ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ହେଉଛି ଶେଷ ରଜ। ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ। କଳାହାଣ୍ଡି ଜିଲ୍ଲାର ଗାଁଠୁ ସହର ସବୁଠି ଚାଲିଛି ରଜ ମଉଜ। କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ। ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ। ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା। ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର। ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି। ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ ବିଭିନ୍ନ ଖେଳ ପ୍ରତିଯୋଗତା। ରଜ ଏକ କୃଷି ଭିତ୍ତିକ ପର୍ବ ସମସ୍ତ କୃଷିକ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି। ଏହି ପର୍ବକୁ ମାଟି ଓ ମୌସୁମୀର ମିଳନ ପର୍ବ ବୋଲି କୁହାଯାଏ। କାରଣ ଏହି ଦିନଠାରୁ ମୌସୁମୀ ଆସିଥାଏ। ବର୍ଷାର ପହିଲି ବୁନ୍ଦାରେ ଭିଜିଥାନ୍ତି ପୃଥିବୀ ମାତା। ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି। ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ। ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ। ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ। ମାଟି ମା’ ହୁଏ ରଜସ୍ୱଳା। ମାଟି ମା’ ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ। ମା’ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା’କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ। ଚଳଚଞ୍ଚଳ ଗାଁରୁ ସହର । ବିଶେଷ କରି ଗ୍ରାମାଞ୍ଚଳରେ ଏହି ପର୍ବ ଅଧିକ ଉତ୍ସାହର ସହ ପାଳନ ହୋଇଥାଏ। କୁଆଁରୀ ଝିଅ ଠାରୁ ନବ ବିବାହିତା ଝିଅମାନେ ବି ଏହି ପର୍ବ ପାଳନ ନେଇ ନିଜର ଶାଶୂ ଘରୁ ନିଜ ଘରକୁ ଆସିଥାନ୍ତି। ମଉଜମଜଲିସ କରି ପୁଣି ସମସ୍ତେ ନିଜ ନିଜ ସ୍ଥାନକୁ ଫେରିଯାଆନ୍ତି। ଏହି ପର୍ବରେ ପ୍ରତିଟି ଓଡିଆ ଜଡିତ। ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ ଖାଇଥାନ୍ତି। ତେବେ ଆଜି ଶେଷ ରଜ ଏବଂ ବସୁମତୀ ସ୍ନାନ। ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ। ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ।