ବାରବଖରାରେ ବ୍ୟାପିଛି ଝାଡ଼ାବାନ୍ତି; ସ୍ଥିତି ଅନୁଧ୍ୟାନ କଲା ପ୍ରଶାସନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଖୁଣ୍ଟିଆ ପଞ୍ଚାୟତର ବାରବଖରାରେ ଗତ କିଛିଦିନ ହେଲା ଝାଡ଼ାବାନ୍ତି ବ୍ୟାପିଥିବା ଜଣାପଡିଛି। ତେବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଗାଁରେ ଔଷଧ ବଣ୍ଟନ କରାଯାଉଛି। କିଛି ଆକ୍ରାନ୍ତ ମେଡିକାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି। ତେବେ ଆକ୍ରାନ୍ତ ମାନେ ଦୂଷିତ ପାଣି ପିଇ ଝାଡ଼ାବାନ୍ତି ହୋଇଥିବା ଖବର ଜାଣିବା ପରେ ରବିବାର କୋକସରା ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ଏସ୍ଇ, ସହକାରୀ ଯନ୍ତ୍ରୀ ଯଶୋବନ୍ତୀ ଭୋଇ, କନିଷ୍ଠ ଯନ୍ତ୍ରୀ ଫର୍ଣ୍ଣିନ୍ଦ୍ର ଆର୍କା, ମେଗା ପାନୀୟ ଜଳ ପ୍ରକଳ୍ପର କଂଟ୍ରାକ୍ଟର, ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବଂ ସିଡିଏମ୍ଓ ଏବଂ ଜଳ ଯୋଗାଣ ବିଭାଗ ସହିତ ଆଲେଚନା କରିଛନ୍ତି। ବର୍ତ୍ତମାନ ଗାଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଯୁଦ୍ଧ କାଳୀନ ଭିତ୍ତିରେ ପାଇପ୍ ପୋତିବା ଆରମ୍ଭ ହୋଇଥିବାବେଳେ ସୋମବାର ସୁଦ୍ଧା ପାଇପ୍ ଯୋଗେ ପାଣି ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରୁଥିବା ଜଣାପଡିଛି।

ଅନ୍ୟପଟେ ଆକ୍ରାନ୍ତ ଥିବା ଜଣେ ବୃଦ୍ଧ ପର୍ଲା ଡାକ୍ତରଖାନାରୁ ଧର୍ମଗଡ଼ ଯାଇଥିବାବେଳେ ସମ୍ପୂର୍ଣ୍ଣ ସୁସ୍ଥ ନହୋଇ ସେଠାରୁ ଘରକୁ ଚାଲି ଆସିଥିଲେ। ତେବେ ସ୍ବାସ୍ଥ୍ୟ ବିଭାଗ ତାଙ୍କୁ ପୁଣି କୋକସରା ଡାକ୍ତରଖାନା ନେବା ସମୟରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏନେଇ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ଶର୍ମିଲା ଛତ୍ରିଆଙ୍କୁ ପଚାରିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରିବା ସହ ଔଷଧ ବଣ୍ଟନ କରାଯାଇଛି। ପ୍ରତିଦିନ ମେଡିକାଲ ଟିମ୍ ସ୍ଥିତି ଅନୁଧ୍ୟାନ କରୁଛନ୍ତି, ନଦୀର ଦୂଷିତ ପାଣି ପିଇ ଲୋକେ ଝାଡ଼ାବାନ୍ତି ହୋଇଥିବା ଜଣାପଡିଛି, ବର୍ତ୍ତମାନ ଆକ୍ରାନ୍ତ ମାନେ ମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଥିବା କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.