ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରୁପ୍ରାରୋଡ ଗୁଣ୍ଡିଚା ମନ୍ଦିର ଠାରେ ଆଷାଢ଼ ଶୁକ୍ଳପକ୍ଷ ନବମୀ ଶନିବାର ଦିନ ଭକ୍ତଙ୍କୁ କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଇଛନ୍ତି ଶ୍ରୀଜୀଉ। କଥାରେ ଅଛି ଆଡପ ମଣ୍ଡପରେ ପ୍ରଭୁଙ୍କ ବିଭିନ୍ନ ବେଶ ଦର୍ଶନ ମହାପୁଣ୍ୟ ଓ ଅନେକ ଫଳ ପ୍ରାପ୍ତି ଅଟେ। ମହାପ୍ରଭୁଙ୍କ ଦିବ୍ୟ ଲୀଳାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ବର୍ଷର ଏହି ସମୟକୁ ଚାତକ ପରି ଚାହିଁ ରହିଥାନ୍ତି। ରୁପ୍ରାରୋଡ ଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା ଦିବଂଗତ ଡ଼ଃ ସାଧୁରାମ ଅଗ୍ରୱାଲଙ୍କ ସୁପୁତ୍ର ସୁନିଲ କୁମାର ଅଗ୍ରୱାଲ ଓ ସୁମିତ କୁମାର ଅଗ୍ରୱାଲଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପଣ୍ଡିତ ନିଗମାନନ୍ଦ ପାତ୍ର, ଭବାନୀ ପ୍ରସାଦ ରଥ ଓ ମନୋଜ ଦାଶ ନିତି ସଂପାଦନ କରିଥିଲେ। ଶହ ଶହ ଶ୍ରଦ୍ଧାଳୁ ପ୍ରଭୁ ଜଗନ୍ନାଥଙ୍କ ଦିବ୍ୟ ଲୀଳା ଦର୍ଶନ କରିଛନ୍ତି। ଆଜି ରବିବାର ବାହୁଡ଼ା ଯାତ୍ରା। ଭାଇ ଭଉଣୀଙ୍କ ସହ ଶ୍ରୀଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ବାହୁଡ଼ି ଯିବେ କାଳିଆ ସାଆନ୍ତ। ବାହୁଡ଼ା ଯାତ୍ରା ପାଇଁ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।