ରିଜର୍ଭ ବ୍ୟାଙ୍କ ତରଫରୁ ମଦନପୁର ରାମପୁରରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତା ତଥା ସାଧନ ନୂଆଦିଲ୍ଲୀ ଓ ସମ୍ପର୍କ ଫିନ୍ ସର୍ଭିସେସ୍ ଭୁବନେଶ୍ୱରର ମିଳିତ ସହଯୋଗରେ ମଦନପୁର ରାମପୁର ବ୍ଲକ ସମ୍ମିଳନୀ ଗୃହ ଠାରେ ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା, ସମିତି ସଭ୍ୟା ପ୍ରତିମା ମାଝୀ, ମିଶନ ଶକ୍ତି ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ସତ୍ୟବାନ ସାହୁ, ଆଇଆଇଏଫଏଲ ପରିଚାଳକ ସୁନିଲ ପଧାନ, ଅଭିଷେକ ମିଶ୍ର, ଏମବିକେ ଗାୟତ୍ରୀ ପୁଝାରୀ ଓ ମହାଶକ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ସଦସ୍ୟ ତଥା ତାଲିମ ଦାତା ପ୍ରକାଶ ଚନ୍ଦ୍ର ସାହୁ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି କର୍ମଶାଳାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବିଭିନ୍ନ ବ୍ୟାଙ୍କ୍ ଓ ଆର୍ଥିକ ଅନୁଷ୍ଠାନରୁ ପାଇଥିବା ଋଣର ଉଚିତ୍ ବିନିଯୋଗ, ବ୍ୟବସାୟ ପାଇଁ ଆବଶ୍ୟକତା ଅନୁଯାୟୀ ଋଣ ଦରଖାସ୍ତ, ରୋଜଗାର ଭିତ୍ତିକ ବ୍ୟବସାୟର ଆୟରୁ ଋଣ କିସ୍ତି ଫେରସ୍ତ ତଥା ଅତ୍ୟଧିକ ଋଣ ଭାରଗ୍ରସ୍ତ ନହେବା ଇତ୍ୟାଦି ବିଷୟରେ ବିଶଦ ଭାବେ ଆଲୋଚନା କରାଯାଇଥିଲା। କର୍ମଶାଳାରେ ଡିଜିଟାଲ ମାଧ୍ୟମରେ ଟଙ୍କା ଆଦାନ ପ୍ରଦାନ କରୁଥିଲେ ଆବଶ୍ୟକ ସତର୍କତାର ବିଭିନ୍ନ ଦିଗ ବିଷୟରେ ସମ୍ବଳ ବ୍ୟକ୍ତିମାନେ ଅଂଶ ଗ୍ରହଣକାରୀ ମାନଙ୍କୁ ବୁଝାଇଥିଲେ।

ବିଭିନ୍ନ ଅଜଣା ନମ୍ବରରୁ ଆସୁଥିବା ଫୋନରେ ନିଜର କୌଣସି ଗୋପନୀୟ ତଥ୍ୟ ନ ଦେବାପାଇଁ ସୂଚନା ଦିଆଯାଇଥିଲା। ପରିବାରର ବାର୍ଷିକ ଆୟ ଓ ବ୍ୟୟ ଅଟକଳ ଯୋଜନା କରି ଆୟ ଅନୁଯାୟୀ ବ୍ୟୟ କଲେ ହିଁ ପରିବାରର ଆର୍ଥିକ ସ୍ଥିତି ସୁଦୃଢ ହୋଇ ପାରିବ। ଭବିଷ୍ୟତରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚକୁ ଆକଳନ କରି ପରିବାରକୁ ଠିକ୍ ଭାବେ ପରିଚାଳନା କରିପାରିବେ। ପ୍ରକାଶ ଚନ୍ଦ୍ର ସାହୁ ଓ ସୁଶ୍ରୀ ମମିତା ପୁଝାରୀ ତାଲିମ୍ ପ୍ରଦାନ କରିଥିଲେ। ମମିତା ପୁଝାରୀ, କୌଶଲ୍ୟା ସାହୁ, ବାସନ୍ତୀ ସାହୁ, ସବିତା ସ୍ବାଇଁ, ଗାୟତ୍ରୀ ପୁଝାରୀ, ଏମବିକେ ଓ ମିଶନ ଶକ୍ତିର କର୍ମ କର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି କର୍ମଶାଳାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ, ଗୋଷ୍ଠୀ ସହାୟିକା, ଚାଷୀ ଓ ମିଳିତ ଉତ୍ତର ଦାୟୀ ଗୋଷ୍ଠୀ ରୁ ୬୯ ଜଣ ସଦସ୍ୟା / ସଦସ୍ୟ ଅଂଶ ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.