ଘୋଷଯାତ୍ରାର ମହିମା ତଥା ପାଳନ ବିଧି

ଶ୍ରୀକ୍ଷେତ୍ର ଧାମରେ ପାଳିତ ହେଉଥିବା ଘୋଷଯାତ୍ରାର ମହିମା ତଥା ପାଳନ ବିଧିର ବିସ୍ତୃତ ବର୍ଣ୍ଣନା ବିଭିନ୍ନ ପୁରାଣ ଓ ଉପପୁରାଣ ମାନଙ୍କରେ ଉଲ୍ଲେଖ ହୋଇଛି। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଦିନ ପାଳିତ ହୋଇଥାଏ ଘୋଷ ଯାତ୍ରା। ଏହି ଯାତ୍ରା ଘୋଷ ଯାତ୍ରା, ମହାବେଦୀ ମହୋତ୍ସବ, ପତିତପାବନ ଯାତ୍ରା, ଉତ୍ତରାଭିମୁଖୀ ଯାତ୍ରା, ନବଦିନାତ୍ମିକା ଯାତ୍ରା, ଦଶାବତାର ଯାତ୍ରା, ଗୁଣ୍ଡିଚା ମହୋତ୍ସବ ଓ ଆଡ଼ପ ଯାତ୍ରା ନାମରେ ବିଭିନ୍ନ ଶାସ୍ତ୍ର, ପୁରାଣ ଓ ଲୋକ କଥାରେ ଅଭିହିତ।
ମହାପ୍ରଭୁମାନଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ ବୋଲି ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି। ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଛି। ବୈଶାଖ ଶୁକ୍ଳ ତୃତୀୟା ରୋହିଣୀ ନକ୍ଷତ୍ର ଦିନ ରାଜା ସଂକଳ୍ପ କରିବେ। ଆଚାର୍ଯ୍ୟ ବରଣ କରିବେ।
କାର୍ଯ୍ୟଦକ୍ଷ ଅବିଦିତ ଜଣେ ବା ତିନିଜଣ ସୂତ୍ରଧରଙ୍କୁ ବନକୁ ଯିବାପାଇଁ ବସନ, ଭୂଷଣ ଦେଇ ବରଣ କରିବେ। ଯେଉଁ ବନରେ ଅତ୍ୟୁତ୍ତମ ତରୁ ବିଦ୍ୟାମାନ ସେଠାକୁ ଯାଇ ରାଜା ମନ୍ତ୍ର ଉଚ୍ଚାରଣ କରି ଅଗ୍ନି ସ୍ଥାପନ କରିବେ। ଅଷ୍ଟୋତ୍ତର ଶତ ଆହୁତି ଦେବେ। ପ୍ରତି ବୃକ୍ଷ ମୂଳରେ ଆଜ୍ୟଧାରା ଦେବେ। ଦିଗପାଳମାନଙ୍କୁ ଯଥାବିଧି ବଳି ଦେବେ। କ୍ଷେତ୍ରପାଳମାନଙ୍କୁ ପଶୁବଳି ଦେବେ। ବୃକ୍ଷର ପ୍ରୀତି ପାଇଁ ଶ୍ହେ ଦୁଗ୍ଧାନ୍ନ ଆହୁତି ଦେବେ।
ଆଚାର୍ଯ୍ୟ ପତଗଧ୍ୱଜ ଭଗବାନଙ୍କୁ ଧ୍ୟାନକରି କୁଠାରଧରି ମନ୍ତ୍ର ଉଚ୍ଚାରଣ କରି ବୃକ୍ଷର ମୂଳକୁ ଅଳ୍ପ ଅଳ୍ପ କରି କାଟିବେ। ସେଠାରେ ମଙ୍ଗଳଧ୍ୱନି କରାଇବେ। ସୂତ୍ରଧରଙ୍କୁ ଗଛକାଟି କାର୍ଯ୍ୟରେ ନିଯୁକ୍ତ କରି ଆଚାର୍ଯ୍ୟ ସ୍ୱଗୃହକୁ ଫେରିବେ। ଯଦି ରଥ ନିର୍ମାଣ ଉପଯୁକ୍ତ ସ୍ୱଗୃହ ନିକଟରେ ମିଳିବ ତାହା ହେଲେ ବିଧାନ ଅନୁସାରେ କାଷ୍ଠ ସଂସ୍କାର କରିବେ। ସ୍କନ୍ଧ ପୁରାଣ ଅନୁସାରେ – ଜଗନ୍ନାଥଙ୍କ ରଥ ଚକ ସଂଖ୍ୟା ୧୬ (ଷୋହଳ), ବେଦୀ ଉପରୁ ରଥର ଉଚ୍ଚତା ୨୩ (ତେଇଶି) ହାତ, ଚାରୋଟି ତୋରଣ ହେବ।
ଗରୁଡଧ୍ୱଜ ରକ୍ତ ଚନ୍ଦନ କାଠରେ ହେବ। ବଳଦେବଙ୍କ ରଥର ୧୪ (ଚଉଦ)ଟି ଚକ, ବେଦୀ ଉପରୁ ରଥର ଉଚ୍ଚତା ୨୨ (ବାଇଶ) ହାତ। ସୁଭଦ୍ରା ଦେବୀଙ୍କ ରଥର ଚକ ସଂଖ୍ୟା ୧୨(ବାର), ବେଦୀ ଉପରୁ ଉଚ୍ଚତା ୨୧ (ଏକୋଇଶ) ହାତ। ଏହି ରଥଯାତ୍ରାକୁ ନବଦିନାତ୍ମକ ଯାତ୍ରା କୁହାଯାଏ।
ଏହାର ତିନୋଟି ଅଙ୍ଗ। ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ରା। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ।
ଶୁକ୍ଳ ଦ୍ୱିତୀୟା ଦିନ ଇନ୍ଦ୍ରଦ୍ୟୁମ୍ନ ସରୋବରରେ ସ୍ନାନକରି ନୃସିଂହଙ୍କଠାରେ ସଂକଳ୍ପ ବ୍ରତ ଆରମ୍ଭ କଲେ ମହାପୂଣ୍ୟ ହୋଇଥାଏ। ଏହାକୁ ମହାବେଦୀ ମହୋତ୍ସବ ବ୍ରତ କୁହାଯାଏ। ଅଷ୍ଟମ ଦିବସରେ ବ୍ରତ ଶେଷ ହୁଏ। ମହାବେଦୀରେ ଶ୍ରୀଜଗନ୍ନାଥଙ୍କ ଅବସ୍ଥିତିକୁ ମହାବେଦୀ ଯୋଗ କୁହାଯାଏ। ଏହା ଅତି ପବିତ୍ର ସମୟ। ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥି, ମଘା ନକ୍ଷତ୍ର, ଜଗନ୍ନାଥଙ୍କ ମହା ସମାଗମ ଏ ତିନି ମହାବେଦୀ ଯୋଗର ତ୍ରିପାଦ ସ୍ୱରୂପ।
ଏହା ସହିତ ଇନ୍ଦ୍ରଦ୍ୟୁମ୍ନ ସରୋବର ମିଳିତ ହେଲେ ଚତୁସ୍ପାଦ ଯୋଗ ହୁଏ। ଏହା ପୂର୍ଣ୍ଣଯୋଗ ଏବଂ ପିତୃମାନଙ୍କର ମୁକ୍ତିପଦ। ସେହିପରି ଭାବେ ନୀଳାଦ୍ରି ମହୋଦୟରେ ଘୋଷଯାତ୍ରାର ସୁନ୍ଦର ବର୍ଣ୍ଣନା ରହିଛି। ନୀଳାଦ୍ରି ମହୋଦୟର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ। ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ। ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ।
ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ। ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପାଇଁ ରଥ ନିର୍ମାଣ କରାଯାଇଥିଲା। ନାରଦଙ୍କ ନିର୍ଦ୍ଦେଶ ମତେ ଶଙ୍ଖନିଧି ଓ ପଦ୍ମନିଧି ରଥ ନିର୍ମାଣ ଆରମ୍ଭ କରିଥିଲେ।
ସେଥିପାଇଁ ମନ୍ଦିର ପଶ୍ଚିମ ଦିଗରେ ଯେଉଁଠି ସଂସାରର ଆନନ୍ଦବର୍ଦ୍ଧକ ମହାପ୍ରଭୁ ଲୋକନାଥ ବିରାଜମାନ କରିଛନ୍ତି,‌‌ ସେଠାରେ ଶଙ୍ଖନିଧି ଓ ପଦ୍ମନିଧି ଗୋଟିଏ ସ୍ୱର୍ଣ୍ଣପୁରୀ ନିର୍ମାଣ କରିଥିଲେ।
ସେହିଠାରେ ଦୁଇ ସ୍ୱର୍ଗଦୂତ ରଥ ନିର୍ମାଣ ଆରମ୍ଭ କରିଥିଲେ। ନାରଦ କହିବା ଅନୁସାରେ ସେହିରଥ ତିନୋଟିକୁ ସୁନ୍ଦର ଓ ନରମ ବସ୍ତ୍ରଦ୍ୱାରା ସଜାଇଥିଲେ। ସେଥିରେ ନାନା ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଇଥିଲ। ରଥର ଚକ ଗୁଡ଼ିକ ଲୁହାରେ ତିଆରି କରିଥିଲେ। ରଥଚକର ଅରଗୁଡ଼ିକ ସୁନାରେତିଆରି କରିଥିଲେ। ସୁନା ଚକ ବେଶ ଆକର୍ଷକ ଥିଲା।
ରଥ କେବଳ ରତ୍ନ ଏବଂ ସ୍ୱର୍ଣ୍ଣ ଅଳଙ୍କାର ମାନ ଲଗାଯାଇନଥିଲା, ଏହାର ଚାରିପଟେ ନାନା ଅବତାରମାନଙ୍କରେ ପ୍ରକଟିତ ହୋଇଥିବା ଭଗବାନଙ୍କର ଲୀଳା ଚିତ୍ରିତ କରାଇ ଚଳନ୍ତି ପ୍ରତିମା ତିଆରି ହୋଇଥିଲା। ସେଗୁଡିକୁ ପାର୍ଶ୍ୱ ଦେବାଦେବୀ ଭାବେ ସଂଯୋଗ କରି ସାରଥି ବସାଇଥିଲେ। ସୁନାରେ ଘୋଡ଼ା ନିର୍ମାଣ କରି ରଥରେ ସଂଯୋଗ କଲେ। ଦେଖିଲା ମାତ୍ରକେ ଦର୍ପ ପ୍ରକାଶ କରୁଥିବା ସମୁଜ୍ଜ୍ୱଳ ଆକୃତିର ଦୁଇଟି ନିଧି ସେହି ରଥରେ ମଣ୍ଡିତ କଲେ। ତିନି ଲୋକ ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ସୁଖ ବୃଦ୍ଧି କରିପାରୁଥିବା ଭଳି ତିନୋଟି ଆଶ୍ଚର୍ଯ୍ୟଜନକ ରଥ ପ୍ରସ୍ତୁତ କରାଯାଇଥିଲା।
ସେଥିମଧ୍ୟରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ହେଉଛି “ଗରୁଡ ଧ୍ୱଜ”, ଜଗତଜନନୀ ମା’ ସୁଭଦ୍ରାଙ୍କ ସୁବର୍ଣ୍ଣମୟ ରଥର ନାମ “ପଦ୍ମଧ୍ୱଜ”, ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ରଥର ନାମ “ତାଳ ଧ୍ୱଜ”। ରଥ ତିନୋଟି ନିର୍ମାଣ ହେବ ପରେ ତାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସେଥିରେ ତୋରଣ ଓ ବିଭିନ୍ନ ଧାରଣର ପତାକା ସଂଯୋଗ କରାଯାଇଥିଲା। ନାନା ଶୁଭଗୁଣରେ ଅନ୍ୱିତ, ନବଜଳଧର ପରି ସୁନ୍ଦର ସମସ୍ତଙ୍କ ଦର୍ଶନାନନ୍ଦଦାୟୀ ଅତି ସୁସଜ୍ଜିତ ତିନି ରଥକୁ ଦେଖି ସମସ୍ତେ ଚକିତ ହୋଇଥିଲେ। ଏହା ପରେ ରଥ ତିନୋଟିକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରାଯାଇଥିଲା। ଏହା ପରେ ଆରମ୍ଭ ହୋଇଥିଲା ଚତୁର୍ଦ୍ଧାବିଗ୍ରହଙ୍କ ରଥଯାତ୍ରା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.