ରାଜକୋଟରୁ ଶବ ହୋଇ ଫେରିଲେ ଭାନପୁରର କପିଳାସ କଟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମର କପିଳାସ କଟା (୩୫) ଗତ ଫେବୃୟାରୀ ୧୦ରେ ଦାଦନ ଖଟିବା ପାଇଁ ଯାଇଥିଲେ ଗୁଜୁରାଟ ରାଜ୍ୟର ରାଜକୋଟ ରିଆଚୋକଡି ସହରକୁ। ସେ ସେଠାରେ ରାଜ ମିସ୍ତ୍ରୀ ଭାବରେ କାମ କରୁଥିଲେ। ଗତ ମାସ ୨୮/୮ ରେ ଜ୍ୱର ଯୋଗୁଁ ସେ ଅସୁସ୍ଥ ଅନୁଭବ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ଥାନୀୟ ଔଷଧ ଦୋକାନରୁ ଔଷଧ ସେବନ କରୁଥିଲେ। ଏମିତିରେ ତାଙ୍କୁ ମଝି ମଝିରେ ଜ୍ୱର ଲାଗି ରହୁଥିଲା। ତଥାପି ଦୈନନ୍ଦିନ ରାଜ ମିସ୍ତ୍ରୀ କାମ କରିବା ପାଇଁ ଯାଉଥିଲେ। ଗତ ଶୁକ୍ରବାର ତାଙ୍କୁ ବେଶୀ ଅସୁସ୍ଥ ଲାଗିବାରୁ ତାଙ୍କ ସାଙ୍ଗ ମାନେ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ ଚିକିତ୍ସା ପାଇଁ। ହେଲେ ସୋମବାର ସଂଧ୍ୟାରେ ସେ ଡାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଖବରରୁ ଜଣାପଡିଛି। ତାଙ୍କୁ ସେଠାରୁ ଆମ୍ବୁଲାନସ ଯୋଗେ ଅଣାଯାଇ ବୁଧବାର ବିଳମ୍ବିତ ରାତ୍ରୀରେ ଗାଁ ମଶାଣିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। କପିଳାସ ବହୁ ବର୍ଷରୁ ଦାଦନ ଖଟିବା ପାଇଁ ରାଜକୋଟ ଯାଇ ଆସୁଥିଲେ। ତାଙ୍କର ନିଜଘର ଲାଞ୍ଜିଗଡ ବ୍ଲକରେ ହୋଇଥିବା ବେଳେ ତାଙ୍କ ବାପା ମା ଙ୍କ ଦେହାନ୍ତ ହୋଇଯିବାରୁ ସେ ଦୀର୍ଘ ବର୍ଷରୁ ଭାନପୁର ନିଜ ମାଉସୀ ଘରେ ରହୁଛନ୍ତି। ତାଙ୍କ ମାଉସୀ ତାଙ୍କୁ ପିଲାଟି ବେଳୁ ରଖି ଲାଳନ ପାଳନ କରି ବାହା ମଧ୍ୟ କରାଇଥିବା ଜଣାପଡିଛି। ଏବେ ଭାନପୁର ତାଙ୍କ ମାଉସୀ ଘରେ ତାଙ୍କ ସ୍ତ୍ରୀ ଓ ଦୁଇ ଝିଅ ରହୁଥିବା ଜଣାପଡିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ନର୍ଲା ବିଧାୟୀକା ମନୋରମା ମହାନ୍ତି ଭୁବନେଶ୍ୱରରେ ରହିଥିଲେ ମଧ୍ୟ ପ୍ରଶାସନ ସହିତ ଯୋଗା ଯୋଗ କରି ରାଜକୋଟରୁ ଶବ ଆଣିବାର ବ୍ୟବସ୍ଥା କରାଇବା ସହିତ ପରିବାରକୁ ରେଡକ୍ରସ ପାଣ୍ଠିରୁ ୧୦,୦୦୦ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ବ୍ୟବସ୍ଥା ଏବଂ ନିଜ ପ୍ରତିନିଧି ଭାନପୁର ସରପଞ୍ଚ ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ ଓ ଯୁବ ନେତୃତ୍ୱ ତୁଳାପଡାର ଜତୀନ ନାଏକଙ୍କୁ ତାଙ୍କ ପରିବାରରଙ୍କ ନିକଟକୁ ପଠେଇ ତାଙ୍କ ସ୍ତ୍ରୀଙ୍କ ହାତରେ ୨୦,୦୦୦ ଟଙ୍କା ସହଯୋଗ ରାଶି ପ୍ରଦାନ କରିଥିବା ଜଣାପଡିଛି। ପରିବାର ବର୍ଗ, ବନ୍ଧୁ ସହୋଦରଙ୍କ କାନ୍ଦ ବୋବାଳିରେ ଫାଟିପଡୁଛି ଭାନପୁର ଗାଁ ଦାଣ୍ଡ। ପରିବାର ପ୍ରତିପୋଷଣ ପାଇଁ ରାଜକୋଟ ଯାଇଥିବା କପିଳାସ ଯୁବ ବୟସରେ ଶବ ହୋଇ ଗାଁକୁ ଫେରିଛନ୍ତି। କପିଳାସଙ୍କ ଦେହାନ୍ତରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.