ପୋଖରୀବନ୍ଧ-ଲାଞ୍ଜିଗଡ ରାସ୍ତା ନିମ୍ନମାନର ଅଭିଯୋଗ: ଠିକା ସଂସ୍ଥାର ମନମୁଖୀ, ଅଧିକାରୀ ନିରବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ପୂର୍ତ୍ତ ବିଭାଗ ନେଇ ଆଣି ଥୋଇ ଜାଣିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା କାମରେ ଦୁର୍ନୀତି ସାଧାରଣ କଥା ହୋଇଥିବା ବେଳେ କେଉଁଠି କାମ ଅଧା ହୋଇଛି ତ’ ଆଉ କେଉଁଠି ଜମି ଅଧିଗ୍ରହଣ ହୋଇପାରୁନଥିବା କହି କଚ୍ଛପ ଗତିରେ କାମ ଚାଲୁଛି। ତେବେ କଳାହାଣ୍ଡି ଜିଲ୍ଲାର ଜଣେ ନାମଜାଦା ଠିକାଦାରଙ୍କ ଦ୍ବାରା ଅତ୍ୟନ୍ତ ନିମ୍ନମାନର କାମକୁ ନେଇ ଲୋକଙ୍କ ମଧ୍ୟରେ ଦେଖ‌ିବାକୁ ମିଳିଛି ଅସନ୍ତୋଷର ବାତାବରଣ। ଏପରିକି କଳାହାଣ୍ଡି ଜିଲ୍ଲାର କରିତକର୍ମା ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ଜାଣତରେ ଏଭଳି ନିମ୍ନମାନର କାମ ହେଉଥିବାବେଳେ ସବୁ ଜାଣି ଚୁପ ରହୁଛନ୍ତି ଅଧିକାରୀମାନେ। ଏପରି ଭାବେ ରାସ୍ତା ନିର୍ମାଣ ଶେଷ ନହେଉଣୁ କଳାହାଣ୍ଡି ଜିଲ୍ଲା ପୋଖରୀବନ୍ଧରୁ ଲାଞ୍ଜିଗଡ଼କୁ ସଂଯୋଗ କରୁଥିବା ରାସ୍ତା ଦବି ଯାଉଥିବା ଦେଖ‌ିବାକୁ ମିଳିଛି ବିଶ୍ବନାଥପୁର ବିଇଓ ଅଫିସ ସାମ୍ନାରେ ରାସ୍ତା ଦବି ଯାଇଥିବାବେଳେ ବାଇକ ଓ ମାଲବାହୀ ଯାନବାହନ ପାଇଁ ଏହା ସମସ୍ୟା ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି।

ସେହିପରି ବିଶ୍ବନାଥପୁର କଲେଜ ଛକରୁ ପିଡବ୍ଲ୍ୟୁଡି ବଙ୍ଗଳା ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ପେଭର ବ୍ଲକ ଲଗାଯାଇଛି ସତ କିନ୍ତୁ ଅତ୍ୟନ୍ତ ନିମ୍ନମାନର କାମ ଯୋଗୁଁ ଏହାର ସ୍ଥାୟିତ୍ଵ ନେଇ ସନ୍ଦେହ ଦେଖାଦେଇଛି। ସେହିପରି ବର୍ଷା ଦିନ ଆସିଯାଇଥିଲେ ହେଁ ବିଭିନ୍ନ ସ୍ଥାନରେ ଧିର କଚ୍ଛପ ଗତିରେ କାମ ଚାଲିଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ହେଲେ ମଧ୍ୟ ପିଡବ୍ଲ୍ୟୁଡି ବିଭାଗ ଆଦୌ କର୍ଣ୍ଣପାତ କରୁନଥିବା ବେଳେ ଏହାକୁ ନେଇ ମଙ୍ଗଳବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀରେ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ବ୍ଲକ୍ ମୁଖ୍ୟାଳୟ ଭିତରେ ଏହିପରି ନିମ୍ନମାନର କାମ ହେଉଥିବା ବେଳେ ସାଧାରଣ ଲୋକଙ୍କ ମଧ୍ଯରେ ବେଶ ଅସନ୍ତୋଷ ଦେଖାଦେଇଛି। ଏଣୁ ପୋଖରୀବନ୍ଧରୁ ଲାଞ୍ଜିଗଡ଼ ନିର୍ମାଣାଧୀନ ରାସ୍ତାର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.