ଦେବଗିରି ମଠରେ ଶ୍ରୀଗୁଣ୍ଡିଚା ଯାତ୍ରା: ଡମ୍ ବଜା ଓ ଡାହୁକର ତାଳେ ତାଳେ ଗଡିଲା ରଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ବୁଢିପଦର ସ୍ଥିତ ଦେବଗିରି ମଠରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି ଦଧିବାମନ ଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ଶୈବ, ଶାକ୍ତ, ବୈଷ୍ଣବ, ସୌର, ଗାଣପତ୍ୟ ଧର୍ମର ମିଳନ ସ୍ଥଳି ଦେବଗିରି ବୁଢିପଦରର ରଥଯାତ୍ରା ଭିନ୍ନ ଢ଼ଙ୍ଗରେ ପାଳିତ ହୋଇଥାଏ। ଏଥିରେ ଯାଦବ, କନ୍ଧ ଓ ଡମ୍ବ ସଂପ୍ରଦାୟର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଖ୍ରୀଷ୍ଟପୂର୍ବ ନବମ ଶତାବ୍ଦୀରୁ ଖ୍ରୀଷ୍ଟିୟ ପଞ୍ଚମ ଶତାବ୍ଦୀ ପର୍ଯ୍ୟନ୍ତ ଗତିଶୀଳ ଥିଲା ଦେବଗିରି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦେବଗିରି ମଠର ରଥ ଡମ୍ ବଜାର ତାଳେ ତାଳେ ଟଣା ଯାଇଥିଲା। ସକାଳ ୬ଟାରୁ ଶ୍ରୀଜୀଉଙ୍କ ବିଭିନ୍ନ ନିତି କାନ୍ତି ଆରମ୍ଭ ହୋଇ ଅପରାହ୍ନରେ ସଂପୂର୍ଣ୍ଣ ନୂତନ ଭାବେ ନିର୍ମିତ ହୋଇଥିବା ରଥରେ ବିଜେ କରିଥିଲେ ମହାପ୍ରଭୁ ଦଧିବାମନ। ଯାଦବ ସେବାୟତ ଓ କନ୍ଧ ଗୈାନ୍ତିଆ ଛେରାପହରା ନିତି ଏବଂ ପଣ୍ଡିତ ସନ୍ତୋଷ ପାଢି ପହଣ୍ଡି ନିତି ସଂପାଦନ କରିଥିଲେ। ଛୋଟ ଛୋଟ ଶିଶୁମାନଙ୍କ ରଥଛିଆଁ ସହ ସେମାନେ ରଥାରୂଢ଼ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।

ଡାହୁକଙ୍କ ଡ଼ାକ, ଘଣ୍ଟ ଓ ଡମ୍ ବଜା ସହ ଭକ୍ତମାନଙ୍କ ଜୟ ଜଗନ୍ନାଥ ଧ୍ବନୀରେ ମୁଖରିତ ହୋଇ ଉଠିଥିଲା ଦେବଗିରି। ରଥ ସନ୍ଧ୍ୟା ୭.୦୦ରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା। ସେଠାରେ ଯାଦବ ରମଣୀମାନଙ୍କ ବନ୍ଦାପନା ପରେ ସଂହାସନକୁ ବିଜେ କରିଥିଲେ ମହାପ୍ରଭୁ। ଦେବଗିରି ମଠ ଟ୍ରଷ୍ଟ ବୋର୍ଡ ଅଧ୍ୟକ୍ଷ ବିଜୟ ଧଙ୍ଗଡାମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଟ୍ରଷ୍ଟର ସଂପାଦକ ସୁନୀଲ କୁମାର ଧଙ୍ଗଡାମାଝୀ, ସଦସ୍ୟ ତପିବର ଦାସ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସଞ୍ଜୟ କୁମାର ଧଙ୍ଗଡାମାଝୀ, ଶତ୍ରୁଘନ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଲୋକନାଥ ଗଉଡଙ୍କ ସମେତ ଅଶୋକ କୁମାର ଧଙ୍ଗଡାମାଝୀ, ଦେବରାଜ ଗଉଡ, କାନ୍ତ ମାଝୀ, ଧର୍ମେନ୍ଦ୍ର ଧଙ୍ଗଡାମାଝୀ, ପୂର୍ବା ଗଉଡ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ରଥଯାତ୍ରା ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.