ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବେଲଗାଁ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଶୁଣାଣୀରେ ଅଧିକାଂଶ ଆବାସ ଯୋଜନା ଓ ପିଡିଏସ ଯୋଜନାରୁ ବହୁ ହିତାଧିକାରୀ ବାଦ ପଡିଛନ୍ତି, ସେମାନେ ଅଭିଯୋଗ କରିଥିଲେ। ଏହି ଅଭିଯୋଗରେ ନରାବାହାଲି ଗ୍ରାମ ଠାରୁ କୁଶମଖାଲ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ସାମିଲ କରିବା ପାଇଁ ରାମକୃଷ୍ଣ ଭୋଇ ଅଭିଯୋଗ କରିଥିଲେ। ସେହିପରି ଭିକାବାହାଲି ଗ୍ରାମର କେଶବ ସାହୁ ଭୂମିହୀନ ହିତାଧିକାରୀ ହୋଇଥିବାରୁ ତାଙ୍କୁ ଘରଡିହ ଯୋଗାଇ ଦେବା ପାଇଁ ଆବେଦନ କରିଥିଲେ। ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ବହୁ ଗରିବ ହିତାଧିକାରୀମାନେ ରେସନ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ। ଏହି ଜନ ଶୁଣାଣିରେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ସୋମବାର ଦିନ ହେଉଥିବା ଅଧିକାରୀମାନେ ମନମୁଖୀ ଆସୁଥିବା ସହିତ ପ୍ରଚାର ପ୍ରସାର ଅଭାବ ଯୋଗୁଁ କମ ସଂଖ୍ୟାକ ହିତାଧିକାରୀମାନଙ୍କୁ ଦେଖିବାକୁ ମିଳିଥିଲା। ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ବେଳେ ପୋଲିସ, ବନ ବିଭାଗ, କେନ୍ଧୁଲିପ ବିଭାଗ ଓ ରାଜସ୍ୱ ବିଭାଗର କୋଣସି ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳି ନ ଥିଲା। ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ ମଧ୍ୟ ଜନ ଶୁଣାଣିରେ ଉପସ୍ଥିତ ଥିଲେ। ଏଥିରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପେନ୍ଦ୍ର ମାଝୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ, ଜିପିଇଓ ସୁଷମା ନାଏକ, ଏପିଓ ବନଜା ବାସିନୀ ଦାସ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, କନିଷ୍ଠ ଯନ୍ତ୍ରୀ ରୋଜାଲିନ ପରିଡା, ଉଦ୍ୟାନ ବିଭାଗର ଦେବ ବ୍ରତ ନାୟକ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସାଧିକାରୀ ଡା. ତନ୍ମୟ ଅଧିକାରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଆନନ୍ଦ ପ୍ରଧାନ, ସ୍ୱପ୍ନା ବାଗ, ଝସକେତନ ମେହେର, କୃଷି କର୍ମଚାରୀ ବିନିତା ବାର୍ଲl,ଯୋଗାଣ ବିଭାଗ ଡିଓ ସରୋଜ ସାହୁ, ସ୍ଥାନୀୟ ସରପଞ୍ଚ, ଜିଆରଏସ ଅନିଲ ପଟେଲ ଓ ଯୋଗାଣ ସହାୟତା ଉମେଶ ନାଗଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ। ଏହି ଜନ ଶୁଣାଣିରେ ୧୩୯ ଜଣ ହିତାଧିକାରୀ ପଞ୍ଜିକୃତ କରିଥିଲେ।