ଆଜିଠୁ କଳାହାଣ୍ଡିରେ ନୋ ହେଲମେଟ୍ ନୋ ପେଟ୍ରୋଲ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ଅଗଷ୍ଟ ୧ ଠାରୁ ଲାଗୁ ହୋଇଛି ନୋ ହେଲମେଟ୍, ନୋ ପେଟ୍ରୋଲ ନିୟମ। ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏକ ଚିଠି ମାଧ୍ୟମରେ ଏହି ନିର୍ଦ୍ଦେଶ ନାମା ଜାରି କରିଛନ୍ତି। ଏହି ନିର୍ଦ୍ଦେଶକୁ ଜିଲ୍ଲାର ସବୁ ପେଟ୍ରୋଲ୍ ପମ୍ପରେ କାର୍ଯ୍ୟକାରୀ କରାଇବାକୁ ଜିଲ୍ଲା ଯୋଗାଣ ବିଭାଗକୁ ଚିଠି ଲେଖାଯାଇଛି। ଏଥିରେ ନିର୍ଦ୍ଦେଶ ଦିଆଯାଇଛି କି, କେବଳ ହେଲମେଟ୍ ପିନ୍ଧିଥିବା ଲୋକଙ୍କୁ ହିଁ ପେଟ୍ରୋଲ ଦେବାକୁ। ଅନ୍ୟପଟେ ପେଟ୍ରୋଲ ପମ୍ପରେ ଏହାର କାର୍ଯ୍ୟକାରିତାକୁ ତଦାରଖ କରିବାକୁ ଓ ହେଲମେଟ ପିନ୍ଧି ନଥିବା ବାଇକ୍ ଚଳକଙ୍କ ଉପରେ ନଜର ରଖିବାକୁ ଜିଲ୍ଲା ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗକୁ ଚିଠି କରି କୁହାଯାଇଛି। ତେବେ ଜାରି ହୋଇଥିବା ନିର୍ଦ୍ଦେଶ ଚିଠିରେ ଉଲ୍ଲେଖ ରହିଛି ଯେ ଦୁଇଚକିଆ ଗାଡ଼ିରେ ପେଟ୍ରୋଲ୍ ଭରିବା ସମୟରେ ଚାଳକ ଜଣକ ହେଲମେଟ୍ ପିନ୍ଧିଛନ୍ତି କି ନାହିଁ ପେଟ୍ରୋଲ୍ ପମ୍ପ ମାଲିକମାନେ ନଜର ରଖିବେ।

ଯଦି କୌଣସି ଚାଳକ ହେଲମେଟ୍ ପିନ୍ଧି ନାହାନ୍ତି, ତେବେ ତାଙ୍କୁ କୌଣସି ପରିସ୍ଥିତିରେ ବି ପେଟ୍ରୋଲ୍ ଦିଆଯିବ ନାହିଁ। ଆଉ ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ପେଟ୍ରୋଲ୍ ପମ୍ପ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯିବ। ତେବେ କଳାହାଣ୍ଡି ଜିଲାରେ ବଢୁଥିବା ସଡ଼କ ଦୁର୍ଘଟଣା ଓ ଏଥି ଜନିତ ମୃତ୍ୟୁର ନିୟନ୍ତ୍ରଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ପଦକ୍ଷେପ ନିଆଯାଉଛି। ମାତ୍ର ଏହାର ନିରାକରଣ ହୋଇପାରୁ ନାହିଁ। ଖାସ୍ କରି ବିନା ହେଲମେଟ ବାଇକ୍ ଚାଳକଙ୍କ କ୍ଷେତ୍ରରେ ଅଧିକ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହେଉଥିବା ନେଇ ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସୁରକ୍ଷିତ ଗାଡ଼ି ଚାଳନା ଦିଗରେ ଲୋକଙ୍କୁ ସଚେତନ କରିବା ଏହାର ମୂଳଲକ୍ଷ୍ୟ । ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିଲେ ବି ଏହାକୁ ଚାଳକମାନେ ମାନିବାକୁ ନାରାଜ। ଏଥିପାଇଁ ଲୋକେ କିଭଳି ହେଲମେଟ୍ ପିନ୍ଧି ନିଜକୁ ସୁରକ୍ଷିତ ରଖିପାରିବେ, ସେ ଦିଗରେ ନିୟମକୁ କଡାକଡି କାର୍ଯ୍ୟକାରୀ କରାଯିବ। ନିୟମ ଉପରେ ଖିଲାପ ହେଲେ ପେଟ୍ରୋଲ ପମ୍ପ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.