ଟିଟିଲାଗଡ଼ ବିଧାୟକଙ୍କ ଡେଙ୍ଗୁ ପ୍ରପିଡିତ ଅଞ୍ଚଳ ପରିଦର୍ଶନ: ଲୋକଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶୃତି

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ଶନିବାର ଟିଟିଲାଗଡ଼ ବିଧାୟକ ନବୀନ କୁମାର ଜୈନ ସଇଁତଲା ସହରକୁ ପରିଦର୍ଶନ କରିଛନ୍ତି। ଗତ ସପ୍ତାହେ ହେଲାଣି ଡେଙ୍ଗୁ ରୋଗୀ ଚିହ୍ନଟ ସଂଖ୍ୟା ୨୫ ରୁ ବୃଦ୍ଧିକୁ ପାଇଥିବା ବେଳେ ଲୋକେ ଭୟଭୀତ ଅଛନ୍ତି। ଖବର ପାଇଁ ବିଧାୟକ ଶ୍ରୀ ଜୈନ ଅପରାହ୍ନ ୧ ଘଣ୍ଟା ସମୟରେ ସଇଁତଲା ସହରର ଗୋପବନ୍ଧୁ ପଡାକୁ ପହଞ୍ଚିଥିଲେ। ସେ ଘର ଘର ବୁଲି ଡେଙ୍ଗୁରେ ପୀଡିତା ପରିବାର ସହିତ ଆଲୋଚନା କରିଥିଲେ। ଏହାପରେ ପଡାର ମହିଳା ଓ ପୁରୁଷମାନେ ବିଧାୟକଙ୍କୁ ପଡାର ବିଭିନ୍ନ ଗଳିକନ୍ଦି ବୁଲାଇ ପରିମଳ ବ୍ୟବସ୍ଥା ଭୁଶୁଡି ପଡ଼ିଥିବା ଦେଖାଇଥିଲେ। ଏପରିକି ମହିଳାମାନେ ଆବାସ ଯୋଜନାରୁ ଆରମ୍ଭ କରି ବିଦ୍ୟୁତ ସମସ୍ୟା ସହରର ବିଭିନ୍ନ ପଡାର ରାସ୍ତା ଘାଟ, ଡ୍ରେନ ଅବସ୍ଥା ଶୋଚନୀୟ ହୋଇପଡିଛି ବୋଲି ବିଧାୟକଙ୍କୁ ଅଭିଯୋଗ କରିଥିଲେ। ଏହା ସହିତ ଗତ କିଛି ଦିନ ତଳେ ପଡାର ଜୈନିକ ଯୁବକଙ୍କ ଅକାଳ ବିୟୋଗରେ ଘଟିଥିବା ବେଳେ ତାଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ। ମୃତ ଯୁବକଙ୍କ ପତ୍ନୀ ପାଇଁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବା ସେ ପାଇଁ ବିଡ଼ିଓଙ୍କୁ ନିର୍ଦେଶ ଦେଇଥିଲେ। ପରେ ଲୋକମାନଙ୍କ ଅଭିଯୋଗକୁ ଆଧାର କରି ସହରର ଡ୍ରେନଗୁଡ଼ିକୁ ସଫା ସୁତୁରା ରଖିବା ସହିତ ଫାଟି ଥିବା ପାଣି ପାଇପ ତୁରନ୍ତ ମରାମତି କରିବା ପାଇଁ ବିଡ଼ିଓଙ୍କୁ କହିଥିଲେ।

ଏହି ସମୟରେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରୋହନ ଖେତ୍ରୀ, ବିଡ଼ିଓ ବିନୟ ଭୋଇ, ତହସିଲଦାର ଆଶିଷ ଏକ୍କା, ଆଇଆଇସି ସୁଶାନ୍ତ ପ୍ରଧାନ, ମେଡିକାଲ ଅଫିସର ସମରେନ୍ଦ୍ର ମହାପାତ୍ର, ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରୁଦ୍ରାକ୍ଷ ଥପା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ପିଏଚଓ ମିନା କୁମାରୀ ତ୍ରିପାଠୀ, ଜିପିଇଓ ସୁଷମା ନାଏକ, ଆଇସିଡିଏସ ସୁପରଭାଇଜର ଜ୍ଞାନନ୍ଦା ମହାନନ୍ଦ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ। ପରେ ବିଧାୟକ ଶ୍ରୀ ଜୈନ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ଅଭିମୁଖେ ଯାଇ ଡେଙ୍ଗୁ ରୋଗରେ ପୀଡିତ ଥିବା ୨୧ ଜଣ ରୋଗୀମାନେ ଚିକିତ୍ସିତ ହେଉଥିବା ୱର୍ଡକୁ ଯାଇ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝି ତାଙ୍କ ମଙ୍ଗଳକାମନା କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.