦରାଣୀ ମାଆ ଯଶୋଦା ସକାଳୁ ସକାଳୁ ଉଠି ଦଧି ମନ୍ଥନରେ ଲାଗି ଯାଇଥାନ୍ତି l ନନ୍ଦରାଜା ଗାଇ ଗୋଠକୁ ଚାଲି ଯାଇଥାନ୍ତି l ଯଶୋଦା ମନେ ମନେ ଭାବୁ ଥାନ୍ତି, ବଳରାମ ଉଠି ପଡ଼ିଲାଣି l ଦୁଷ୍ଟ କହ୍ନେଇଟା ଉଠି ପଡ଼ିଲେ ଆଉ କିଛି କାମ କରାଇ ଦବନାହିଁ l ତା ଉଠିବା ଆଗରୁ ଦଧିମନ୍ଥନ କାମଟା ସରିଗଲେ ଯାଏ l ଏହି ସମୟରେ ଶ୍ରୀଦାମ, ସୁବଳ ମଧୁମଙ୍ଗଳ ଆଦି ଗୋପ ବାଳକ ମାନେ ଆସି ଡାକ ଛାଡ଼ିଲେ, ଆରେ କହ୍ନେଇ ! କୁଆଡେ଼ ଗଲୁ l ବେଳ ହୋଇଗଲାଣି ପରା ଆଜି ଖେଳିବାକୁ ଯିବୁ ନାହିଁନା କଅଣ l ବ୍ରଜ ବାଳକଙ୍କ ଡାକ ଶୁଣି, କାହ୍ନା ଧଡପଡ଼ ହୋଇ ଉଠିପଡ଼ି ମାଆଙ୍କ ପାଖରେ ପହଞ୍ଚି କହିଲେ, ମାଆ ! ସଖାମାନେ ଆସିଗଲେଣି l ଆମେ ସମସ୍ତେ ଖେଳିବାକୁ ଯିବୁ, ଆଜି ଆମର କେତେ ସବୁ ଖେଳ ଅଛି l ତୁ ସବୁକାମ ଛାଡ଼ି ଆମ ଦୁଇଭାଇଙ୍କୁ ଟିକିଏ ସଜ କରି ଦେ, ଆମେ ବାହାରି ଯାଉ l

Omkar Vasthu
Omkar Vasthu

ଯଶୋଦା କହିଲେ, ହଉହଉ ! ତୁ ଟିକେ ବଳରାମ ଭାଇ ସହ ଖେଳୁ ଥା l ମୁଁ ଏ ଦହି ମୁହାଁ କାମ ସାରି ଦିଏ ତୋତେ ସଜକରିଦେବି l କିନ୍ତୁ ନଛୋଡ଼ ବନ୍ଧା କାହ୍ନା ଯାଇ, ମାଆଙ୍କ ବେକରେ ଝୁଲି ପଡ଼ି କହିଲା, ନାଁ ନାଁ ସେକଥା ହେବନାହିଁ l ତୁ ଆଗ ଆମକୁ ସଜ କରିଦେ l ପିଲାଟା ଜିଦ୍ କରୁଛି, ମାଆ ଆଉ କଅଣ କରିବେ, କୋଳରେ ବସାଇ ଦୁହିଁଙ୍କୁ ଟିକିଏ ଲବଣୀ ସର ଖୁଆଇ ଦେଲେ l ରୋହିଣୀ ବଳରାମଙ୍କୁ ନୀଳ ପାଟ ପିନ୍ଧାଇ, ତାଙ୍କ ହାତରେ ସୁନା ଲଙ୍ଗଳ ଧରାଇ ଦେଲେ l ଯଶୋଦା କୃଷ୍ଣଙ୍କୁ ପୀତାମ୍ବରୀପାଟ ଖଣ୍ଡେ ପିନ୍ଧାଇ ହାତରେ ରୂପା ବଇଁଶୀଟି ଧରେଇ ଦେଲେ l ଗୋପଦାଣ୍ଡରେ ଦୁଇଭାଇ ସଖାମାନଙ୍କ ସହ ଡେଇଁ ଡେଇଁ ଚାଲିଲେ ଯମୁନା କୁଳକୁ l

Pearl dental clinic
Near Ashish Medical Store, Bhawanipatna

ସଖାମାନଙ୍କ ଗହଣରେ ଆରମ୍ଭ ହୋଇଗଲା ଯମୁନା ବାଲିରେ, ନାନା ଖେଳ କୌତୁକ l ସାଙ୍ଗରେ ଖେଳୁ ଥାନ୍ତି ଜଣେ ବ୍ରାହ୍ମଣବାଳକ l ପିଲାମାନଙ୍କ ପାଖରେ ବସିଥାନ୍ତି ତା’ ଅନ୍ଧ ପିତା l ସିଏ ତ କିଛି ଦେଖୁପାରୁ ନ ଥାନ୍ତି ଯାହା କିଛି ପିଲା ମାନଙ୍କ କୋଳାହଳ ଶୁଣି ଖୁସି ହେଉଥାନ୍ତି l ଖେଳ ଚାଲିଥାଏ ହଠାତ୍ ବ୍ରାହ୍ମଣ ପିଲାଟି କାନ୍ଦି ଉଠିଲା l ବୁଝୁ ବୁଝୁ ଜଣାପଡ଼ିଲା ଯେ କୃଷ୍ଣ ତା ବାଲିଘର ଭାଙ୍ଗି ଦେଇଛନ୍ତି l ପିଲାଟି କାନ୍ଦି କାନ୍ଦି ଆସି ପିତାଙ୍କୁ କହିବାରୁ ବ୍ରାହ୍ମଣ କୃଷ୍ଣଙ୍କୁ ଗାଳି କରି କହିଲେ, ନନ୍ଦରାଜା ବୃଦ୍ଧ ବୟସରେ ପୁଅଟିଏ ଜନ୍ମ କରି ନାହାଁନ୍ତି ତ ବିଛୁଆତି ଟିଏ l
ବ୍ରାହ୍ମଣର ଗାଳି ଶୁଣି କୃଷ୍ଣ କହିଲେ, ମଉସା ! ତୁମ ପୁଅ ଯେପରି ମିଛୁଆ ତୁମେ ମଧ୍ୟ ସେପରି ମିଛୁଆ l ତୁମେ ବୃଥାରେ, ମୋତେ ଏବଂ ମୋ ପିତାଙ୍କୁ ଗାଳି କରୁଛ l ତୁମେ ଭଲକି ଦେଖ,ମୁଁ ତୁମ ପୁଅର ବାଲି ଘର ଭାଙ୍ଗି ନାହିଁ l ଏହା ଶୁଣି ବ୍ରାହ୍ମଣ ଆହୁରି ରାଗି ଯାଇ କହିଲେ, ଆରେ ଏ ଗଉଡ଼ ଟୋକା ! ମୋତେ ତୁ ଥଟ୍ଟାକରୁଛୁ l ତୁ ଜାଣିଛୁ, ମୁଁ ଅନ୍ଧ l ତୁ ଜାଣିଶୁଣି ମୋତେ କହୁଛୁ ଭଲକରି ଦେଖ ବୋଲି l

Udyog Nursery
Udyogi Nursery

ଶ୍ରୀକୃଷ୍ଣ କହିଲେ ହଉ ବାବା, ଦେଖ l ଏହା କହିବା ସହ ଧିରେ ଅନ୍ଧବ୍ରାହ୍ମଣଙ୍କ ଚକ୍ଷୁ ଫିଟିବାକୁ ଲାଗିଲା l ଉନ୍ମିମିଳିତ ଚକ୍ଷୁରେ ବ୍ରାହ୍ମଣ ଦେଖିଲେ, ସମ୍ମୁଖରେ ତାଙ୍କର ଠିଆ ହୋଇଛନ୍ତି, ସେହି ଅପୂର୍ବ ମନୋହର ମୂର୍ତ୍ତୀ l ପ୍ରଭୁଙ୍କ ପାଦତଳେ ପଡ଼ି, ବ୍ରାହ୍ମଣ କହିଲେ, ହେ ପ୍ରଭୁ ! ଏତେ କାଳେ ମୋର ପ୍ରାର୍ଥନା ଶୁଣିଲେ ଆପଣ l ମୁଁ ଯେଉଁ ରୂପକୁ ମୋ ଅନ୍ଧାର ଦୁନିଆରେ ନିତ୍ୟ ଧ୍ୟାନ କରୁଥିଲି, ଆଜି ଆପଣ ମୋତେ ସେହି ରୂପରେ ଦର୍ଶନ ଦେଇ କୃତାର୍ଥ କଲେ l ଧନ୍ୟ ପ୍ରଭୁ ଆପଣଙ୍କ ଲୀଳା l ଧନ୍ୟ ଲୀଳାମୟ ପ୍ରଭୁ ଆପଣ l ମୋତେ ଏହି ଆଶୀର୍ବାଦ କରନ୍ତୁ ଯୁଗେ ଯୁଗେ ମୋ ଅଚଳା ଭକ୍ତି, ଆପଣଙ୍କ ପଦ ଯୁଗ୍ମରେ ଥାଉ l କୃଷ୍ଣ ବ୍ରାହ୍ମଣଙ୍କୁ “ତଥାସ୍ତୁ” କହି ଭାଇ ବଳରାମ ଓ ସଖା ମାନଙ୍କ ସହ ଘରକୁ ବାହୁଡ଼ିଲେ l

ଭକ୍ତ ବତ୍ସଳ ଲୀଳାମୟ ଭଗବାନଙ୍କ ଏହି ଲୀଳାକୁ କୀର୍ତ୍ତନ କରି ଭକ୍ତମାନେ ଗାଇଥାନ୍ତି:-
ଅନ୍ଧ ବ୍ରାହ୍ମଣଙ୍କୁ ଦେଲ ଦିବ୍ୟଚକ୍ଷୁ
ଯାମଳାଭଞ୍ଜନ ହରି l
ଜୟ ଆଦିକନ୍ଦ ଶ୍ରୀକୃଷ୍ଣ ଗୋବିନ୍ଦ
ଜୟ ମାଧବ ମୁରାରୀ ll

ଅର୍ଜୁନୀ ଚରଣ ବେହେରା
ମୋ: 7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.