କୋଏମ୍ବାଟୁରରୁ ନର୍ଲାର ଜାମପଡାକୁ ଫେରିଲା ପୁଣି ଏକ ଦାଦନ ଶ୍ରମିକଙ୍କ ଶବ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ବାଗପୁର ଗ୍ରାମ ପଞ୍ଚାୟତର ଜାମପଡା ଗାଁକୁ ଦାଦନଙ୍କ ଶବ ଫେରିଛି । ଆମ୍ବୁଲାନ୍ସ ଯୋଗେ ତାମିଲନାଡୁର କୋଏମ୍ବାଟୁରରୁ ଜାମପଡାକୁ ଶବ ଆସି ପହଞ୍ଚିଛି ମଙ୍ଗବାର ରାତି ୧୨ ଟାରେ । ଜନ୍ମଦାତ୍ରୀ ମା, ବିଧବା ସ୍ତ୍ରୀ ଓ ତିନି ଛୁଆଙ୍କ ବୁକୁଫଟା କାନ୍ଦରୋଳରେ ଗାଁ ଦାଣ୍ଡ ଫାଟିପଡୁଛି । ପରିବାର ପ୍ରତିପୋଷଣ ପାଇଁ ଜାମପଡାର ମହେନ୍ଦ୍ର ମାଝୀଙ୍କ ପୁଅ ବନସିଂ ମାଝୀ (୪୦) ଗତ ମଇ ମାସରେ ଦାଦନ ଖଟିବାକୁ ଯାଇଥିଲେ କୋଏମ୍ବାଟୁର । ସେଠାରେ ଗୋଟେ ଫ୍ଲାଏ ଆସ ଇଟା କମ୍ପାନୀରେ ଇଟା ଗଢା କାମ କରୁଥିଲେ । ଗାଁ ପିଲା କରୁଣା ପରାଭୋଇ, ଭରତ ଭୋଇ ଓ ଗୋରକେଲର ପ୍ରକାଶ ଭୋଇଙ୍କ ସହ ସେଠାରେ ଇଟା କମ୍ପାନୀରେ କାମ କରୁଥିଲେ । ଏଠାରେ ଦିନ ମଜୁରିରେ କମ ଟଙ୍କା ମିଳୁଥିବାରୁ କୋଏମ୍ବାଟୁର ଯାଇଥିଲେ ଦାଦନ ଖଟି । ନିଜେ ଭୋକ ଉପାସରେ ରହି କାମ କରି ଗୁଡାଏ ଟଙ୍କା ଆଣିଲେ ପିଲାଛୁଆଙ୍କୁ ପାଠ ପଢାଇ ମଣିଷ କରିବେ ବୋଲି ଅନେକ ଆଶା ବାନ୍ଧି ବସିଥିଲେ ବନସିଂ । ହେଲେ ଭାଗ୍ୟ ବାମ ହେଲା । ବନସିଂ ମାଝୀ ହୃଦଘାତରେ ପ୍ରାଣ ହାରିଛନ୍ତି । ଦାଦନ ଖଟିବା ପାଇଁ ଯାଇଥିଲେ । ହେଲେ ଶବ ହୋଇ ଆଜି ଗାଁକୁ ଫେରିଛନ୍ତି । ଗାଁରେ ବାପା ମା, ସ୍ତ୍ରୀ ସାଙ୍ଗକୁ ତିନି ତିନି ଟା ଝିଅ ଅଛନ୍ତି । ଆମ୍ବୁଲାନ୍ସ ରାତି ୧୨ ଟାରେ ଗାଁରେ ଶବ ପହଞ୍ଚାଇ ଚାଲିଯିବା ପରେ ବୁଧବାର ସକାଳ ୫ ଘଣ୍ଟା ସମୟରେ ଗାଁ ମଶାଣି ସିଲଘାଟରେ ତାଙ୍କର ଦାହ ସଂସ୍କାର କରିଛନ୍ତି ପରିବାର ବର୍ଗ ଓ ବନ୍ଧୁ ସହୋଦର । ରବିବାର ୧୪/୭ ଦିନ ବନସିଂ କାମସାରି ବସାକୁ ଫେରିବା ପରେ ରାତିରେ ସାଙ୍ଗସାଥିଙ୍କ ମେଳରେ ଭୋଜନ ସାରିଲେ । ଏହାପରେ ତାଙ୍କୁ ହଠାତ ଛାତିରେ ଯନ୍ତ୍ରଣା ହେଲା । ଧିରେ ଧିରେ ଯନ୍ତ୍ରଣା ଏତେ ଯୋରରେ ହେଲାଯେ ସହିବା ଅସମ୍ଭାଳ ହୋଇପଡିଲା । ଖବର ପାଇ ଫ୍ଲାଏ ଆସ ଇଟା କମ୍ପାନୀର ମାଲିକ ମଧ୍ୟ ଆସିଲେ । ସାଙ୍ଗ ସାଥି ଓ କମ୍ପାନୀ ମାଲିକଙ୍କ ସହାୟତାରେ କୋଏମ୍ବାଟୁରର ସରକାରୀ ମେଡିକାଲକୁ ତାଙ୍କୁ ନିଆଗଲା । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୋମବାର ସକାଳେ ଗାଁକୁ ଖବର ଆସି ପହଞ୍ଚିଲା ।

ଖବର ପାଇ ବାଗପୁର ସରପଞ୍ଚ ଗୋପାଳ ହାତୀ ମୃତ ବନସିଂ ଘରକୁ ଯାଇ ତାଙ୍କ ବାପା, ମା,ସ୍ତ୍ରୀ ଓ ଛୁଆ ପିଲାଙ୍କୁ ଶାନ୍ତ୍ୱନା ଦେବା ସହ ନର୍ଲା ବିଧାୟୀକା ମନୋରମା ମହାନ୍ତିଙ୍କୁ ଯୋଗାଯୋଗ କରିଥିଲେ । ଶ୍ରୀମତୀ ମହାନ୍ତି ଏଘଟଣା ବିଷୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ମାଝୀଙ୍କୁ ଅବଗତ କରାଇ ସେଠାରୁ ଜାମପଡାକୁ ଶବ କେମିତି ଆସିବ ସେଥିପ୍ରତି ପଦକ୍ଷେପ ନେବାପାଇଁ ଅନୁରୋଧ କରିଥିଲେ । ନର୍ଲା ବିଧାୟୀକା ମନୋରମା ମହାନ୍ତୀ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡିଓ ରିପୁନାଥ ସୁନାଙ୍କ ପ୍ରଚେଷ୍ଟା ଓ କଳାହାଣ୍ଡି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଫଳରେ ସେଠାକାର ଶ୍ରମ ବିଭାଗ ତତ୍ପର ହୋଇ ଶବ ବ୍ୟବଚ୍ଛେଦରୁ ଆରମ୍ଭ କରି ଡାକ୍ତରଖାନାର ସମସ୍ତ ଆବଶ୍ୟକୀୟ କାଗଜପତ୍ର କାର୍ଯ୍ୟ ଓ ଆମ୍ବୁଲାନସ୍ ବ୍ୟବସ୍ଥା କରି କୋଏମ୍ବାଟୁରରୁ ମୃତକ ବନ ସିଂ ମାଝୀଙ୍କ ନିଜ ଜନ୍ମମାଟି ଜାମପଡାକୁ ଶବ ଆଣିବାର ସୁ-ବ୍ୟବସ୍ଥା କରାଇଥିଲେ । ମଙ୍ଗଳବାର ରାତି ୧୨ ଟା ରେ ଗାଁରେ ଆସି ଶବ ପହଞ୍ଚିବା ପରେ କ୍ରନ୍ଦନ ରୋଳରେ ଜାମପଡା ଗାଁ ଦାଣ୍ଡ ଫାଟି ପଡିଥିଲା । ବୁଧବାର ସକାଳ ୫ ଘଣ୍ଟା ସମୟରେ ଗାଁ ମଶାଣି ସିଲ ଘାଟରେ ଅନ୍ତିମ ସଂସ୍କାର କାର୍ଯ୍ୟ ସମାପନ ହୋଇଛି । ବାଗପୁର ସରପଞ୍ଚ ଗୋପାଳ ହାତୀ ହରିଶ୍ଚନ୍ଦ୍ର ଯୋଜନାରୁ ପରିବାରକୁ ୩,୦୦୦ ଟଙ୍କା ସହାୟତା ପ୍ରଦାନ କରିଥିବା ଜଣାପଡିଛି । ପିତା ମହେନ୍ଦ୍ର ମାଝୀଙ୍କ ୪ ପୁଅ ମଧ୍ୟରୁ ବନସିଂ ତୃତୀୟ ସନ୍ତାନ ହୋଇଥିବା ବେଳେ ଯିଏ ଯାର ପରିବାର ଧରି ଅଲଗା ରହୁଛନ୍ତି । ଏବେ ବିଧବା ସ୍ତ୍ରୀ ଏବଂ ତିନି ଛୁଆଙ୍କ ଭବିଷ୍ୟତ କଣ ହେବ ବୋଲି ବନସିଂଙ୍କ ମା ବାହୁନି ବାହୁନି କାନ୍ଦୁଛନ୍ତି । କର୍ମ ସଂସ୍ଥାନ ଯୋଗାଇବାରେ ବିଫଳ ଜିଲ୍ଲା ପ୍ରଶାସନ ପ୍ରତି କେବେ ସରିବ ଦାଦନ ଦୁଃଖ ବୋଲି ପ୍ରଶ୍ନ କରୁଛନ୍ତି ସ୍ଥାନୀୟ ଶ୍ରମଜୀବୀ ପାରିବାର ଲୋକେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.