ବୁଢିପଦର ହାଟରେ ପରିବା ଦର ଆକାଶଛୁଆଁ: ଲୋକେ ଛାନିଆଁ

ରୋଷେଇ ଘର ଉପରେ ପାହାର ପକାଉଛି ଦର ବୃଦ୍ଧି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୨୦୨୪ ନିର୍ବାଚନରେ ବିଜେପିକୁ ଅଦ୍ଭୁତପୂର୍ବ ସଫଳତା ମିଳିଛି। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ଗଠିତ ହୋଇଛି ସରକାର। ରାଜ୍ୟରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଗଠିତ ହୋଇଥିବାରୁ ସାଧାରଣ ଜନତା ଖୁସି ବ୍ୟକ୍ତ କରିଛନ୍ତି। ତେବେ ସରକାର ଗଠନ ପରେ ପରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ଲୋକଙ୍କ ଦୈନନ୍ଦିନ ଜୀବନ ଯାତ୍ରା ଉପରେ ପ୍ରଭାବ ପକାଇଛି। ଗତ କିଛିଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ପରିବା ଦର। ଅସାଧୁ ବ୍ୟବସାୟୀ ପରିବା ଓ ଅନ୍ୟାନ୍ୟ ସାମଗ୍ରୀ ବିକି ମାଲାମାଲ ହେଇଥିବାବେଳେ କାନ୍ଦୁଛନ୍ତି ଗରିବ ଓ ନିମ୍ନ ମଧ୍ୟବିତ୍ତ ଲୋକ। ପରିବା ବଜାର ଭିତରକୁ ପସିବାକୁ ଡର ହୋଇଗଲାଣି। ଟଙ୍କା ୫୦୦ରେ ବି ପୁରୁନି ମୁଣା। ଏହା ସାରା ଓଡିଶାର ଚିତ୍ର ହୋଇଥିବାବେଳେ କଳାହାଣ୍ଡିରେ ବି ସମାନ ଅବସ୍ଥା। କୌଣସି ପନିପରିବା ଦର ଏବେ କିଲୋ ପିଛା ୫୦ ଟଙ୍କା ତଳକୁ ନାହିଁ। ଗୋଟିଏ ଗୋଟିଏ ପରିବା ୧୦୦ ଛୁଇଁଲାଣି। ଅଦା, ରସୁଣ ଦର ନ କହିଲେ ଭଲ। ଏପରି ସ୍ଥିତି ଗୃହିଣୀମାନଙ୍କୁ ବେଶ ବାଧିଛି। ସେମାନେ ଏବେ ମୁଣ୍ଡରେ ହାତ ଦେଇ ବସିଲେଣି। ବଜାରରେ ଯଦି ପରିବା ଦର ଏତେ ତେବେ ପରିବାର ଲୋକେ କ’ଣ ଖାଇବେ। ଗୃହିଣୀମାନେ ଏବେ ଦୋଛକିରେ ପହଞ୍ଚିଛନ୍ତି। ଏହିଭଳି ପରିସ୍ଥିତି ସେମାନଙ୍କୁ ଏକ ସଙ୍ଗୀନ ମାନସିକତାରେ ପକାଇଛି ବୋଲି ଅନେକ ଗୃହିଣୀ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ତଥା ନର୍ଲାର ବିଭିନ୍ନ ହାଟ ତଥା ପସରା ମାନଙ୍କରେ ପରିବା ଦର ଆକାଶଛୁଆଁ ରହିଛି। ଆଜି ଶନିବାର ବୁଢିପଦର ଭାଲୁଡୁଙ୍ଗରି ସାପ୍ତାହିକ ହାଟରେ ଟୋମାଟୋ ୬୦, ଝୁଡଙ୍ଗ ୮୦, ପୋଟଳ ୮୦, ବନ୍ଧାକୋବି ୬୦, ଫୁଲକୋବି ୮୦, ଅଦା ୨୦୦, ଗାଜର ୬୦, କ୍ୟାପସିକମ ୧୦୦, କଖାରୁ ୪୦, ଭେଣ୍ଡି ୪୦, ସାରୁ ୬୦, କଞ୍ଚା କଦଳୀ ୪୦, ବାଇଗଣ ୪୦, ଆଳୁ ୩୫-୪୦, ପିଆଜ ୩୫-୪୦, କଲରା ୬୦, କାକୁଡ଼ି ୪୦, ବିରି ଡାଲି ୧୩୦, ଚଣା ଡାଲି ୧୨୦, ତେନ୍ତୁଳି ୬୦ କିଲୋପ୍ରତି ଦରରେ ବିକ୍ରୀ ହୋଇଛି। ସାଗ, ଲାଉ, କଞ୍ଚା ମରିଚ, ଲେମ୍ବୁ ସହ ଛେଳି ମେଣ୍ଢା, ଦେଶୀ ମାଛ ଓ କୁକୁଡ଼ା ଆଦିର ଆଦିର ଦର ମଧ୍ୟ ଚଢ଼ା ରହିଥିଲା। ବ୍ୟବସାୟୀମାନେ କହିଛନ୍ତି, ଆମେ ଯେମିତି ଚଢା ଦର ଦେଇ କିଣୁଛୁ ସେହି ଦରରୁ କିଲୋ ପିଛା କିଛି ଲାଭ ରଖି ବିକ୍ରି କରୁଛୁ। ଖରା ପାଇଁ ଦର ବଢ଼ିଛି। ଏବେ କିନ୍ତୁ ବିକ୍ରି ପୂର୍ବ ଭଳି ହେଉ ନାହିଁ। ତେଣୁ ଆମର ଲାଭ ପରିମାଣ ମଧ୍ୟ ଆଶାତୀତ ହେଉ ନାହିଁ। ଏପଟେ ପରିବା ଦର ରୋଷେଇ ଘର ଉପରେ ପାହାର ପକାଉଥିଲେ ବି ଜିଲ୍ଲା ପ୍ରଶାସନ ଏପରିକି ଯୋଗାଣ ବିଭାଗ ନିରବଦ୍ରଷ୍ଟା ସାଜିଛି ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି। ଗ୍ରାହକମାନଙ୍କ କହିବା କଥା ହେଲା ପ୍ରଶାସନ ଚାହିଁଲେ ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ। ହେଲେ ପ୍ରଶାସନ ନିରବ ରହୁଥିବାରୁ ଖାଉଟିମାନେ ହନ୍ତସନ୍ତ ହେଉଛନ୍ତି ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.