ଜରୁରୀ କାଳୀନ ପରିସ୍ଥିତିର ମୁକାବିଲା ପାଇଁ ନୂତନ ପୋଲିସ କର୍ମଚାରୀଙ୍କୁ ତାଲିମ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଜରୁରୀକାଳୀନ ପରିସ୍ଥିତି ଏବଂ ବିପର୍ଯ୍ୟୟ ମୁକାବିଲା ସମୟରେ ପୋଲିସ ଅଗ୍ନିଶମ ସେବା କର୍ମଚାରୀଙ୍କୁ କି ପ୍ରକାର ସାହାଯ୍ୟ କରିପାରିବ ତାହାକୁ ନେଇ କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଅଗ୍ନିଶମ ବିଭାଗ ପକ୍ଷରୁ ନୂତନ ପୁଲିସ କର୍ମଚାରୀଙ୍କୁ ୭ ଦିନିଆ ତାଲିମ୍ ପ୍ରଦାନ କରାଯାଉଛି। ଏହି କ୍ରମରେ କୋକସରା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟଠାରେ ମଧ୍ୟ ନୂତନ ପୁଲିସ କର୍ମଚାରୀଙ୍କ ନିମନ୍ତେ ତାଲିମ ଶିବିର ଅନୁଷ୍ଠିତ ହୋଇଛି। କୋକସରା ଅଗ୍ନିଶମ ଅଧିକାରୀ ପ୍ରଶାନ୍ତ କୁମାର ବାଗଙ୍କ ନେତୃତ୍ବରେ କୋକସରା ପୁଲିସର ୧୫ ଜଣ ନୂତନ କର୍ମଚାରୀ ୭ଦିନ ଧରି ଏହି ତାଲିମ୍ ନେଉଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ସମୟରେ କେମିତି ମୁକାବିଲା କରିବେ, ନିଆଁ ଲଗିଲେ କେମିତି ଲିଭାଇବେ, ଲୋକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରିବେ ଏବଂ ନିଜେ ସୁରକ୍ଷିତ ରହିବେ, ଅଗ୍ନି ଉପକରଣ, ରେସକ୍ୟୁ ଉପକରଣ ଗୁଡିକ ନିଜେ କେମିତି ଚଳେଇ ପାରିବେ ସେ’ ନେଇ ତାଲିମ୍ ଦିଆଯାଉଛି। ତେବେ ଆଜିର ବିଷୟ ଉଚ୍ଚ ଅଟ୍ଟାଳିକାରୁ କେମିତି ଉଦ୍ଧାର କରିବେ ସେ ବିଷୟରେ ତାଲିମ୍ ପ୍ରଦାନ କରାଯାଇଥିଲା। ୭ଦିନ ଧରି ଏହି ତାଲିମ୍ ଶିବିର ହେବାକୁ ଥିବାବେଳେ ପ୍ରତିଦିନ ଭିନ୍ନ ଭିନ୍ନ ବିଷୟବସ୍ତୁ ଉପରେ ତାଲିମ୍ ପ୍ରଦାନ କରାଯିବା ନେଇ ସୂଚନା ରହିଛି। ଓଆସି ପ୍ରଶାନ୍ତ କୁମାର ବାଗଙ୍କ ସମେତ ସହଯୋଗୀ ମନୋଜ କୁମାର ବିଶ୍ୱାଳ, ବାସୁଦେବ ଭୋଇ, ଦିଗମ୍ବର ଶବର ପ୍ରମୁଖ ନୂତନ ପୁଲିସ କର୍ମଚାରୀଙ୍କୁ ତାଲିମ୍ ପ୍ରଦାନ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.