ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବାହୁଡା ଯାତ୍ରା ପାଇଁ ସୋମବାର ବଡ଼ ଦାଣ୍ଡରୁ ପୁରପଲ୍ଲୀ ଉତ୍ସବ ମୁଖର ହୋଇ ଉଠିଛି । ଘଣ୍ଟ ଘଣ୍ଟା, ମୃଦଙ୍ଗ, ସଂକୀର୍ତ୍ତନ, ଭକ୍ତଙ୍କ ଭଜନ ଦ୍ବାରା ଗହଳି ଲଗାଇ ହଲି ହଲି ରତ୍ନବେଦୀକୁ ଆସିଛନ୍ତି କଳା ଠାକୁର । କୋକସରା ବ୍ଲକର ବିଭିନ୍ନ ଗ୍ରାମରେ ଶାନ୍ତି ଶୃଙ୍ଖଳା ସହିତ ମହାବାହୁଙ୍କ ବାହୁଡାଯାତ୍ରା ସମ୍ପନ୍ନ ହୋଇଛି । ବ୍ଳକର ଗୋତମୁଣ୍ଡାଠାରେ ଦେବାଦେବୀଙ୍କ ଲାଠୀ, କୁର୍ସୀ ଓ କାଳିଶୀ ଗହଣରେ ମହାପ୍ରଭୁ ଶ୍ରୀମନ୍ଦିରକୁ ଫେରିଥିବାବେଳେ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ସେହିପରି ବଡ଼ପୋଡ଼ାଗୁଡ଼ା, ଆମପାଣି, କାଉଡୋଲା, ସିଉନୀ, କେନ୍ଦୁଡଙ୍ଗରୀ, ଲଡୁଗାଁ, କୋକସରା, କାଶୀବାହାଲ, ମୋଟେର, ଛିଲିପାମାଲ, ଡଙ୍ଗରୀଗୁଡା, ତୁନଗାଁ, ଟେମରା ଆଦି ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳା ସହିତ ବାହୁଡାଯାତ୍ରା ସମାପନ ହୋଇଛି । ଚଳିତ ବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇବା ପାଇଁ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ବିଭିନ୍ନ ସ୍ଥାନରେ ପାଳିତ ବାହୁଡା ଯାତ୍ରାରେ ପୂଜା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ନିମନ୍ତେ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।