କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ପରିବାର ଲୋକେ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସରକାର ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସବୁ ସେବା ଯୋଗାଇ ଦେଉଛନ୍ତି। ହେଲେ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ କିଛି କର୍ମଚାରୀଙ୍କ ପାଇଁ ଲାଞ୍ଜିଗଡ଼ ବ୍ଲକରେ ଏହି ସେବା ବାଟବଣା ହେବାରେ ଲାଗିଛି। ଲାଞ୍ଜିଗଡ଼ ବ୍ଲକ ଉପାନ୍ତ ବନ୍ଧପାରି ପଞ୍ଚାୟତର ବାଲିସରା ଗାଁର ଏକ ଗର୍ଭବତୀଙ୍କ ଚିକିତ୍ସା ଅଭାବରୁ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବାଲିସରା ଗାଁର ଡମ୍ବରୁଧର ହରିଜନଙ୍କ ସ୍ତ୍ରୀ ଶାନ୍ତି ହରିଜନ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ପରିବାର ଲୋକେ ସ୍ଥାନୀୟ ଆଶାକର୍ମୀ ମାଳତୀ ବାଗଙ୍କୁ ଖବର ଦେଇଥିଲେ। ମାଳତୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରି ଶନିବାର ଦିନ ତତକ୍ଷଣାତ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ହେଲେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଷ୍ଟାଫନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ତାଙ୍କୁ ଅଣଦେଖା କରିଥିଲେ। ଶାନ୍ତିର ସ୍ୱାମୀ ଡମ୍ବରୁଧର ଅନେକ କାକୁତି ମିନତୀ ହେବାପରେ କର୍ମଚାରୀ ମାନେ ଗୋଟିଏ ସାଲାଇନ ଓ ଇଞ୍ଜେକ୍ସନ ଦେଇ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ନକରି ଆଜି ରଥଯାତ୍ରା ଡାକ୍ତରଖାନା ଛୁଟି ଅଛି ତମେ ଘରକୁ ଯାଅ ବୋଲି କହିବା ପରେ ଡମ୍ବରୁଧର ଏକ ଗାଡ଼ି ସାହାଯ୍ୟରେ ନିଜ ସ୍ତ୍ରୀକୁ ଘରକୁ ଆଣିଥିଲେ। ଘରକୁ ଆଣିବା ପରେ ଅତ୍ୟନ୍ତ ଗର୍ଭ ଯନ୍ତ୍ରଣା ହେବା ଯୋଗୁଁ ସୋମବାର ଶାନ୍ତି ମୃତ୍ୟୁ ବରଣ କରିଥିଲେ। ତେବେ ବିଶ୍ୱନାଥପୁର ଡାକ୍ତରଖାନା କର୍ମଚାରୀଙ୍କ ଚିକିତ୍ସାର ଅବହେଳା ଯୋଗୁଁ ଶାନ୍ତି ମୃତ୍ୟୁ ବରଣ କରିଛି ବୋଲି ଅଭିଯୋଗ ଆଣିଛନ୍ତି ସ୍ୱାମୀ ଡମ୍ବରୁଧର। ଶାନ୍ତିଙ୍କ ମୃତ୍ୟୁର ୩ ଦିନ ପରେ ଗୁରୁବାର ବିଶ୍ୱନାଥପୁର ଡାକ୍ତରୀ ଟିମ ବାଲିସରା ଗାଁକୁ ଗସ୍ତ କରି ଡମ୍ବରୁଧରଙ୍କୁ ଡାକ୍ତରଖାନାରେ ଦିଆଯାଇଥିବା କାଗଜ ପତ୍ର ମାଗି ସେହି କାଗଜରେ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ଉଲ୍ଲେଖ କରିଥିବା ଦେଖି ଏହାକୁ ନେଇଁ ପରିବାର ଏବଂ ଗ୍ରାମବାସୀ ପ୍ରତିବାଦ କରିଥିଲେ। ଶାନ୍ତି ମୃତ୍ୟୁ ବରଣ କରି ୩ଦିନ ପରେ ଆପଣ କାହିଁକି ଆସି ଭବାନୀପାଟଣା ସ୍ଥାନାନ୍ତର କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ମୃତ ଦେହର ଶବ ସଂସ୍କାର କରି ସାରିବା ପରେ ଆପଣ କାହିଁକି ଏଭଳି ଲେଖୁଛନ୍ତି। ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ମନମୁଖୀ କାର୍ଯ୍ୟ କଳାପକୁ ନେଇଁ ଅଞ୍ଚଳରେ ବେଶ ଅସନ୍ତୋଷ ଦେଖା ଦେଇଛି। ତେବେ ଗାଁ ଲୋକେ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କୁ ଅଟକ ରହିବା ପରେ ବିଶ୍ୱନାଥପୁର ଥାନାଅଧିକାରୀ ମମତା ହେମ୍ରମ୍ ଘଟଣା ସ୍ଥଳରେ ପହଞ୍ଚି ଡାକ୍ତରଙ୍କୁ ଉଦ୍ଧାର କରିଥିଲେ। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଶୁକ୍ରବାର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁଚେତା ପାଣି ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆସି ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ କରିଥିବା ସୂଚନା ମିଳିଛି। ତେବେ ଏପରି ଅବହେଳା କାର୍ଯ୍ୟ କରିଥିବା ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି।