ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଘୁଚାପ ପ୍ରଭାବରେ ଗତ ଛାରିଦିନ ଧରି କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳରେ ଝିପିଝିପି ବର୍ଷା ଲାଗିରହିଛି। ଘଡ଼ଘଡ଼ି ସହ ମଝିରେ ମଝିରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ତେବେ ଲଗାଣ ବର୍ଷା ଯୋଗୁଁ ବ୍ଳକର ଅନେକ ଲୋକଙ୍କ ଘର ମଧ୍ୟ ଭାଙ୍ଗିଥିବା ଜଣାପଡିଛି। ଶନିବାର ସନ୍ଧ୍ୟାରେ ବରାଡଙ୍ଗା ପଞ୍ଚାୟତ କେନ୍ଦୁଡଙ୍ଗରୀ ଗ୍ରାମର ଘନଶ୍ୟାମ ରାଉତଙ୍କ ଘର କାନ୍ଥ ଭୁଷୁଡି ଯାଇଛି। ତେବେ ଘର ଭିତରେ ଘନଶ୍ୟାମ ସମେତ ତାଙ୍କ ସ୍ତ୍ରୀ, ଜେଜେ ମା’ ଓ ତିନି ପିଲାଛୁଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘର ଭୁଷୁଡି ଯିବାରୁ ସେମାନେ ବେଘର ହୋଇ ବର୍ତ୍ତମାନ ଘର ବାହାରେ ରୋଷେଇ କରୁଥିବା ଦେଖିବାକୁ ମିଳୁଛି।

ସରକାରୀ ସହାୟତା ଯୋଗାଇ ଦେବା ସହ ବର୍ଷା ପାଣିରୁ ରକ୍ଷା ପାଇବା ପାଇଁ ବର୍ତ୍ତମାନ ପଲିଥିନ ଖଣ୍ଡିଏ ଯୋଗାଇ ଦେବାପାଇଁ ପ୍ରଶାସନଙ୍କୁ ପରିବାର ଲୋକେ ଗୁହାରି କରିଛନ୍ତି। ଅନ୍ୟପଟେ ଲଡୁଗାଁ ରାଜସ୍ୱ ନିରୀକ୍ଷକ କହିଛନ୍ତି, ଘନଶ୍ୟାମଙ୍କୁ ବର୍ତ୍ତମାନ ପଲିଥିନର ବ୍ୟବସ୍ଥା କରାଯିବ। ସେହିପରି କାଉଡୋଲା ପଞ୍ଚାୟତ ବାଞ୍ଜିବାହାଲ ଗ୍ରାମର ଅଶ୍ୱିନ ନାଏକଙ୍କ ଘର ମଧ୍ୟ ଲଗାଣ ବର୍ଷାରେ ଘର କାନ୍ଥ ଭୁଷୁଡି ପଡିଛି। ବର୍ତ୍ତମାନ ପରିବାର ଲୋକ ବହୁ କଷ୍ଟରେ ବସବାସ କରୁଛନ୍ତି। ଏନେଇ ଆମପାଣି ରାଜସ୍ୱ ନିରକ୍ଷକ କୃଷ୍ଣଚନ୍ଦ୍ର ଭୋଇଙ୍କୁ ପଚାରିବାରୁ ଖୁବ ଶୀଘ୍ର ପଲିଥିନ ଯୋଗାଇ ଦେବାପାଇଁ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.