ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟର ଜନସଂଖ୍ୟା ଅଧ୍ୟୟନ ବିଭାଗ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମ ‘ବିଶ୍ବ ଜନସଂଖ୍ୟା ଦିବସ-୨୦୨୪’
କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ଭାବେ ପ୍ରଫେସର ଜଳନ୍ଧର ପ୍ରଧାନ ଓ ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ ଯୋଗଦେଇ ସଂପ୍ରତି ସମାଜରେ ଜନସଂଖ୍ୟା ବୃଦ୍ଧିର ଉପକାରିତା ଓ ଅପକାରିତା ସଂପର୍କରେ ଅବଗତ କରାଇଥିଲେ। ଏଥିସହ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ଜେନା ଏହି ସଂପର୍କରେ ନୀତିମୂଳକ ପ୍ରସ୍ତାବ ସଂପର୍କରେ ସବିଶେଷ ସୂଚନା ଦେଇ ଜଣାଇଥିଲେ ଯେ- ଆଗାମୀବର୍ଷ ଗୁଡିକରେ ଓଡ଼ିଶାର ବୟସ୍କ ଲୋକସଂଖ୍ୟାର ଦ୍ରୁତ ବୃଦ୍ଧି ଚିନ୍ତାର କାରଣ ହେବାକୁ ଯାଉଛି। ଜନସଂଖ୍ୟା ଆୟୋଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ନୂଆଦିଲ୍ଲୀର ଏକ ସମୀକ୍ଷା ଅନୁଯାୟୀ ୨୦୧୧ ରୁ ୨୦୩୬ ପର୍ଯ୍ୟନ୍ତ ୬୦ ବର୍ଷ ଓ ତାଠାରୁ ବେଶି ବୟସ୍କ ଲୋକଙ୍କସଂଖ୍ୟା ଦୁଇଗୁଣରୁ ବେଶି ହେବ ଯେଉଁଥିରେ ଏହା ୩୮୯୨୦୦୦ ରୁ ବଢି ୮୧୬୧୦୦୦ ହେବ। ଏହା ସହିତ ବୟସ୍କ ଲୋକସଂଖ୍ୟାର ଅନୁପାତ ୯.୩ % ରୁ ବଢି ୧୮.୧% ହେବାର ସମ୍ଭାବନା ଅଛି। ଏହା ଫଳରେ ବୟସ୍କ ନିର୍ଭରତା ଅନୁପାତ ୧୫୦ ରୁ ୨୯୦ ହେବାର ଅନୁମାନ ଅଛି, ଯାହାର ଅର୍ଥ ହେଉଛି କାର୍ଯ୍ୟକ୍ଷମ ଆୟୁ ସମୁଦାୟ ପ୍ରତି ୧୦୦୦ ଲୋକଙ୍କ ପାଇଁ ବୟସ୍କ ନିର୍ଭର ଲୋକଙ୍କସଂଖ୍ୟା ଦୁଇଗୁଣ ହେବ। ଏହି ବୃଦ୍ଧିକୁ ସମ୍ଭାଳିବା ପାଇଁ ଓଡିଶାକୁ ଅନେକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ। ପ୍ରଥମେ ସ୍ବାସ୍ଥ୍ୟ ସଂରଚନାକୁ ଶକ୍ତିଶାଳୀ କରିବା ଆବଶ୍ୟକ। ବୟସ୍କ ଚିକିତ୍ସା ସୁବିଧା ବଢ଼ାଇବା, ଜେରେଣ୍ଟୋଲୋଜି ରେ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ଓ ବୟସ୍କମାନଙ୍କ ପାଇଁ ସ୍ବଳ୍ପମୂଲ୍ୟ ସ୍ବାସ୍ଥ୍ୟ ସେବାଗୁଡିକ ପ୍ରଦାନ କରିବା ଆବଶ୍ୟକ। ବୟସ୍କ ସମ୍ଭନ୍ଧୀୟ ସାଧାରଣ ରୋଗ ଯଥା ହୃଦରୋଗ, ଡାଇବେଟିସ, ଆର୍ଥାଇଟିସ ପାଇଁ ବିଶେଷ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଆରମ୍ଭ ହେବା ଆବଶ୍ୟକ। ସେହିପରି ଟେଲିମେଡିସିନ ପ୍ରୟୋଗ କରି ଗ୍ରାମାଞ୍ଚଳରେ ସଂକଟାପନ୍ନ ସ୍ବାସ୍ଥ୍ୟ ସେବାକୁ ଭ୍ରାମ୍ୟମାଣ ଚିକିତ୍ସା ମାଧ୍ୟମରେ ସୁଧାର ଅଣାଯାଇପାରିବ। ଦ୍ବିତୀୟତଃ, ସାମାଜିକ ସୁରକ୍ଷା ପ୍ରଣାଳୀକୁ ସୁଦୃଢ କରିବା ଆବଶ୍ୟକ। ସମସ୍ତ ବୟସ୍କ ମାନଙ୍କୁ, ବିଶେଷକରି ଅଣଅପଚାରିକ ବିଭାଗରେ କାର୍ଯ୍ୟରତ ଥିବା ଲୋକଙ୍କ ପାଇଁ ପେନସନ ଯୋଜନାକୁ ବିସ୍ତୃତ କରିବା ପୂର୍ବକ ସ୍ଥିରତା ଦେବା ଓ ଏଥିସହ ତାଙ୍କ ପାଇଁ ସଞ୍ଚୟ ଓ ବିନିଯୋଗ ଯୋଜନା ଗୁଡିକ ସୃଷ୍ଟି କରି ତାଙ୍କର ଆର୍ଥିକ ସ୍ବାଧୀନତାକୁ ନିଶ୍ଚିତ କରିବା ଆବଶ୍ୟକ। ସାମାଜିକ ସମର୍ଥନ ସେବା ଯଥା ଗୋଷ୍ଠୀକେନ୍ଦ୍ର ଓ ବୃଦ୍ଧାଶ୍ରମ ଦେଇ ଭାବନାତ୍ମକ ଓ ସାମାଜିକ ସମର୍ଥନ ପ୍ରଦାନ କରିବା। ଏହା ବୟସ୍କମାନଙ୍କ ଏକାକୀତ୍ବ ଓ ଅବସାଦକୁ ହ୍ରାସ କରିବାରେ ସାହାଯ୍ଯ କରିବା ଆବଶ୍ୟକ। ତୃତୀୟତଃ, ବୟସ୍କମାନଙ୍କ ପାଇଁ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବା ଆବଶ୍ୟକ। ସାର୍ବଜନୀନ ଯାତାୟାତ ବ୍ଯବସ୍ଥାକୁ ସୁଲଭ କରାଇବା, ପାଦଚଲା ପଥ ନିର୍ମାଣ କରିବା, ସାର୍ବଜନୀନ ସ୍ଥାନଗୁଡ଼ିକୁ ବୟସ୍କ ମାନଙ୍କ ନିମନ୍ତେ ଉପଯୋଗୀ କରିବାର ଆବଶ୍ୟକତା ରହିଛି। ଗୋଷ୍ଠୀ ଭାଗୀଦାରୀ ଓ ଜୀବନର ଆବଶ୍ୟକତା ଉପଲବ୍ଧ କରାଇବା ମାଧ୍ୟମରେ ସକ୍ରିୟ ବୟସ୍କତାକୁ ପ୍ରୋତ୍ସାହିତ ସହ ମାନସିକ ଓ ଶାରୀରିକ ଭାବେ ସକ୍ରିୟ ରଖିବା ଉଚିତ। ଆନ୍ତର୍ଜାତିକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇ ଗୋଷ୍ଠୀସଂପର୍କକୁ ଶକ୍ତିଶାଳୀ କରିବା ତଥା ଯୁବବର୍ଗ ଓ ବୃଦ୍ଧ ଉଭୟଙ୍କ ମଧ୍ଯରେ ପରସ୍ପର ସହଯୋଗ ଯୋଗାଇ ଦେବାର ପ୍ରୟାସ କରାଯିବା ଦରକାର। ସେହପରି ଓଡ଼ିଶାର ଦ୍ରୁତ ବୟସ୍କତା ନୀତି ଓ ପ୍ରକ୍ରିୟା ଗୁଡିକ ପାଇଁ ପ୍ରାଥମିକତା ଦେବା ଉଚିତ ଯାହା ରାଜ୍ୟର ଦୀର୍ଘକାଳିନ ସୁସ୍ଥିତିକୁ ନିଶ୍ଚିତ କରିବ।କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା ଓ ପୂର୍ବତନ କୁଳପତି ପ୍ରଫେସର ଶିବପ୍ରସାଦ ଅଧିକାରୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ସଂପର୍କରେ ବିଭାଗ ମୁଖ୍ଯ ଡକ୍ଟର ଗ୍ରେସ. ବି ମୁଣ୍ଡୁ ଅବଗତ କରିଥିଲେ ଓ ଆସିଷ୍ଟାଣ୍ଟ ପ୍ରଫେସର ଡ଼କ୍ଟର ମୋଆତୁଲା ଆଓ ପରିଚାଳନା କରିଥିଲେ।ବିଭାଗର ଅଧ୍ୟାପକ ପ୍ରଫେସର ଏଲ ଏନ ଦାସ, ଆସିଷ୍ଟାଣ୍ଟ ପ୍ରଫେସର ସମୀର କୁମାର ଜେନା ଓ ମାନସ କୁମାର ପତ୍ରୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଂଯୋଜିତ ହୋଇଥିଲା ଓ ଶେଷରେ ଡ଼କ୍ଟର ଜଗନ୍ନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।