“ଆକାଶେ ଉଦେ ନିଶାକର। ଗୋବିନ୍ଦ ଉଦରୁ ବାହାର।।
ନୀଳଜୀମୂତ ଦେହକାନ୍ତି। ବଳୟ ମଣି ଝଟକନ୍ତି।।
ପୀତ ବସନ କଟି ଶୋହେ। ରୂପ କୋଟିଏ କାମ ମୋହେ।।
କଟି ମେଖଳା ସୁନା ସୁତା। ହୃଦରେ ପଦକ ପଇତା।।
କିରଟୀ କୁଣ୍ଡଳ କଙ୍କଣ। ପାଦେ ନୂପୂର ରୁଣଝୁଣ।।
ଦିଶଇ ଶଙ୍ଖ ଚକ୍ର ତେଜ। ମର୍କତ ସ୍ତମ୍ଭ ଚତୁର୍ଭୂଜ।।
ଗଦା କମଳ ଶଙ୍ଖ ଚକ୍ର। ଅଧର ଓଷ୍ଠ ରଙ୍ଗ ନେତ୍ର।।
ଶ୍ରୀବତ୍ସ ଚିହ୍ନ ହୃଦେ ଶୋହେ। ରତ୍ନ ପାଦୁକା ବେନି ପାୟେ।।
ଅପୂର୍ବ ରୂପ ଯୋଗେଶ୍ବର। ଦେବ ମାନବେ ଅଗୋଚର।।
ହରି ଚରିତ ସୁଧାବାଣୀ। ଶୁଣି ନିର୍ମଳ ହୁଅ ପ୍ରାଣୀ।।
କୃଷ୍ଣର ଜନ୍ମ ରସ ସାର। ଶୁଣି ସଂସାରୁ ହୁଅ ପାର।।
ପରୀକ୍ଷିତକୁ କହେ ମୁନି। ଗୀତେ ମୁଁ ବିରଚିଲି ଆଣି।।
ପୁରାଣ ଶିରୀ ଭାଗବତ। କହଇ ବିପ୍ର ଜଗନ୍ନାଥ।।”
ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ଯ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା,ବସୁଦେବଙ୍କ ଗୋଡରୁ ବେଡି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଚୈତନ୍ୟଙ୍କ ଅଚିନ୍ତ୍ୟ ଭେଦାଭାବ ଦର୍ଶନ ମତରେ – ଶ୍ରୀକୃଷ୍ଣ ହେଉଛନ୍ତି ଅଚ୍ୟୁତ। ଅର୍ଥାତ ଜୀବଜଗତର କାହାଠାରୁ ସେ ବିଚ୍ୟୁତ ନୁହନ୍ତି। ଜୀବ ମଧ୍ୟ ଶ୍ରୀକୃଷ୍ଣଙ୍କ ସେବକ ଭାବରେ ନିତ୍ୟ ଦାସ। ହରି ଶରଣାଗତ ଗୃହୀ ତଥା ଗୃହତ୍ୟାଗୀଙ୍କ ପକ୍ଷରେ ନାମ-ଭକ୍ତି, ଏକ ସମୟରେ ପରିବାର ପୋଷଣ ସହିତ ହରି ଭଜନ କରିବାର ସୁଗମ ପନ୍ଥା।