ମାନବବାଦର ଏକ ମୂର୍ତ୍ତିମନ୍ତ ପ୍ରତୀକ ହେଉଛି ମହିମା ଧର୍ମ ଆଉ ତା’ର ମହାନ ପ୍ରଚାରକ ହେଉଛନ୍ତି ସନ୍ଥକବି ଭୀମ ଭୋଇ। ଯଦିଓ ଭୀମ ଭୋଇଙ୍କ ଗୁରୁ ମହିମା ଗୋସାଇଁଙ୍କୁ ମହିମା ଧର୍ମର ପ୍ରକୃତ ପ୍ରତିଷ୍ଠାତା ବୋଲି କୁହାଯାଏ, ତେବେ ଭୀମଙ୍କ ଲିଖିତ ଆଧ୍ୟାତ୍ମିକ ପ୍ରାର୍ଥନାସବୁ ହିଁ ଉକ୍ତ ମତବାଦର ପ୍ରଚାର ପ୍ରସାରରେ ବେଶ୍ ସହାୟକ ହୋଇଥିଲା। ଭୀମ ଭୋଇଙ୍କ କବିତା ଓ ଦର୍ଶନ ସଂପର୍କରେ ଅନେକ କଥା ଜଣାଥିଲେ ମଧ୍ୟ ତାଙ୍କ ଜୀବନୀ ଏବେ ବି ରହସ୍ୟମୟ। ତାଙ୍କ ଜନ୍ମସ୍ଥାନ, ପିତାମାତା, ଶିକ୍ଷା ଆଦି ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଉପଲବ୍ଧ ନାହିଁ। ତେବେ ଏକଥା ନିଶ୍ଚିତ ଯେ, ସେ ଜାତିରେ କନ୍ଧ ଥିଲେ।
ପ୍ରାୟ ୧୮୫୦ ମସିହା ବେଳକୁ ସେ ଜନ୍ମଗ୍ରହଣ କରିଥିବା ବିଶ୍ୱାସ କରାଯାଏ। କେତେକ ଗବେଷକଙ୍କ ମତରେ ତାଙ୍କ ଜନ୍ମ ବର୍ଷ ୧୮୪୬। ତେବେ ବୈଶାଖ ପୂର୍ଣ୍ଣିମା ଦିନ ତାଙ୍କର ଜନ୍ମ ହୋଇଥିବା ସୂଚନା ମିଳେ। ତାଙ୍କର ପ୍ରାରମ୍ଭିକ ଜୀବନ ପଶ୍ଚିମ ଓଡ଼ିଶାର ରେଢ଼ାଖୋଲ ଓ ବୀରମହାରାଜପୁର ଅଞ୍ଚଳରେ କଟିଥିଲା। ତାଙ୍କ କବିତାମାନଙ୍କରେ ସେ ଇଙ୍ଗିତ କରିଛନ୍ତି ଯେ, ତାଙ୍କୁ ଚାରିବର୍ଷ ବୟସ ବେଳକୁ ସେ ଭିକ୍ଷା କରୁଥିବା ଜଣେ ସିଦ୍ଧଯୋଗୀଙ୍କ ଦେହରେ ଶଙ୍ଖ ଚକ୍ର ଚିହ୍ନ ଥିବା ଦେଖିଥିଲେ। ତାହା ହିଁ ଥିଲା ମହିମା ଗୋସାଇଁଙ୍କ ସହ ଭୀମଙ୍କ ପ୍ରଥମ ସାକ୍ଷାତ, ଯିଏକି ପରେ ତାଙ୍କ ଗୁରୁ ହୋଇଥିଲେ। ବୟସ ବଢ଼ିବା ସହ ଗରିବ ଅସହାୟ ଭୀମ ଲୋକଙ୍କ କ୍ଷେତଖଳାରେ କାମ କରିବା ଓ ଜଙ୍ଗଲରେ ଗାଈ ଚରାଇବା କାମରେ ନିୟୋଜିତ ହେଲେ। ମହିମା ଧର୍ମ ଗ୍ରହଣ କରିବା ପୂର୍ବରୁ ସେ ଜଣେ ଗୀତିକାର ଓ ଗାୟକ ଭାବେ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିସାରିଥିଲେ। ପଶ୍ଚିମ ଓଡ଼ିଶାର ରସର୍କେଲି, ଡାଲଖାଇ, ଜାଇଫୁଲ ଆଦି ଲୋକଗୀତ ଧୂନ୍ରେ ରାଧାକୃଷ୍ଣଙ୍କ ଉପରେ ରଚିତ ତାଙ୍କ ପ୍ରେମଗୀତଗୁଡ଼ିକ ତାଙ୍କୁ ଯୁବପିଢ଼ି ମଧ୍ୟରେ ବେଶ୍ ଲୋକପ୍ରିୟ କରାଇ ପାରିଥିଲା। କିମ୍ବଦନ୍ତି ରହିଛି ଯେ, ଥରେ ଭୀମ ଭୋଇ କୂଅରେ ପଡ଼ିଗଲେ ଆଉ ମହିମା ଗୋସାଇଁ ଉଦ୍ଧାର ନକରିବା ଯାଏଁ ବାହାରିବାକୁ ମନାକଲେ। ଶେଷରେ ମହିମା ଗୋସାଇଁ ଆସି ତାଙ୍କୁ ରକ୍ଷାକଲେ। ମହିମା ଗୋସାଇଁ ଦୁଇଜଣ ବ୍ରାହ୍ମଣ ହରି ପଣ୍ଡା ଓ ବାସୁ ପଣ୍ଡାଙ୍କ ସମେତ ମହିମା ଧର୍ମରେ ଦୀକ୍ଷିତ ମାର୍କଣ୍ଡ ଦାସ ଓ ଧର୍ମାନନ୍ଦ ଦାସଙ୍କୁ ଭୀମଙ୍କ କଥା ଓ କବିତା ଲିପିବଦ୍ଧ କରିବା ପାଇଁ ପଠାଇଲେ। ଦିନକୁଦିନ ସେ ଜଣେ କବି ଓ ମହିମା ଧର୍ମର ପ୍ରଚାରକ ଭାବେ ଲୋକପ୍ରିୟ ହେବାକୁ ଲାଗିଲେ।
ଭୀମ ଭୋଇଙ୍କ ଅନେକ ଲେଖା ହଜିଯାଇଥିବା ବେଳେ ଯାହାବି ଆମପାଇଁ ଉପଲବ୍ଧ ଅଛି, ତାହା ତାଙ୍କ ପ୍ରଚଣ୍ଡ ପ୍ରତିଭାକୁ ଆଲୋକପାତ କରେ। ସେଗୁଡ଼ିକ ମଧ୍ୟରୁ ସ୍ତୁତି ଚିନ୍ତାମଣି, ବ୍ରହ୍ମନିରୂପଣ ଗୀତା, ଆଦିଅନ୍ତ ଗୀତା, ଚଉତିଶା ଗ୍ରନ୍ଥମାଳା, ନିର୍ବେଦ ସାଧନା, ଶ୍ରୁତି ନିଷେଧ ଗୀତା, ମହିମା ବିନୋଦ (ଚାରି ଖଣ୍ଡ), ବୃହତ୍ ଭଜନମାଳା ଓ ବଙ୍ଗଳା ଆଠଭଜନ ଆଦି ଉଲ୍ଲେଖନୀୟ। ତାଙ୍କ ଅନନ୍ୟ ଭାବଧାରା ପାଇଁ ଭୀମ ଭୋଇ କେବଳ ଓଡ଼ିଆ ସାହିତ୍ୟରେ ନୁହେଁ, ବରଂ ବିଶ୍ୱ ସାହିତ୍ୟରେ ବି ଅମର ହୋଇ ରହିଛନ୍ତି। ତାଙ୍କର ଆତ୍ମୋଦ୍ଦୀପକ ପଙ୍କ୍ତି “ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ” ଭାରତର ସଂସଦ ଭବନରେ ସ୍ଥାନିତ ହୋଇ ଓଡ଼ିଆ ସାହିତ୍ୟ ଓ ଭାବଧାରାର ଜୟଗାନ କରୁଛି।