ପୌର ପ୍ରଶାସନ ପକ୍ଷରୁ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସୋନପୁର ପୌର ପରିଷଦ ପକ୍ଷରୁ ସହରର ମୁଖ୍ୟ ରାସ୍ତାରେ ଡ୍ରେନ ଉପରୁ ଜବରଦଖଲ ଉଚ୍ଛେଦ ଆରମ୍ଭ କରାଯାଇଛି। ନାଳ ଉପରେ ବେଆଇନ ଭାବେ ନିର୍ମାଣ ହୋଇଥ‌ିବା ଘର ଓ ଦୋକାନ ପାଇଁ ପ୍ରତି ବର୍ଷ ନାଳ ସଫା କରିବା ପୌର ପ୍ରଶାସନ ପାଇଁ ମୁଖ୍ୟ ସମସ୍ୟା ହୋଇଥିଲା। କେତେକ ଦୋକାନୀ ୟୁଜର ଫିଜ୍ ଦେଦେଉ ନ ଥିବାରୁ ସେହି ସ୍ଥାନରେ ୟୁଜର୍ ଫିଜ ବାବଦରେ ୧୦୦୦ ଟଙ୍କା ଲେଖାଏଁ ରସିଦ କାଟି ସଂଗ୍ରହ କରୁଥିବା ଦେଖ‌ିବାକୁ ମିଳିଥିଲା। କେତେକ ଦୋକାନୀଙ୍କ ଟ୍ରେଡ ଲାଇସେନ୍ସ ନ ଥୂବା, ପ୍ରତି ମାସ ୟୁଜର୍ ଫିଜ୍ ନ ଦେବା, ନାଳ ଉପରେ ସଫା କରିବା ଅସୁବିଧା ସତ୍ତ୍ବେ ଦୋକାନୀ ମାଲିକଙ୍କ ଖାମଖିଆଲି ମନୋଭାବ ଯୋଗୁଁ ପୌର ପ୍ରଶାସନ ଏହି ପଦକ୍ଷେପ ନେଇଥିବା ପୌର ଅଧିକାରୀ ପ୍ରକାଶ କରିଛନ୍ତି। ନିର୍ବାହୀ ଅଧିକାରୀ ମନରଞ୍ଜନ ପଣ୍ଡା, ଏମଇ ଯଯାତି ପ୍ରଧାନ, ଜେଇ କାହ୍ନୁ ସ୍ବାଇଁ, ତରୁଣ ମୁର୍ମୁ, କୁମାର୍ ମଙ୍ଗଲମ୍ , ସାନିଟେସନ ଏକ୍ସପର୍ଟ ଅଜୟ ସ୍ବାଇଁ ଓ ଏମ୍ଆଇଏସସିପି ରବି ନାରାୟଣ ଟଣ୍ଡକରଙ୍କ ଉପସ୍ଥିତିରେ ଏବଂ ସୋନପୁର ଥାନା ଅଧିକାରୀ ରମେଶ ମାହାଣା ଏସଆଇ ଦେବାଶିଷ ସାହୁ, ସୁଶୀଲ ବିଶିଙ୍କ ସହଯୋଗରେ ଶାନ୍ତିଶୃଙ୍ଖଳା ର ସହିତ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଥିଲା। ଆଗକୁ ରଥଯାତ୍ରାରେ ମହାପ୍ରଭୁଙ୍କ ତିନୋଟି ରଥ ସହରର ଏହି ମୁଖ୍ୟ ରାସ୍ତା ଦେଇ ଯାଉଥିବାରୁ ରାସ୍ତା ପ୍ରଶସ୍ତିକରଣ ଦିଗରେ ପୌର ଅଧିକାରୀ ଧ୍ୟାନ ଦେଇଥିବାରୁ ବୁଦ୍ଧିଜୀବି ମହଲରେ ପ୍ରଶଂସା କରିଛନ୍ତି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜବରଦଖଲ ହଟାଇବାକୁ ପୌର ପରିଷଦ ପକ୍ଷରୁ ଜନସଧାରଣଙ୍କୁ ପୂର୍ବରୁ ବାରମ୍ବାର ସୂଚନା ଦିଆ ଯାଇଥିଲା ବେଳେ ଆଜି ଉଚ୍ଛେଦ କାର୍ଯ୍ୟ ଚାଲୁ ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.