ଶେଷ ହେଲା ନବଦିନାତ୍ମକ ଯାତ୍ରା: ମାଉସୀ ଘରୁ ବାହୁଡ଼ିଲେ ତିନି ଠାକୁର 

ଲକ୍ଷ୍ମୀ ନାରାୟଣ କଳି ପରେ ମନ୍ଦିରକୁ ପ୍ରବେଶ କଲେ କଳାଠାକୁର

ଓଡ଼ିଆ ବାର୍ତ୍ତା/ ଥୁଆମୁଳ ରାମପୁର (ପ୍ରଦୀପ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ମୁଖ୍ଯାଳୟ ଠାରେ ସୋମବାର ଧୁମଧାମରେ ପାଳିତ ହୋଇଯାଇଛି ପବିତ୍ର ବାହୁଡା଼ ଯାତ୍ରା ଉତ୍ସବ। ଦୀର୍ଘ ୯ ଦିନର ଏହି ଯାତ୍ରା ରୀତିିକାନ୍ତି ଅନୁସାରେ ସମାପନ ହୋଇଯାଇଛି। ଚତୁର୍ଦ୍ଧାମୂର୍ତ୍ତି ମାଉସୀ ଘରୁ ବାହାରି ରଥରେ ବିରାଜମାନ ହେବା ପରେ ସହ ସହ ଭକ୍ତ ଓ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରି ହୁଳହୁଳି ଘଣ୍ଟଘଣ୍ଟା ଓ ସଂଙ୍କିତ୍ତନ ଆୟୋଜନ ମଧ୍ୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା।ମନ୍ଦିର ସମ୍ମୁଖରେ ରଥ ରହିଲା ପରେ ଛେରାପହଁରା ଓ ପହଣ୍ଡି ବିଜେ ପରେ ସମସ୍ତ ଠାକୁରଙ୍କୁ ମନ୍ଦିରକୁ ନିଆଯାଇଥିଲା। ପ୍ରଥମେ ବଳଭଦ୍ର ଓ ସୁଭଦ୍ରା ମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ ହେଲେ ଜଗନ୍ନାଥ ମହାପ୍ରଭୁଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ପୁର୍ବରୁ ଭିତରେ ଅଭିମାନ କରି ରହିଥିବା ମାତା ମହାଲକ୍ଷ୍ମୀ କବାଟ କିଳି ରହିଥିଲେ। ଏହି ଅବସରରେ ପରମ୍ପରା ଅନୁଯାୟୀ ଲକ୍ଷ୍ମୀ ନାରାୟଣ କଳିର ଗିତ ଗାନ କରାଯାଇଥିଲା। ପରେ କବାଟ ଖୋଲାଯାଇ ଜଗନ୍ନାଥଙ୍କୁ ସିଂହାସନରେ ଅବସ୍ଥାପିତ କରାଯାଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହିଭଳି ଭାବରେ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା ସମ୍ପନ୍ନ ହୋଇଯାଇଛି।ରଥଯାତ୍ରାର ମୁଖ୍ୟ ପୂଜକ ଆଲୋକ ରଞ୍ଜନ ମୁଣ୍ଡ ଓ ଚିନ୍ମୟ ମୁଣ୍ଡ ପୂଜାର୍ଚ୍ଚନା କରିଥିବା ବେଳେ ଅନେକ ପୂଜକ ଓ ସେବାୟତ ସହଯୋଗ କରିଥିବା ବେଳେ ରଥଯାତ୍ରା ପରିଚାଳନା କମିଟିର ସଦସ୍ୟ ମାନେ ଆୟୋଜନ କରିଥିଲେ। ଏଥିରେ ଶହଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଶାନ୍ତି ଶୃଙ୍ଖଳା ପାଇଁ ସ୍ଥାନୀୟ ଥାନା ଅଧିକାରୀ କୈବଲ୍ୟ ସେଠ୍ ଙ୍କ ଉପସ୍ଥିତିରେ ପୋଲିସ ପ୍ରଶାସନ, ସ୍ଥାନୀୟ ଅଗ୍ନିଶମ ବିଭାଗ ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ତଥା ସୂଚାରୁ ରୁପେ ସମ୍ପାଦନ କରିଥିଲେ। ଏହି ରଥଯାତ୍ରାରେ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଦେଖଣାହାରୀଙ୍କ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.