ମହାଭାରତ ଯୁଦ୍ଧର ପ୍ରଥମ ଦିବସର କଥା। ଭଗବାନ୍ କୃଷ୍ଣ କୌରବଙ୍କ ଆଡେ଼ ଦୃଷ୍ଟିପାତକରି ଅର୍ଜୁନଙ୍କୁ କହିଲେ, “ହେ ମହାବାହୁ! ଯୁଦ୍ଧାରମ୍ଭ ପୂର୍ବରୁ ତୁମେ ପବିତ୍ର ହୋଇ ବିଜୟ ନିମନ୍ତେ, ମାଆ ଦୁର୍ଗାଙ୍କୁ ସ୍ତୁତି କରି ମାଆ ରଣଚଣ୍ଡୀ ଜୟଦୁର୍ଗାଙ୍କ ଆଶିର୍ବାଦ ଭିକ୍ଷା କର। ମାଆ ଶକ୍ତିମୟୀ କୃପା କଲେ, ତୁମେ ନିଶ୍ଚୟ ବିଜୟୀ ହେବ। ଭଗବାନ କୃଷ୍ଣଙ୍କ କଥାଶୁଣି ଅର୍ଜୁନ ରଥରୁ ଓହ୍ଲାଇ ପଡ଼ି ଯୋଡ଼ ହସ୍ତରେ ମାଆ ଦୁର୍ଗାଙ୍କ ସ୍ତବ କରିବାକୁ ଲାଗିଲେ। ଅର୍ଜୁନଙ୍କ ଭକ୍ତିରେ ତୁଷ୍ଟ ହୋଇ କରୁଣାମୟୀ ଜଗଜ୍ଜନନୀ ମାଆ ଦୁର୍ଗା ଅନ୍ତରୀକ୍ଷ ମାର୍ଗରେ ପ୍ରକଟିତ ହୋଇ କୌନ୍ତେୟଙ୍କୁ ଆଶୀର୍ବାଦ କଲେ, ହେ ପାଣ୍ଡୁ ନନ୍ଦନ! ତୁମେ ଖୁବ୍ ଶୀଘ୍ର ଶତ୍ରୁଙ୍କ ଉପରେ ବିଜୟ ପ୍ରାପ୍ତ ହେବ। ତୁମେ ସାକ୍ଷାତ ନର। ନାରାୟଣ ତୁମର ସହାୟ। ତୁମକୁ ସଂସାରରେ କୌଣସି ଶକ୍ତି ନାହିଁ ପରାଜିତ କରିବ। ତୁମେ ସ୍ଵୟଂ ବଜ୍ରଧାରୀ ଇନ୍ଦ୍ରଙ୍କ ପାଇଁ ମଧ୍ଯ ଅଜେୟ ରହିବ।” ଏପରି କହି ବରଦାୟିନୀ ଦେବୀ ବିଦ୍ୟୁତ୍ ପରି ଅନ୍ତର୍ଦ୍ଧାନ ହୋଇଗଲେ। ଦେବୀଙ୍କ ବର ପାଇ ଅର୍ଜୁନଙ୍କ ବିଜୟୀ ହେବାର ଆତ୍ମବିଶ୍ୱାସ ବଢ଼ିଗଲା। ସେଦିନ ଅର୍ଜୁନ କୁରୁକ୍ଷେତ୍ରରେ ମାଆ ଦୁର୍ଗାଙ୍କୁ ଯେଉଁ ସ୍ତୁତି କରିଥିଲେ ତାହା ଅର୍ଜୁନକୃତ ଦୁର୍ଗାସ୍ତବ ବୋଲି ବିଦିତ।