ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ବିବିନା ଅସ୍ଥାୟୀ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ସଇଁତଲା ବିଡ଼ିଓ ବିନୟ କୁମାର ଭୋଇଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।ଏହି ଶୁଣାଣୀରେ ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଛକୋରବାଞ୍ଜି ଗ୍ରାମବାସୀ ମାଟି ଉନ୍ନତିକରଣ କାର୍ଯ୍ୟ କରିଥିଲେ ସୁଦ୍ଧା ବର୍ତମାନ ପର୍ଯ୍ୟନ୍ତ ତାଙ୍କର ବକେୟା ପାଉଣା ମିଳିନାହିଁ ବୋଲି ବିଡ଼ିଓଙ୍କ ଠାରେ ଅଭିଯୋଗ କରିଥିଲେ। ସେହିପରି ଦୀର୍ଘ ଦିନ ହେଲା ପଞ୍ଚାୟତ ଗୃହ ନିର୍ମାଣରେ ବିଳମ୍ବକୁ ନେଇ ସ୍ଥାନୀୟ ନାଏବ ସରପଞ୍ଚ ସୁବନ୍ତି ବାରିକ, ଲବଙ୍ଗ ଭୋଇ, ଗୀତାଞ୍ଜଳି ନାଗ, ଅର୍ଣ୍ଣ ଭୋଇ, ବୈଷ୍ଣବ ସାଗର, ଅନାଦି ରଣା, ମିଥିଲା ଭାଟି, ମାଳତୀ ସାଗର ଓ ପ୍ରହଲ୍ଲାଦ ପ୍ରଧାନ ପ୍ରମୁଖ ବିଡ଼ିଓଙ୍କୁ ଶୀଘ୍ର କରାଯାଉ ବୋଲି ଦାବୀ କରିଥିଲେ। ଏପରିକି ଜାମପଦର ଗାଁରେ ଥିବା ବିଦ୍ୟାଳୟ ଗୃହଗୁଡିକ ଶୋଚନୀୟ ହୋଇ ପଡ଼ିଥିବା ବେଳେ ଶୀଘ୍ର ମରାମତି କରାଯାଉ ବୋଲି ହରି ଭାଟି ଓ ଅନ୍ୟ ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହି ପଞ୍ଚାୟତର ବିବିନା ଓ ତେତେଲପଦର ରାସ୍ତା ଦେଇ ଲାନ୍ଥ ନଦୀକୁ ସଂଯୋଗ କରୁଥିବା ବେଳେ ପ୍ରତି ଦିନ ଶହ ଶହ ଲୋକ ଯିବା ଆସିବା କରୁଥିବା ବେଳେ ସେଠାରେ ଏକ କଲଭର୍ଟ ବ୍ୟବସ୍ଥା ପାଇଁ ଅଭିଯୋଗ କରିଥିଲେ। ଏହି ଶୁଣାଣିରେ ମୁଖ୍ୟତଃ ଆବାସ ଯୋଜନାରେ ଅଧିକାଂଶ ହିତାଧିକାରୀ ଆବେଦନ କରିଥିବା ବେଳେ ବହୁ ଗରିବ ହିତାଧିକାରୀମାନେ ରେସନ କାର୍ଡ ପାଇଥିବା ବେଳେ ପରିବାରର ଅନେକ ସଦସ୍ୟମାନଙ୍କ ନାମ ନ ଥିବାରୁ ଚାଉଳ ପାଇବାରୁ ବଞ୍ଚିତ ହେଉଥିବାରୁ ବିଡ଼ିଓଙ୍କ ଠାରେ ଗୁହାରି କରିଥିଲେ। ଏପରିକି ଗାଈ ଗୁହାଳ, ଭତ୍ତା ମଧ୍ୟ ବହୁ ହିତାଧିକାରୀ ବାଦ ପଡ଼ିଥିବା ଅଭିଯୋଗ ହୋଇଛି। ଏହି ଶୁଣାଣିରେ ପ୍ରତ୍ୟେକ ପଞ୍ଚାୟତରେ ପ୍ରତି ସୋମବାର ଦିନ ହେଉଥିବା ବେଳେ ପ୍ରଚାର ପ୍ରସାର ଅଭାବ ଯୋଗୁଁ କମ ସଂଖ୍ୟାକ ହିତାଧିକାରୀମାନଙ୍କୁ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ବ୍ଲକ ପ୍ରଶାସନ ତରଫରୁ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଚିଠି ହୋଇଥିବା ବେଳେ ପୋଲିସ, ବନ ବିଭାଗ, କେନ୍ଧୁଲିପ ବିଭାଗ , ସ୍ୱାସ୍ଥ୍ୟ ବିଭାଗ ଓ ରାଜସ୍ୱ ବିଭାଗର କୋଣସି ଅଧିକାରୀ କିମ୍ବା କର୍ମଚାରୀମାନଙ୍କ ଦେଖା ଦର୍ଶନ ମିଳି ନ ଥିଲା। ଯାହା ଫଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏଥିରେ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ବେହେରା, ସାମାଜିକ ସୁରକ୍ଷା ଅଧିକାରୀ ଭାନୁ ପ୍ରତାପ ଭୋଇ, ଅତିରିକ୍ତ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ , ଏପିଓ ବନଜା ବାସିନୀ ଦାସ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ଉଦ୍ୟାନ ବିଭାଗର ଦେବବ୍ରତ ନାୟକ, ମସ୍ୟ ବିଭାଗର ସୁଜିତ ମହାନ୍ତି, ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ କିରଣ ପାଣିଗ୍ରାହୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଖଗେଶ୍ୱର କମ୍ପ, କୃଷି କର୍ମଚାରୀ ଅଳକା ସାମଲ, ଯୋଗାଣ ବିଭାଗ ଡିଓ ସରୋଜ ସାହୁ, ସ୍ଥାନୀୟ ସରପଞ୍ଚ ପୁରୁଷତ୍ତମ କଳତା, ଜିଆରଏସ ନାରାୟଣ ଗହୀର, ବିଏଲସି ବିଭାଗର ଝୁଲଣା ବାଗ, ୱାଟର ସେଟ ବିଭାଗର ପ୍ରଦୋଷ ସାହୁ, ରାଜକୁମାର ଧରୁଆ, ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ରୁଦ୍ର ନାରାୟଣ ସ୍ୱାଇଁ ଓ ସୁପରଭାଇଜର ଶୁଭମ ନାୟକଙ୍କ ସମେତ ବିଭାଗୀୟ କର୍ମଚାରୀମାନେ ସାମିଲ ଥିଲେ। ଏହି ଜନ ଶୁଣାଣିରେ ୧୨୨ ଜଣ ହିତାଧିକାରୀ ପଞ୍ଜିକୃତ କରିଥିଲେ।