ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଜୁନାଗଡ ସମ୍ବାଦ ସାହିତ୍ୟ ଘର ଆନୁକୁଲ୍ୟରେ ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ମାଟିଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ପରିସରରେ ବନ ମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୈନିକ ସମ୍ବାଦର ଜୁନାଗଡ ବ୍ଲକ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ଆବାହନ କ୍ରମେ ଏକ ସଚେତନ ସଭା ପ୍ରଧାନ ଶିକ୍ଷକ ଲକ୍ଷୀକାନ୍ତ ଦଣ୍ଡସେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମୁଖ୍ୟବକ୍ତା ଅଜୟ ଦାସ, ସମ୍ମାନିତ ବକ୍ତା ରାଧେଶ୍ୟାମ ପଣ୍ଡା, ମୁଖ୍ୟ ଅତିଥି ପ୍ରମୋଦ ବେହେରା, ସମ୍ମାନୀତ ଅତିଥି ବିଶ୍ବନାଥ କର, ସମ୍ବାଦ ସାହିତ୍ୟ ଘରର ସଦସ୍ୟା ତଥା କବି ପଲ୍ଲବୀ ଦାସ ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ମଂଚାସୀନ ସମସ୍ତ ଅତିଥିଙ୍କ ସହିତ ଯୁବ ଶିଳ୍ପୀ ହିମାଂଶୁ ନାୟକ, ବିଜ୍ଞାନ ଶିକ୍ଷକ ରାହାସ ବିହାରୀ ଦଣ୍ଡେସେନା ଏହି ପରି କାର୍ଯ୍ୟକ୍ରମର ଉପାଦେୟତା ବର୍ଣ୍ଣନା କରି, ଛାତ୍ରଛାତ୍ରୀମାନେ ବୃକ୍ଷରୋପଣକୁ ଜୀବନର ଏକ ବ୍ରତ ଭାବରେ ଗ୍ରହଣ କରିବାକୁ ଆହ୍ବାନ ଦେଇଥିଲେ। ଯୁବକବି କିରଣମୟ ସେନାପତି, ମନୋଜ ମେହେର, ଚନ୍ଦ୍ର ମୋହନ ମେହେର, ଶରତ ଚନ୍ଦ୍ର ମେହେର, ବେଣୁଧର ବାଗ ପ୍ରମୁଖ ଜଙ୍ଗଲ ସୁରକ୍ଷା ଆଧରିତ ସ୍ବରଚିତ କବିତା ପାଠ କରିବା ପରେ ନବଘନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଜୁନାଗଡ ବନଖଣ୍ଡର ଅଧିକାରୀ ଶ୍ରୀକାନ୍ତ ପଟ୍ଟନାୟକଙ୍କ ପ୍ରେରଣାପ୍ରଦ ବକ୍ତବ୍ୟ ପ୍ରଦାନ ପରେ ସ୍କୁଲ ପରିସରେ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶତାଧିକ ବୃକ୍ଷ ରୋପଣ କରାଯାଇଥିଲା। ଯୁବ ସମାଜସେବୀ ଭିକାରୀ ମହାଲିକ, ଦିବ୍ୟଶଙ୍କର ମେହେରଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ, ବିଦ୍ୟାଳୟୟର ଶତାଧିକ ଛାତ୍ରଛାତ୍ରୀ ଉତ୍ସାହ ଉଦ୍ଦୀପନାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।