ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ଏନଏସିର ୧ ନଂ ୱାର୍ଡ କନକା ଓ ହରିଜନ ସାହିରେ ଲାଗି ରହିଥିବା ପାନୀୟଜଳ ସମସ୍ୟା ଦୂର ହୋଇଛି। ଏଥିପାଇଁ ବିଭାଗୀୟ କନିଷ୍ଠଯନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାହି ବାସିନ୍ଦା। ଏଠାରେ ପ୍ରକାଶଯୋଗ୍ୟ ଯେ, ପାନୀୟଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଯିବା କାରଣରୁ ୧୨ ଦିନ ଧରି କନକା ସାହି ବାସିନ୍ଦା ଜଳ କଷ୍ଟ ଭୋଗି ଆସୁଥିଲେ। ପ୍ରଚଣ୍ତ ରୌଦ୍ର ତାପ ସହ ଠିକ୍ ଭାବରେ ପାନୀୟଜଳ ମିଳୁ ନଥିବାରୁ ସାହି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ସେମାନେ ବିଭାଗୀୟ କର୍ତ୍ତୃପକ୍ଷ ହିମାଂଶୁ କୁମାର ପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଲୋକଙ୍କ ସମସ୍ୟା ଶୁଣିବା ସହ ମୋଟରର ଅସୁବିଧା କାରଣରୁ ପାଣି ସ୍ଲୋରେ ଆସୁଥିବା କହିଥିଲେ ଶ୍ରୀ ପାତ୍ର। ଆସନ୍ତା ୭ ଦିନ ମଧ୍ୟରେ ଏହାର ସମାଧାନ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ। ତେବେ ସାତ ଦିନ ମଧ୍ୟରେ ଜେ.ଇ. ତାଙ୍କ କଥା ରଖି ଏକ ଉଚ୍ଚ କ୍ଷମତା ସମ୍ପନ୍ନ ମୋଟର ଲଗାଇ ଲୋକଙ୍କ ପାଣି ସମସ୍ୟାକୁ ଦୂର କରିଛନ୍ତି। ଜେ.ଇ. ତାଙ୍କ କଥା ରଖି ପାନୀୟଜଳ ସମସ୍ୟା ଦୂର କରି ଦେଇଥିବାରୁ ସାହି ବାସିନ୍ଦାମାନେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।