ନବଶକ୍ତି ଜାଗ୍ରତ ପାଇଁ ନବାର୍ଣ୍ଣ ମନ୍ତ୍ର ଜପ

ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ। ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ। ମୁଖ୍ୟତଃ ଶରତ ଋତୁର ଆଶ୍ଵିନ ଶୁକ୍ଲପକ୍ଷ ପ୍ରତିପଦ ଠାରୁ ନବମୀ ବିଶେଷଭାବେ ଦେବୀଙ୍କ ପୂଜନର ପ୍ରକୃଷ୍ଟ ସମୟ ହୋଇଥିଲେ ହେଁ ଚୈତ୍ର ଶୁକ୍ଲ ପକ୍ଷରେ ମଧ୍ୟ ଏହା ବାସନ୍ତୀ ନବରାତ୍ର ରୂପେ ପାଳନ କରାଯାଇଥାଏ। ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ। ଦେବୀ ଦୁର୍ଗା ଦୁଃଖନାଶିନୀ। ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି।
ଶାରଦୀୟ ନବରାତ୍ରୀ କାଳରେ ବ୍ରହ୍ମାଣ୍ଡର ସମସ୍ତ ଗ୍ରହ ସକ୍ରିୟ ଥିବାରୁ ଶକ୍ତି ଉପାସକଙ୍କର କୈଣସି ଅନିଷ୍ଟ ହୁଏନାହିଁ। ଦୁର୍ଗାଙ୍କର ଏହି ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି। ନବର ଅର୍ଥ ନଅ ଓ ଅର୍ଣ୍ଣର ଅର୍ଥ ଅକ୍ଷର। ନବାର୍ଣ୍ଣ ମନ୍ତ୍ରଟି ହେଉଛି – ଐଂ ହ୍ଲୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ। ଏହି ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ। ମହାଳୟା ଠାରୁ ପ୍ରକୃତ ଦୁର୍ଗା ପୂଜା ଆରମ୍ଭ ହୁଏ, କାରଣ ଏହି ଦିନ ଠାରୁ ଦୁର୍ଗାପୂଜା ମଧ୍ୟରେ ୧୦ ଦିନ ସମୟ ରହିଥାଏ, ଯାହା ପୁରାଣ ଶାସ୍ତ୍ରରେ ଦଶହରା ବୋଲି କୁହାଯାଇଛି। ପ୍ରକୃତ ପୂଜାବିଧି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ଦେଖିବାକୁ ମିଳେ। ମା’ଙ୍କୁ ସ୍ଵାଗତ କରିବାକୁ ଯାଇ ଷଷ୍ଠୀ ପୂଜାରେ ବେଲବରଣୀ କରାଯାଏ। ବେଲ ଗଛପାଖରେ ଏହି ପୂଜା ସମ୍ପନ୍ନ କରାଯାଏ। ଶେଷରେ ରାତ୍ରୀ କାଳରେ ମା’ଙ୍କ ଚକ୍ଷୁଦାନ ସମ୍ପନ୍ନ ହୁଏ। ଏହା ମା’ ଙ୍କ ବିଶେଷ ପୂଜାବିଧି। ସପ୍ତମୀରେ ନବପତ୍ରିକା ପୂଜା କରାଯାଏ, ଯେଉଁ ଥିରେ କଦଳୀ ଗଛକୁ ପୂଜା କରାଯାଏ। ଏହା ପରେ ମହାସ୍ନାନ ବିଧି ସମ୍ପନ୍ନ ହୁଏ। ଅଷ୍ଟମୀରେ ହୁଏ ମା’ ଙ୍କ ମୁଖ୍ୟ ସନ୍ଧିପୂଜା। ଏହି ଦିନ ମା’ ଙ୍କ ପାଖରେ ବଳି ଦିଆଯାଏ। ପୂର୍ବରୁ ଜୀବମାନଙ୍କୁ ବଳି ଦିଆଯାଉଥିଲା। ଆଜିକାଲି ଲାଉ, ପାଣିକଖାରୁ ଓ ବୋଇତିକଖାରୁ ବଳି ଦିଆଯାଉଛି। କଟକର ଅଲିଶାବଜାର, ଚାନ୍ଦିନୀ ଚୌକ ପ୍ରଭୃତି କେତେକ ପୂଜା କମିଟି ନବମୀ ପୂଜାରେ ବଡ଼ ଧରଣର ମାଛଭୋଗ କରିଥାନ୍ତି।
ଓଡ଼ିଶାର କେତେକ ଅଞ୍ଚଳରେ ଅପରାଜିତା ଫୁଲରେ ମା’ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦେବାକୁ ଯାଇ ସାହିର ମହିଳାମାନେ ଝିଅ ବିଦାକଲା ଭଳି କାନ୍ଦବୋବାଳି କରିଥାନ୍ତି। ଏହି ଦିବସର ପ୍ରମୁଖ ଭୋଗ ଦହି ପଖାଳ। ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ସାମ୍ରାଜ୍ୟର ରାଜା ଖ୍ରୀ:ପୂ ୩୦୦ରେ ଦୁର୍ଗାପୂଜା ଆରମ୍ଭ କରିଥିଲେ। କିନ୍ତୁ ଐତିହାସିକ ଉଦାହରଣରୁ ଜାଣିବାକୁ ମିଳେ ଚୈତନ୍ୟ ମହାପ୍ରଭୁ ପ୍ରାୟ ୪୦୦ ବର୍ଷ ପୂର୍ବେ କଟକରେ ଏହି ପୂଜା ଆରମ୍ଭ କରିଥିଲେ। କଟକ ରହଣି କାଳରେ ସେ ସ୍ଥାନୀୟ ବିନୋଦବିହାରୀ ପୀଠରେ ରହି ୧୫୦୯ ମସିହାରେ ପ୍ରଥମେ ମା’ଙ୍କ ଘଟପୂଜା ଆରମ୍ଭ କରିଥିଲେ। ଚୈତନ୍ୟ ଦେବଙ୍କ ସହିତ ଆସିଥିବା ଅନୁଗାମୀମାନଙ୍କ ମଧରୁ କେତେଜଣ ଏହି ପୂଜାକୁ ସାର୍ବଜନୀନ କରିବା ପାଇଁ ମା’ଙ୍କ ମୂର୍ତ୍ତି ପୂଜା ଆରମ୍ଭ କଲେ। ୧୮୩୨ ମସିହାରେ କାଜିବଜାରର କେତେକ ଓଡ଼ିଆ ଓ ବେଙ୍ଗଲୀ କର୍ମଜୀବୀ ଯେଉଁମାନେ ଇଂରେଜ ସରକାରଙ୍କ ଇଷ୍ଟ ଇଣ୍ଡିଆ କମ୍ପାନୀରେ କାମ କରୁଥିଲେ ସାର୍ବଜନୀନ ଭାବେ ମା’ଙ୍କ ମୂର୍ତ୍ତି ପୂଜାକଲେ। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.