ସଇଁତଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି 

ରାଜ୍ୟସ୍ତରୀୟ ଡାକ୍ତରୀ ଟିମର ତଦାରଖ, ଲୋକଙ୍କୁ ସଚେତନ ରହିବା ପାଇଁ ପରାମର୍ଶ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସହରରେ ଡେଙ୍ଗୁ ବ୍ୟାପୁଥିବାରୁ ଆତଙ୍କ ସୃଷ୍ଟି ହୋଇଛି। ଏ ନେଇ ଓଡ଼ିଆ ବାର୍ତ୍ତାରେ ବାରମ୍ବାର ଖବର ପ୍ରକାଶିତ ହେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରି ବଲାଙ୍ଗୀର, ସଇଁତଲା ପରେ ଭୁବନେଶ୍ୱର ଡାକ୍ତରୀ ଟିମ ପହଂଚି ତଦାରଖ କରିଥିଲେ। ଗତ ଶନିବାର ଦିନ ଉକ୍ତ ଗୋପବନ୍ଧୁପଡାର ମହିଳା ଓ ପୁରୁଷମାନଙ୍କୁ ଜ୍ଜର ହେଉଥିବା ନେଇ ପ୍ରାୟ ୭୦ ରୁ ଉର୍ଦ୍ଧ ଲୋକଙ୍କ ରକ୍ତ ସଂଗ୍ରହ କରି ପରୀକ୍ଷା ପାଇଁ ବଲାଙ୍ଗୀରକୁ ପଠାଇଥିଲେ। ତନ୍ମଧ୍ୟରୁ ୧୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ। ଏ ନେଇ ବ୍ଲକ ପ୍ରଶାସନ ତରଫରୁ ଡେଙ୍ଗୁ ସଚେତନତା ଉପରେ ଏକ ଜରୁରୀକାଳୀନ ବୈଠକ ଆୟୋଜିତ କରି ବିଭାଗୀୟ ଅଙ୍ଗେନୱାଡି, ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ କିପରି ସଚେତନ କରିବେ ସେ ଉପରେ ପରାମର୍ଶ ଦେଇଥିଲେ। ଉକ୍ତ ସଭାରେ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ଟିଟିଲାଗଡ଼ ଉପ ଜିଲ୍ଲାପାଳ ରୋହନ ଖେତ୍ରୀ, ତହସିଲଦାର ଆଶିଷ ଏକ୍କା, ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. କୁବେର ଚନ୍ଦ୍ର ମହନ୍ତ ଓ ସଇଁତଲା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ସମରେନ୍ଦ୍ର ମହାପାତ୍ର ଯୋଗଦାନ କରି କରିଥିଲେ। ଏହାପରେ ସନ୍ଧ୍ୟା ସମୟରେ ଭୁବନେଶ୍ୱରରୁ ଡିଭିଡିର ଅତିରିକ୍ତ ନିର୍ଦେଶକ ଡା. ପ୍ରଭାକର ସାହୁ ଓ ଏଣ୍ଠେମୋଲୋଜିଷ୍ଟ ରବିଶଙ୍କର ପଣ୍ଡିତ ୨ ଜଣିଆ ଡାକ୍ତରୀ ଟିମ ପଡାକୁ ଯାଇ ବିଭିନ୍ନ ଦିଗକୁ ନେଇ ତଦାରଖ କରିଥିଲେ। ଏହା ସହିତ ଡ୍ରେନ କିମ୍ବା ଅନ୍ୟ ସ୍ଥାନଗୁଡିକରେ ଜମା ରହୁଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରି ଲୋକଙ୍କୁ ସଚେତନ ରହିବା ପାଇଁ କହିଥିଲେ। ଏ ନେଇ ମେଡିକାଲ ଅଫିସର ଡା. ସମରେନ୍ଦ୍ର ମହାପାତ୍ରଙ୍କୁ ପଚାରିବା ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ଥିବାବେଳେ ବର୍ତମାନ ଡେଙ୍ଗୁ ରୋଗୀ ସଂଖ୍ୟା ୪୧ କୁ ପହଂଚି ଥିବା ପ୍ରକାଶ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.