ଧୃକୁଟି ଗାଁରେ ଜାତିଆଣ ଭେଦଭାବ ମାମଲା : ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା ସିଡ୍ୟୁଲଡ କାଷ୍ଟ ଫେଡେରେସନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଧୃକୁଟି ଗାଁରେ ସର୍ବସାଧାରଣ ପାଣି ଟେପରୁ ଦଳିତ ମହିଳାମାନେ ପାଣି ନେବାକୁ ବିରୋଧ କରିବାକୁ ନେଇ ବିବାଦ ଦେଖାଦେଇଥିଲା। ଧୃକୁଟି ଦଳିତ ପଡ଼ାରେ ନଳକୂଅ ଖରାପ ହେବାରୁ ପଡାର ମହିଳାମାନେ ପଡ଼ାକୁ ଲାଗି ଥିବା ପାଣି ଟେପରୁ ପାଣି ଆଣିବାକୁ ଯାଇଥିଲେ। କିନ୍ତୁ ସବର୍ଣ୍ଣ ଶ୍ରେଣୀର ଲୋକେ ଏହାକୁ ବିରୋଧ କରିବା ସହିତ ଗାଳିଗୁଲଜ, ମାରପିଟ କରି ରାସ୍ତା ବନ୍ଦ କରି ଦେଇଥିବା ଅଭିଯୋଗ ହୋଇଛି। ସବର୍ଣ୍ଣ ମାନେ ଜାତିଆଣ ଆକ୍ଷେପ କରିବା ଓ ରାସ୍ତା ବନ୍ଦ କରିଦେବା ଅଭିଯୋଗ ନେଇ ଦଳିତ ପଡ଼ାର ଲୋକେ ନର୍ଲା ଥାନାର ଦ୍ୱାରସ୍ତ ହୋଇଥିଲେ। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଏଟ୍ରୋସିଟି ଆଇନରେ ମାମଲା କରି ଜଣେ ଡିଏସପି ସ୍ତରୀୟ ଅଧିକାରୀଙ୍କୁ ତଦନ୍ତ ଭାର ଅର୍ପଣ କରିଥିଲା। ଏ ସମ୍ପର୍କରେ ପୀଡିତ ପରିବାର ଓ ପୁଲିସ ସହିତ ବରାବର ଯୋଗାଯୋଗ ରଖିବା ସହିତ ମାମଲାରେ ହସ୍ତକ୍ଷେପ କରିଥିଲା ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ। ଏପରିକି ଫେଡେରେସନର ମହାସଚିବ ତଥା ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ କୁମାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଧୃକୁଟି ଗାଁ ଗସ୍ତ କରିବା ସହିତ ଗ୍ରାଉଣ୍ଡ ଜିରୋରୁ ଏନେଇ ତଥ୍ୟ ସଂଗ୍ରହ କରିଥିଲେ। ଏହି ପ୍ରତିନିଧି ଦଳରେ ଫେଡେରେସନର କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ଆଇନଜୀବୀ ଋଷିସୂଦନ ଛତ୍ରପାଲ, ଉପସଭାପତି ଗୋପାଳଦାସ ମହାନନ୍ଦ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶୀଲ କୁମାର ବାଗ ପ୍ରମୁଖ ପୀଡିତ ପରିବାରର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ସେହିପରି ଧୃକୁଟି ଦଳିତ ପଡାର ପିଇବା ପାଣି ସମସ୍ୟା ସମ୍ପର୍କରେ ନର୍ଲା ବ୍ଲକ ପ୍ରଶାସନ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.