କୋକସରାର ବିଭିନ୍ନ ସ୍ଥାନରେ ଘୋଷଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ବିଭିନ୍ନ ସ୍ଥାନରେ ମହାପ୍ରଭୂ ଶ୍ରୀଜିଉଙ୍କ ଘୋଷଯାତ୍ରା ପାଳିତ ହୋଇଥିବାବେଳେ ଲଡୁଗାଁଠାରେ କୁନି ରଥେ ବିଜେ କରିଛନ୍ତି ବଡ଼ ଠାକୁର। ରବିବାର ଘୋଷଯାତ୍ରା ପାଇଁ ଘଣ୍ଟ, ଶଙ୍ଖ ସଂକିର୍ତ୍ତନ ବାଜାରେ ପ୍ରକମ୍ପିତ ହୋଇ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବାବେଳେ ଭକ୍ତଙ୍କ ଗହଣରେ ମାଉସୀ ଘର ଗଲେ ଚତୁର୍ଦ୍ଧା ମୁରତି। ଚଳିତ ବର୍ଷ କେତେକ ସ୍ଥାନରେ ବର୍ଷା ହୋଇଥିଲେ ହେଁ ହଜାର ହଜାର ଶ୍ରଧାଳୁ ଭକ୍ତଙ୍କ ଭିଡ ଲାଗିଥିଲା। କୋକସରା ବ୍ଲକ ସଦରମ ହକୁମା ସମେତ ବ୍ଳକର ମୋଟେର, ବଡ଼ପୋଡାଗୁଡା, ଆମପାଣି, ସିଉନୀ, କାଉଡୋଲା, ଗୋତମୁଣ୍ଡା, ଲଡୁଗାଁ, ଟେମରା,ତୁନଗାଁ, ଡଙ୍ଗରୀଗୁଡା, ଛିଲିପାମାଲ, କେନ୍ଦୁଡଙ୍ଗରୀ, କାଶୀବାହାଲ ଆଦି ସ୍ଥାନରେ ମହାପ୍ରଭୂଙ୍କ ଘୋଷଯାତ୍ରା ମହାସମାରୋହରେ ପାଳିତ ହୋଇଛି। ତେବେ ଲଡୁଗାଁଠାରେ ବ୍ଲକ ଅଧ୍ୟକ୍ଷାଙ୍କ ବାସଭବନରୁ କୁନି ରଥ ବାହାର ହୋଇ ଲଡୁଗାଁ ସହର ପରିକ୍ରମା କରି କୁନି ରଥରେ ମହାପ୍ରଭୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ରୀତିନୀତି ଅନୁସାରେ ରଥକୁ ପୂଜାର୍ଚ୍ଚନା ପରେ ତିନି ଠାକୁର ରଥାରୂଢ ହୋଇଥିଲେ। ରିୟାଂଶ ଅଗ୍ରୱାଲ ଛେରାପହଁରା କରିବା ପରେ ଘଣ୍ଟ, ଶଙ୍ଖ ସଂକୀର୍ତ୍ତନ ଦଳ ଓ ବାଜାର ମେଳରେ ରଥଟଣା ହୋଇଥିଲା। ଜୟ ଜଗନ୍ନାଥ ଧ୍ଵନି ଓ ଭକ୍ତିମୟ ପରିବେଶରେ ଲଡୁଗାଁ ପ୍ରକମ୍ପିତ ହୋଇ ଉଠିଥିଲା। ରଥ ଟଣାରେ କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ, ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ରଥ ଟାଣିଥିଲେ। କୁନି ରଥରେ ତିନି ଠାକୁରଙ୍କୁ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଲୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ତେବେ ବିଭିନ୍ନ ସ୍ଥାନରେ ହୋଇଥିବା ରଥଯାତ୍ରାରେ ଶାନ୍ତି ଶୃଙ୍ଖଳା ନିମନ୍ତେ ପରିଚାଳନା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.