ଆଦି ସଂସ୍କୃତିର ଆଦ୍ୟ ପାର୍ବଣ

ଆଦିମ ସମାଜର ପିତୃପୁରୁଷ ପୂଜା, ଡଙ୍ଗର ପୂଜା ଓ ଧର୍ମଦେବତା ପୂଜାରୁ ପରବର୍ତ୍ତି ସମୟରେ ସମସ୍ତ ଦେବତାମାନଙ୍କ ବିବର୍ତ୍ତନ ସମ୍ଭବ ହୋଇଛି। ସେହିପରି ଶିକାରଜୀବୀ ସମାଜରେ ଅରଣ୍ୟଦେବୀ ଭାବେ ଉପାସିତା ଧରିତ୍ରୀମାତା କୃଷିଜୀବୀ ସମାଜରେ କୃଷି ଆଧାରର ଦେବୀ ଭୂଦେବୀ ବା ଧର୍ନୀଦେବୀ ଭାବେ ପରିବର୍ତ୍ତିତ ହେଲେ। ଧର୍ନୀ ତତ୍ତ୍ୱରୁ ପରବର୍ତ୍ତୀ ସମୟରେ ମାତୃଦେବୀ / ଉପଦେବୀମାନଙ୍କର ବିବର୍ତ୍ତନ ହୋଇଥିଲା। ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ କୃତଜ୍ଞତା ସ୍ୱରୂପ କୃଷିଜୀବୀ ସମାଜ ଧର୍ନୀଦେବୀଙ୍କଠାରେ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଅର୍ପଣ ପୂର୍ବକ ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ।
ଭାରତ ସମେତ ବିଶ୍ୱର ଅନେକ ସ୍ଥାନରେ ଶସ୍ୟପୂଜା ବା ନବାନ୍ନ ଭକ୍ଷଣର ପାରମ୍ପରିକ ବିଧିବିଧାନ ଥିବାବେଳେ ପଶ୍ଚିମ ଓଡ଼ିଶା, ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଅଂଚଳରେ ଏହା ଏକ ମହାନ ଗଣଚେତନାର ପର୍ବ ରୂପ ନେଇ ସାମାଜିକ ସଂହତିର ଶ୍ରେଷ୍ଠ ଲୋକ ଅନୁଷ୍ଠାନ ଭାବେ ପାଳିତ ହୋଇଆସୁଛି। ପ୍ରାଚୀନ କାଳରୁ ଦକ୍ଷିଣ କୋଶଳର ଅବିଚ୍ଛେଦ୍ୟ ଅଂଶ ଥିବା ପଶ୍ଚିମ ଓଡ଼ିଶାର ଏକ ସମୃଦ୍ଧ ପରମ୍ପରା ରହିଆସିଛି। ପ୍ରାଗ୍ ଐତିହାସିକ ଯୁଗର ଗୁଡ଼ହାଣ୍ଡି ଗୁମ୍ଫାଚିତ୍ର ଓ ବିକ୍ରମଖୋଲ ଗୁହାଚିତ୍ର ସମେତ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ଶସ୍ୟପାତ୍ର ଓ ଏହି ତତ୍ତ୍ୱର ସଙ୍କେତ ଥିବା ପରିଦୃଶ୍ୟ ହୁଏ। ପ୍ରାଗ୍ଐତିହାସିକ ସମୟରୁ ଏଠାକାର ଆଦିମ ଜନଜାତି ଶସ୍ୟକୁ ଦେବୀଜ୍ଞାନରେ ପୂଜାର୍ଚ୍ଚନା ସହ ପିତୃପୁରୁଷ ସମେତ ଧର୍ନୀମାତାଙ୍କୁ କୃତଜ୍ଞତା ଜ୍ଞାପନ କରିଆସୁଛନ୍ତି। ସେଥିପାଇଁ ସେମାନଙ୍କ ମାନସତତ୍ତ୍ୱରୁ ନୂଆଖାଇ ପରି ଏକ ମହାପାର୍ବଣର ସୃଷ୍ଟି ହୋଇଛି।
ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟ ଓ ନୂତନ ପ୍ରସ୍ତର ଯୁଗର କୃଷିଜୀବୀ ମନୁଷ୍ୟର ମାନସପଟ୍ଟରେ ସୃଷ୍ଟି ହୋଇଥିବା ପ୍ରଥା, ପରମ୍ପରା, ଧାର୍ମିକ ରୀତିନୀତି ଓ ସାମାଜିକ ବ୍ୟବସ୍ଥାର ଏକ ସୁନ୍ଦର ଚିତ୍ର ନୂଆଖାଇ ପାର୍ବଣ ମାଧ୍ୟମରେ ଚିତ୍ରିତ ହୋଇଥାଏ। ନୂତନ ଶସ୍ୟ ଧର୍ନୀ ଦେବୀଙ୍କଠାରେ ଅର୍ପଣ କରି କୃଷକ ଭୂଦେବୀଙ୍କଠାରେ କୃତଜ୍ଞ ରହିବା ସହ ଏହି ମହାନ ପାର୍ବଣର ସୃଷ୍ଟି କରିଥିବା ପିତୃପୁରୁଷଙ୍କୁ ନୂଆଖାଇ ଅବସରରେ ଆବାହନ କରିବା ସହ ସେମାନଙ୍କ ଉଦ୍ଦେଶ୍ୟରେ ନୂତନ ଧାନରୁ ତିଆରି ପ୍ରସାଦ ଅର୍ପଣ କରି ସେମାନଙ୍କଠାରେ କୃତଜ୍ଞ ରହିଥାଏ।
ନୂତନ ପ୍ରସ୍ତରଯୁଗୀୟ ସଭ୍ୟତାରୁ ଆଜି ପର୍ଯ୍ୟନ୍ତ କୃଷିଜୀବୀ ମନୁଷ୍ୟ କୃଷିକର୍ମ ପାଇଁ ପରିବାର, ଗୋଷ୍ଠୀ ତଥା ସମାଜର ସାହାଯ୍ୟ ନେଇଆସିଛି। ସମସ୍ତଙ୍କ ସହଯୋଗରେ କୃଷକ ନୂତନ ଫସଲ ଉତ୍ପାଦନ କରିପାରୁଥିବାରୁ ସେ ତାର ଖୁସି ପରିବାର, ଗୋଷ୍ଠୀ ତଥା ସମାଜ ସହ ବ୍ୟକ୍ତ କରିବାର ଏକ ଅପୂର୍ବ ଅବସର ନୂଆଖାଇ ମାଧ୍ୟମରେ ପାଇପାରିଥାଏ। ଆଦିମ କାଳରୁ ମାନବର ଧର୍ମ ବିଶ୍ୱାସ ସହ ଜଡ଼ିତ ହୋଇଆସିଥିବା ଦେବାଦେବୀଙ୍କୁ ଏହି ପାର୍ବଣ ସମୟରେ  ପୂଜା ଆରାଧନାର ବ୍ୟବସ୍ଥା ରହିଛି।
ସାମାଜିକ ବ୍ୟବସ୍ଥାର ସଂରକ୍ଷକ ବୟୋବୃଦ୍ଧ ଜନତା ତଥା ଗ୍ରାମୀଣ ଜନତାର କୁଳପତି, ଦଳପତି, ଜାନୀ, ଝାଙ୍କର ଓ ଗଣାଙ୍କୁ ଏହି ପାର୍ବଣ ମାଧ୍ୟମରେ ପ୍ରଣାମ ଓ ଭେଟି ଦେଇ କୃତଜ୍ଞ ରହିଥାଏ। ତେଣୁ ନୂଆଖାଇ କୃତଜ୍ଞତା ଜ୍ଞାପନ କରିବାର ଏକ ମହାନ ପର୍ବ। କେଉଁଏକ ଆବାହମାନ କାଳରୁ ଚଳିଆସିଥିବା ନୂଆଖାଇ ପାର୍ବଣ ମାଧ୍ୟମରେ ସମାଜରେ ଏକ ସୁସ୍ଥ ବାତାବରଣ ତିଆରି ହୋଇଥାଏ। ନିଜନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ରାଗରୁଷା, ମାନ ଅଭିମାନ, ଏହି ପର୍ବ ଦିନ ପାଣି ଫୋଟକା ପରି ମିଳାଇଯାଏ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.