ଲୀଳା ପୁରୁଷୋତ୍ତମ ଯଦୁପତି ଶ୍ରୀକୃଷ୍ଣ 

ଭଗବାନ କୃଷ୍ଣ ଅନ୍ୟ ହିନ୍ଦୁ ଦେବାଦେବୀଙ୍କଠାରୁ ଅଧିକ ଆଦରଣୀୟ ଏବଂ ଲୋକପ୍ରିୟ ଦେବତା ମଧ୍ୟରେ ଅନ୍ୟତମ। ଅବତାର ଅର୍ଥ ଅବତୀର୍ଣ୍ଣ ହେବା, ଭକ୍ତମାନଙ୍କୁ ଦିବ୍ୟାନନ୍ଦ ପ୍ରଦାନ ନିମିତ୍ତ ଓ ଭଗବତ ଧର୍ମ ଠିକ ସ୍ଥାନରେ ଲାଗି ଦେବକୀଙ୍କ ଗର୍ଭରୁ ଶ୍ରୀକୃଷ୍ଣ ଜନ୍ମ ନେଇଥିଲେ। ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ସ୍ୱରୂପରେ ମାତାପିତାଙ୍କୁ ଦର୍ଶନ ଦେଇଥିଲେ। ବାଳକ ରୂପରେ ଲୀଳା ଛଳରେ ଦୈତ୍ୟମାନଙ୍କୁ ସ୍ୱଧାମକୁ ପଠେଇ ପୃଥିବୀର ପାପ ଭାର ଲାଘବ କରିଥିଲେ। ବ୍ରହ୍ମା, ଶଙ୍କର ସନକାଦି ମୂନିଋଷିଙ୍କର ପୂଜ୍ୟ ହୋଇମଧ୍ୟ ସାଧାରଣ ବାଳକ ପରି ଲୀଳା କରୁଥିଲେ। ମାନବ ଜାତିର ଉନ୍ନତିକଳ୍ପେ ଭଗବାନ ଶ୍ରୀକୃଷ୍ଣ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ଲୀଳା କରିଥିଲେ। ମହାଭାରତ ଯୁଦ୍ଧକୁ ଏଡେଇବା ପାଇଁ ଶାନ୍ତିର ବାର୍ତ୍ତାନେଇ ଦୁର୍ଯ୍ୟୋଧନଙ୍କ ନିକଟକୁ ଗମନ କରିଥିଲେ। ଏଠାରେ ପଂରବ୍ରହ୍ମ ଶ୍ରୀକୃଷ୍ଣ ଶାନ୍ତିଦୂତର ଭୂମିକା ନିଭାଇ ଥିଲେ। ମହାଭାରତ ଯୁଦ୍ଧକ୍ଷେତ୍ରରେ ଅର୍ଜୁନଙ୍କ ରଥର ସାରଥୀହେଇ ରଥକୁ ସୁଚାରୁ ରୂପେ ଚାଳନା କରିଥିଲେ। ଯୁଦ୍ଧର ପ୍ରାରମ୍ଭରେ ନିଜର ଜ୍ଞାତି କୁଟୁମ୍ବମାନଙ୍କୁ ଅବଲୋକନ କରି ଅର୍ଜୁନଙ୍କ ମନରେ ବିଷାଦ ଆସିଥିଲା ଓ ଯୁଦ୍ଧ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ ମନାକରିଦେଇଥିଲେ। ଏଠାରେ ଭଗବାନ ଗୁରୁ ରୂପରେ ଅବତୀର୍ଣ୍ଣ ହେଇ ଅର୍ଜୁନଙ୍କୁ ଗୀତାଜ୍ଞାନ ପ୍ରଦାନ କରି ଧର୍ମସ୍ଥାପନ ପାଇଁ ଯୁଦ୍ଧ କରିବାଲାଗି ତାଙ୍କୁ ମନେଇବାରେ ସକ୍ଷମ ହେଇଥିଲେ। କୂଟନୀତି ପ୍ରୟୋଗ କରି ପାଣ୍ଡବମାନଙ୍କୁ ଯୁଦ୍ଧରେ ଜିତାଇଥିଲେ।ଏଠାରେ ତାଙ୍କୁ ବିଚକ୍ଷଣ କୂଟନୀତିଜ୍ଞ ରୂପରେ ମାନ୍ୟତା ଦିଆଯାଏ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ନିମିତ୍ତମାତ୍ର କରି ମାନବ ସମାଜକୁ ଯେଉଁ ସାଂଖ୍ୟଯୋଗ, କର୍ମଯୋଗ, ଜ୍ଞାନଯୋଗ ଓ ଭକ୍ତିଯୋଗ ଶିକ୍ଷାପ୍ରଦାନ କରିଛନ୍ତି, ତାହାକୁ ପାଥେୟ କରି ବିଷୟାସକ୍ତ ଅଜ୍ଞାନ ଜୀବ ନିଜର ସାଧାରଣ ଜୀବନରେ ବାସ୍ତବ ସମସ୍ୟାକୁ ଉପଲବ୍ଧି କରି ନିଜକୁ ଉଦ୍ଧାର କରୁଛନ୍ତି। ଏହା ଶ୍ରୀମଦ ଭଗବତ ଗୀତା ନାମରେ ବିଶ୍ୱ ବିଖ୍ୟାତ। ଶ୍ରୀମଦ ଭଗବତ ଗୀତା ବିଶ୍ୱ ସାହିତ୍ୟ ଭଣ୍ଡାରରେ ଏକ ଅନନ୍ୟ ସ୍ଥାନ ଅଧିକାର କରିଛି। ଏଥିରେ ରଚିତ ହେଇଥିବା ଭଗବାନ ଶ୍ରୀକୃଷ୍ଣଙ୍କର ମୁଖନିଃସୃତ ବାଣୀ ଦିବ୍ୟ ଓ ସନାତନ।
ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିକୁ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ବା ଜନ୍ମାଷ୍ଟମୀ ରୂପେ ପାଳନ କରାଯାଏ । ହିନ୍ଦୁମାନଙ୍କର ଏହା ହୋଇଛି ଏକ ମୂଖ୍ୟ ପର୍ବ। ବେଦବାଣୀ ଓ ଜ୍ୟୋତିଷ ଗଣନାନୁସାରେ ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗର ଶେଷ ଭାଗରେ ଧରାଧାମରେ ଅବତୀର୍ଣ୍ଣ ହେଇଥିଲେ। ତାଙ୍କର ଲୀଳା ଅବଧୀ ଥିଲା ୧୨୫ ବର୍ଷ ୭ ମାସ। ଯେଉଁ ଦିନ କୃଷ୍ଣଙ୍କର ପରଲୋକ ହେଲା ସେଦିନଠାରୁ କଳି ଯୁଗ ଆରମ୍ଭ ହେଇଛି ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୩୨୨୭ ପୂର୍ଣ୍ଣମାନ୍ତ ଭାଦ୍ର କୃଷ୍ଣ ଅଷ୍ଟମୀ ତିଥିରେ ତାଙ୍କର ଜନ୍ମ ହେଇଥିଲା। ଏହା ହିନ୍ଦୁ ପଞ୍ଜିକା ଅନୁସାରେ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏଇଦିନ ଲଗ୍ନରେ ରୋହିଣୀ ନକ୍ଷତ୍ର ରହିଥାନ୍ତି। ଏହା ଗ୍ରେଗୋରିଆନ (ଇଂରାଜୀ) କ୍ୟାଲେଣ୍ଡରରେ ସର୍ବଦା ଅଗଷ୍ଟ ୧୫ରୁ ସେପ୍ଟେମ୍ବର ୧୫ ଭିତରେ ହିଁ ଆସିଥାଏ। ଉତ୍ତର ଭାରତ ଓ ଦକ୍ଷିଣ ଭାରତରେ ଗଣନା ପଦ୍ଧତିର ବୈସମ୍ୟ ଯୋଗୁଁ ଏହାର ପାଳନ ଗୋଟିଏ ଦିନ ଆଗପଛ ହୋଇଥାଏ। ଯେପରିକି ୨୦୧୧ ମସିହାରେ ଉତ୍ତର ଭାରତରେ ଏହା ୨୨ ଅଗଷ୍ଟରେ ପାଳନ କରାଯାଇଥିଲେ ମଧ୍ୟ ଦକ୍ଷିଣ ଭାରତରେ (କେରଳାଦି ରାଜ୍ୟରେ) ୨୧ ଅଗଷ୍ଟରେ ପାଳିତ ହୋଇଥିଲା। ଭାଦ୍ର କୃଷ୍ଣାଷ୍ଟମୀ ଅର୍ଧରାତ୍ର ସମୟରେ ଜନ୍ମାଷ୍ଟମୀ ହିନ୍ଦୁ ଜଗତରେ ପାଳିତ ହୋଇଥାଏ। କିନ୍ତୁ ବିଷ୍ଣୁ ପୁରାଣରେ କୃଷ୍ଣଙ୍କର ଜନ୍ମ ଶ୍ରାବଣମାସ କୃଷ୍ଣ ଅଷ୍ଟମୀରେ ହୋଇଥିବାର ଉଲ୍ଲେଖ ରହିଛି। ମୁଖ୍ୟ ଚାନ୍ଦ୍ରମାସ ଓ ଗୌଣ ଚାନ୍ଦ୍ରମାସ ଗଣନା ଏ ପ୍ରଭେଦର କାରଣ ବୋଲି ଅନୁମେୟ। ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ବସୁଦେବ ଓ ଦେବକୀଙ୍କ ପୁଅରୂପେ ଧରାବତରଣ କରିଥିଲେ ଭଗବାନ କୃଷ୍ଣ। କଂସଦ୍ୱାରା ବନ୍ଦୀ ଭଗ୍ନୀ ଦେବକୀଙ୍କ ଗର୍ଭରୁ ବନ୍ଦୀଶାଳାରେ ଅର୍ଧ ରାତ୍ରୀରେ ରୋହିଣୀ ନକ୍ଷତ୍ର- ବୃଷରାଶିର ସଂଯୋଗ ସମୟରେ ଜନ୍ମ ଲାଭ କଲେ ଶ୍ରୀକୃଷ୍ଣ। ସେ ବନ୍ଦିଶାଳାରେ ମାତା-ପିତାଙ୍କୁ ଶ୍ରୀକୃଷ୍ଣ ଜଣାଇଥିଲେ ତାଙ୍କର ଧରାବତରଣ ଉଦ୍ଦେଶ୍ଯ। ସେ ଦୁଷ୍ଟ ଶକ୍ତିର ବିନାଶ ଓ ଧର୍ମ ପ୍ରତିଷ୍ଠା ନିମନ୍ତେ ମାନବ ରୂପ ଧାରଣ କରିଛନ୍ତି ଏବଂ ତାଙ୍କର ମାନବ ଲୀଳା ହିଁ ପୃଥିବୀରୁ ସମସ୍ତ ପ୍ରକାର କଳୁଷ ନାଶ କରିପାରିବ। ପୃଥିବୀକୁ କଂସର ଅତ୍ୟାଚାରରୁ ମୁକ୍ତ କରିବା ନିମନ୍ତେ ବ୍ରହ୍ମାଙ୍କ ସହ ଦେବଗଣଙ୍କ ଅନୁରୋଧ ରକ୍ଷାକରି ସେ ଜନ୍ମ ନେଇଛନ୍ତି। ଗୋପରେ ନନ୍ଦରାଜାଙ୍କ ଘରେ ବାଲ୍ୟ ଲୀଳା କରିବେ। ରାକ୍ଷସ ନିପାତ ପାଇଁ ତାଙ୍କୁ ନନ୍ଦରାଜାଙ୍କ ଘରେ ରହିବାକୁ ପଡ଼ିବ, ତେଣୁ ସେଠାରେ ଜନ୍ମ ନେଇଥିବା କନ୍ୟାକୁ ବନ୍ଦୀଶାଳାକୁ ଆଣି ତାଙ୍କୁ ନେଇ ଗୋପପୁରରେ ନନ୍ଦରାଜାଙ୍କ ଘରେ ସମସ୍ତଙ୍କ ଅଗୋଚରରେ ଥୋଇଦେଇ ଆସିବାକୁ ପିତାଙ୍କୁ କହିଲେ। ପରଂବ୍ରହ୍ମଙ୍କ ଆଜ୍ଞାକୁ ମାନି ପିତା ବସୁଦେବ ନବଜାତ ପୁତ୍ରକୁ କୋଳରେ ଧରି ଅନ୍ଧାର ରାତିରେ ବାହାରିଲେ। ଜଗନ୍ନାଥ ଦାସଙ୍କ ଭାଗବତରେ ବର୍ଣ୍ଣିତ କଥାମୃତ ଅନୁଯାୟୀ ବନ୍ଦୀଶାଳା ଦିବ୍ୟ ଆଲୋକରେ ଆଲୋକିତ ହେଇଗଲା, ବସୁଦେବଙ୍କ ଗୋଡରୁ ବେଡି ଖୋଲିଗଲା ଏବଂ ବନ୍ଦୀଶାଳାର ଦ୍ୱାର ମଧ୍ୟ ଆପେଆପେ ଖୋଲିଗଲା। ପ୍ରବଳ ବର୍ଷା ସାଙ୍ଗକୁ ଅନ୍ଧାର ରାତିରେ ବସୁଦେବ ପୁତ୍ରକୁ ନେଇ ଉଛୁଳି ଉଠୁଥିବା ଯମୁନା ନଦୀ ପାର ହେଇ ଗୋପପୁର ଗଲେ। ପ୍ରଭୁ ବର୍ଷାରେ ତିନ୍ତି ଯାଉଥିବାରୁ ବାଟରେ ନାଗରାଜା ଅନନ୍ତ ନିଜର ବିଶାଳ ଫଣା ଢାଙ୍କି ଚାଲିଲେ। ସବୁ ବାଧାବିଘ୍ନ ଅତିକ୍ରମ କରି ଶ୍ରୀକୃଷ୍ଣଙ୍କୁ ନେଇ ନନ୍ଦଘରେ ଛାଡିଥିଲେ ବସୁଦେବ। ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ପବିତ୍ର ଜନ୍ମ ଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ। ଭଗବାନ ବିଷ୍ଣୁଙ୍କ ଅବତାର ଶ୍ରୀକୃଷ୍ଣ। ସେ ହିଁ ମାଧବ, କେଶବ, ଗୋବିନ୍ଦ ଓ ଗୋପାଳ। ତାଙ୍କର ସହସ୍ର ନାମ ଓ ରୂପ। ଅନେକ ନାମ ଓ ରୂପରେ ସେ ହିଁ ଏକ, ଅର୍ଥାତ୍‌ ସେ ହିଁ କୃଷ୍ଣ। ଚୈତନ୍ୟଙ୍କ ଅଚିନ୍ତ୍ୟ ଭେଦାଭାବ ଦର୍ଶନ ମତରେ – ଶ୍ରୀକୃଷ୍ଣ ହେଉଛନ୍ତି ଅଚ୍ୟୁତ। ଅର୍ଥାତ ଜୀବଜଗତର କାହାଠାରୁ ସେ ବିଚ୍ୟୁତ ନୁହନ୍ତି। ଜୀବ ମଧ୍ୟ ଶ୍ରୀକୃଷ୍ଣଙ୍କ ସେବକ ଭାବରେ ନିତ୍ୟ ଦାସ। ହରି ଶରଣାଗତ ଗୃହୀ ତଥା ଗୃହତ୍ୟାଗୀଙ୍କ ପକ୍ଷରେ ନାମ-ଭକ୍ତି, ଏକ ସମୟରେ ପରିବାର ପୋଷଣ ସହିତ ହରି ଭଜନ କରିବାର ସୁଗମ ପନ୍ଥା। ଜୀବଜନ୍ତୁମାନେ ଆତ୍ମାରାମ ହୋଇ ମଧ୍ୟ ପ୍ରେମୀ ଭକ୍ତ ଭାବରେ ଶ୍ରୀକୃଷ୍ଣଙ୍କର ସେବାର୍ଚ୍ଚନା କରନ୍ତି। ବ୍ରଜାଙ୍ଗନା ମଧ୍ୟ ଭବବନ୍ଧନମୁକ୍ତ ନିତ୍ୟସିଦ୍ଧା ଥିଲେ। ସେମାନଙ୍କର ଜଡୀୟ ଗୁଣମୟ ଦେହଭାବ ଦୂର ହୋଇଥିଲା ଏବଂ ଯୋଗମାୟାଙ୍କଦ୍ୱାରା ସେମାନେ ଲାଭ କରିଥିଲେ ଅପ୍ରାକୃତ ସିଦ୍ଧ ଦେହ। ଶ୍ରୀଚୈତନ୍ୟଙ୍କ ଭାଷାରେ ଅଦୈୟ ଶ୍ରୀଜଗନ୍ନାଥ-ଶ୍ରୀକୃଷ୍ଣ ନୀଳାଚଳରେ ବିଦ୍ୟାମାନ। ତେଣୁ ନୀଳାଚଳ ଧାମ ପୁରୀ ହେଉଛି ମର୍ତ୍ତ୍ୟର ବୈକୁଣ୍ଠ ଧାମ। ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ ନୀତି ଅତିବ ସୁନ୍ଦର ଓ ମନୋରମ ଢଙ୍ଗରେ ପାଳିତ ହୁଏ। ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଶ୍ରୀମନ୍ଦିର ପରିସରରେ ପାଳିତ ହୁଏ ଜନ୍ମାଷ୍ଟମୀ ନୀତି। ସାନ୍ଧ୍ୟ ଧୂପ ଶେଷ ହେବା ପରେ ଜୟ ବିଜୟ ଦ୍ୱାର ବନ୍ଦ ହୁଏ। ସୁଧସୁଆର ଭିତର କାଠ ସମ୍ମୁଖକୁ ପୋଛା ମାରନ୍ତି। ପୂଜାପଣ୍ଡା ମୁରୁଜରେ ମଣ୍ଡଳ କାଟିବା ପରେ ଆରମ୍ଭ ହୁଏ ଜନ୍ମନୀତି। ମା’ ଷଠୀ ଓ ଷଷ୍ଠୀ ଦେବୀ ହେଉଛନ୍ତି ଶିଶୁମାନଙ୍କ ଦେବୀ। ଯେଉଁଥିପାଇଁ ଆମ ଘରମାନଙ୍କରେ ଜନ୍ମଦିନରେ ମା’ମାନେ ଷଠୀ ପୂଜା କରନ୍ତି। ଠିକ୍ ସେହିପରି ବଡ଼ ଦେଉଳରେ ବଡ଼ ଠାକୁରଙ୍କ ପାଇଁ ମଧ୍ୟ ଷଷ୍ଠୀ ପୂଜା ଅନୁଷ୍ଠିତ ହୁଏ। କଟାଯାଇଥିବା ମୁରୁଜ ମଣ୍ଡଳ ଉପରେ ଷଷ୍ଠୀ ଦେବୀ ଅବସ୍ଥାନ କରନ୍ତି। ତତ୍ପରେ ଭଦ୍ରମଣ୍ଡଳ ଉପରେ ଜନ୍ମପଟି ରଖାଯାଏ। ପୂଜାପଣ୍ଡା, ପତିମହାପାତ୍ର, ମୁଦିରସ୍ତ ସଂକଳ୍ପ ବାକ୍ୟ ପାଠ କରି ଜନ୍ମନୀତି ଆରମ୍ଭ କରନ୍ତି। ନଅଗୋଟି ପନ୍ତୀରେ ପ୍ରସାଦ ଲାଗି ଓ ତାମ୍ବୁଳ ଲାଗି ପରେ। ଦକ୍ଷିଣୀ ଘରୁ ଶ୍ରୀମଦନମୋହନଙ୍କୁ ରତ୍ନସିଂହାସନ ଉପରକୁ ବିଜେ କରାଯାଏ। ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇବା ପରେ ଶ୍ରୀମଦନମୋହନ ଭଦ୍ରମଣ୍ଡଳ ପାଖରେ ବିଜେ କରନ୍ତି। ପୂଜାପଣ୍ଡା ଗର୍ଭଉଦକ କର୍ମ କରି ଶୀତଳ ଭୋଗ ମଣୋହି କରିଥାନ୍ତି। ଏହାପରେ ଦୁଇଜଣ ମହାଜନ ଲୁଗା ଘୋଡାଇ ହୋଇ ଦେବକୀ ବସୁଦେବ ବେଶରେ ଜନ୍ମ ଚକଡ଼ାଠାରେ ଶ୍ରୀକୃଷ୍ଣଙ୍କୁ ଜନ୍ମ କରାଇଥାନ୍ତି। କର୍ପୁର ଆଳତି ଅନୁଷ୍ଠିତ ହୁଏ। ନାଭିକଟା ମଣ୍ଡପଠାରେ ଖଟ ଶେଜ ଉପରେ ଠାକୁର ବିଜେ କଲେ ପୂଜାପଣ୍ଡା ସେବକ କୁଶରେ ଶ୍ରୀ ମଦନମୋହନ (କୃଷ୍ଣ)ଙ୍କ ନାଭି ଛେଦନ କରିଥାନ୍ତି। ପଞ୍ଚାମୃତରେ ମହାସ୍ନାନ ବଢ଼ିଥାଏ। ଏହି ପରି ଭାବରେ ଶ୍ରୀମନ୍ଦିରରେ ସମ୍ପନ୍ନ ହୋଇଥାଏ ମହାପ୍ରଭୁଙ୍କ ଜନ୍ମନୀତି। ଭଗବାନ ଶ୍ରୀକୃଷ୍ଣ ପରମ ପବିତ୍ର ଯଦୁ ବଂଶରେ ଜନ୍ମଗ୍ରହଣ କରିଥିଲେ। ତେଣୁ ଯାଦବ ସଂପ୍ରଦାୟ ଅତି ଆନନ୍ଦ ଉଲ୍ଲାସର ସହ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ କରିଥାଆନ୍ତି। ମଠ ମନ୍ଦିର ମାନଙ୍କରେ ଏହିଦିନ ସ୍ବତନ୍ତ୍ର ଭାବେ ନିତି କାନ୍ତି ହେବା ସହ ଶ୍ରଦ୍ଧାଳୁମାନେ ଜନ୍ମାଷ୍ଟମୀ ବ୍ରତ ମଧ୍ୟ ପାଳନ କରିଥାନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.