ସାଧାରଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀ ଚୟନ ପ୍ରକିୟା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଆସନ୍ତାବର୍ଷ ଜାନୁୟାରୀ ମାସରେ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣତନ୍ତ୍ର ଦିବସର ପରେଡରେ ଅଂଶଗ୍ରହଣ କରିବା ନିମନ୍ତେ ଉପଯୁକ୍ତ ଛାତ୍ରଛାତ୍ରୀଙ୍କୁ ଚୟନ କରିବା ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟର ଏନଏସଏସ ବିଭାଗ ଦ୍ବାରା ଏକ ଶିବିର ଆୟୋଜିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ଯକ୍ଷତାରେ ତଥା ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ଉପସ୍ଥିତିରେ ଏକ ବୈଠକ ବସି ଏହି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Omkar Vasthu
Omkar Vasthu

କୁଳପତି ପ୍ରଫେସର ତ୍ରିପାଠୀ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି କହିଥିଲେ ଯେ, ନିଜକୁ ପ୍ରସ୍ତୁତ କରି ଆବଶ୍ୟକ ସ୍ଥଳେ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବାର ପ୍ରୟାସ ନେଇ ରାଜ୍ଯ ତଥା ଜାତୀୟସ୍ତରରେ ବିଶ୍ୱବିଦ୍ୟାଳୟର ପରିଚୟ ସୃଷ୍ଟି କର। ଏଥିସହ ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ସୁବ୍ୟବସ୍ଥିତ ଓ ସୁଦୃଢ ବୋଲି ପ୍ରତିପାଦନ କରିବାର ସୁଯୋଗ ଲାଭ କରିବା ଆବଶ୍ୟକ। ଆଗ୍ରହ ଓ ଉଦ୍ୟମ ସହ ସମଷ୍ଟିଗତ ଭାବେ କାର୍ଯ୍ଯ କରିବାକୁ ସେ ପରାମର୍ଶ ଦେଇଥିଲେ। ସମସ୍ତ ପ୍ରତିଯୋଗୀଙ୍କ ମନୋବଳ ବଢ଼ାଇ ରାଜ୍ଯରେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିବା ପାଇଁ ଆହ୍ବାନ ଦେଇ ଅଭିନନ୍ଦନ ଜଣାଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଛାତ୍ରଛାତ୍ରୀଙ୍କ ଶାରୀରିକ ସୁସ୍ଥତାର ପରୀକ୍ଷଣ ପ୍ରକ୍ରିୟାର ଦାୟିତ୍ବରେ ବିଶ୍ବବିଦ୍ୟାଳୟର ପିଇଓ ସଂଗ୍ରାମ ବିଶୋଇ ଓ ଭାରତର ସେନା ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ହରିହର ସାହୁ ରହି ତଦାରଖ କରିଥିଲେ ଓ ତାଲିମ ଦେଇଥିଲେ।
ଏଥିସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ ପାଇଁ ଚୟନ ପ୍ରକ୍ରିୟା କ୍ରମରେ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜିତ ହୋଇଥିଲା। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ମହାବିଦ୍ୟାଳୟ ଗୁଡିକର ଛାତ୍ରଛାତ୍ରୀଙ୍କ ମଧ୍ଯରେ ଯୋଗ୍ୟବିବେଚିତ ଛାତ୍ରଛାତ୍ରୀଙ୍କୁ ରାଜ୍ଯର ବିଶ୍ୱବିଦ୍ୟାଳୟ ସ୍ତରରେ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ବୋଲି ସୂଚୀତ କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ଯ ଯେ, ବିଶ୍ବବିଦ୍ୟାଳୟ ସ୍ତରରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ଜୋନାଲ ସ୍ତରରେ ପୁଣି ପ୍ରତିଯୋଗିତାର ସମ୍ମୁଖୀନ ହୋଇ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ ଓ ଶେଷରେ ଜାତୀୟସ୍ତରରେ ଚୟନ ହୋଇ ୨୬ ଜାନୁୟାରୀ ୨୦୨୫ ରେ ଭାରତର ରାଜଧାନୀ ନୂଆଦିଲ୍ଲୀର ସମ୍ମାନସୂଚକ ପରେଡରେ ଅଂଶଗ୍ରହଣ କରିବାର ସୁଯୋଗ ନେଇପାରିବେ।

କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଡ଼କ୍ଟର ପ୍ରତିମା ପ୍ରଧାନ ଉପସ୍ଥିତ ହୋଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଏଥିରେ ବିଭିନ୍ନ ମହାବିଦ୍ୟାଳୟର ଏନଏସଏସ ପ୍ରୋଗ୍ରାମ ଅଫିସର ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର ଏନଏସଏସ ସଂଯୋଜକ ଡ଼କ୍ଟର ଅମୂଲ୍ଯ କୁମାର ଆଚାର୍ଯ୍ଯ ସଂଚାଳନ କରିଥିଲେ ଓ ବାଲେଶ୍ବର ଜିଲ୍ଲା ଏନଏସଏସର ଡିପିଓ ଗୌରାଙ୍ଗ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.