ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶା ସାହିତ୍ୟ ଏକାଡେମୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ପ୍ରବନ୍ଧ, ବକୃତା, କବିତା ଆବୃତ୍ତି, ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଇଂରାଜୀରୁ ଓଡ଼ିଆ ଅନୁବାଦ ପ୍ରତିଯୋଗିତା ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗରେ ଆୟୋଜିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନଙ୍କ ତତ୍ୱାବଧାନରେ ଜିଲ୍ଲା ସଂସ୍କୃତି ଭବନ ଜିଲ୍ଲା ଗ୍ରନ୍ଥାଗାର ଠାରେ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଅନୁଷ୍ଠିତ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଉଭୟ ବରିଷ୍ଠ ଓ କନିଷ୍ଠ ବର୍ଗର ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ଛାତ୍ରୀ ବରିଷ୍ଠ ବର୍ଗ ନିମନ୍ତେ ତା ୧୩/୦୭/୨୪ ଓ କନିଷ୍ଠ ବର୍ଗ ନିମନ୍ତେ ତା ୧୪/୦୭/୨୪ ସକାଳ ୧୦ ଟା ସମୟରେ ଉତ୍କଳ ସଂଗୀତ ମହାବିଦ୍ୟାଳୟ ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ତା ୩/୦୭/୨୪ ଦିନ ବ୍ଲକ ସ୍ତରରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶ୍ରେଷ୍ଠ ହୋଇଥିବା ଛାତ୍ର ଛାତ୍ରୀ ଆଜି ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।