ଆମପାଣିରେ ସଂପନ୍ନ ହେଲା ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶରା ଯାତ୍ରା
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ପୂର୍ବ ପରମ୍ପରା ଓ ବିଧାନ ଅନୁସାରେ କୋକସରା ବ୍ଲକର ଆମପାଣି ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି ବୁଢାରଜାଙ୍କ ପ୍ରସିଦ୍ଧ ବାର୍ଷିକ ଦଶରା ଯାତ୍ରା। ଲକ୍ଷାଧିକ ଭକ୍ତଙ୍କ ଗହଣରେ ଯାତ୍ରା ଭିଆଇଲେ ଦେବତାମାନଙ୍କ ମାମୁଁ ବୁଢ଼ାରଜା। କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିଲା ଆମପାଣି ଅଞ୍ଚଳ। ଏହି ଦଶରା ଯାତ୍ରାର ମୁଖ୍ୟ ଆକର୍ଷଣ ଲାଠିଯାତ୍ରାରେ ବିଭିନ୍ନ ଗ୍ରାମରୁ ଦେବାଦେବୀଙ୍କ ଲାଠି, କାଳିଶୀଙ୍କ ଗହଣରେ ନିଶାନ ଦଳ, ଘଣ୍ଟଦଳ, ପାରମ୍ପରିକ ଘୁମୁରା ଭଲି ବିଭିନ୍ନ ଲୋକନୃତ୍ୟ ନିଜ ନିଜର ବାଦ୍ୟ ବଜାଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବିଶେଷ କରି ନାଗରା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଦେବାଦେବୀ ମାନେ ଝୁମିଝୁମି ନାଚି ଯାଉଥିବା ଦୃଶ୍ୟ ଭକ୍ତ ଓ ଦର୍ଶକକୁ ଆକର୍ଷିତ କରିଥିଲା।ବୁଢାରଜାଙ୍କ ମୁଖ୍ୟ ପୂଜକ ଫକୀର ପୁଝାରୀଙ୍କ ଦ୍ବାରା ଦେବତାଙ୍କ ପୂଜାର୍ଚ୍ଚନା କରାଯାଇଥିଲା। ଶନିବାର ପୂର୍ବାହ୍ନ ୧୧ଟା ସମୟରେ ଏକ ବିରାଟ ଲାଠିଯାତ୍ରା ପୁଜକଙ୍କ ଘରୁ ଶୋଭାଯାତ୍ରାରେ ବାହାରି ବୁଢାରଜାଙ୍କ ମୁଖ୍ୟ ପୀଠକୁ ପହଞ୍ଚିଥିଲା। ଏହି ସମୟ ମଧ୍ୟରେ ସ୍ଥାନୀୟ ପୁରୁଣା ପୁଲିସ ଥାନା ନିକଟରେ ବାଲି ଗଜା ଅର୍ପଣ କରାଯାଇ ଥିଲା। ମନ୍ଦିରକୁ ଲାଠି ପହଞ୍ଚିବା ପରେ ସ୍ୱାଗତ କରି ପାଛୋଟି ନିଆଯାଇଥିଲା। ଏହାପରେ ମନ୍ଦିରରେ ପୁଜାପାଠ ଆରମ୍ଭ ହୋଇଥିଲା। ମଣ୍ଡେଇ ଯାତ୍ରା ସମାପନ ହେବାପରେ ମନ୍ଦିର ନିକଟରେ ଲାଖବିନ୍ଧା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲେ। ଏଥିରେ ଶହଶହ ଯୁବକ ଯୋଗଦେଇ ଗଛ ଶିଖରରେ ରଖାଯାଇ ଥିବା ଜହ୍ନିକୁ ଲକ୍ଷ କରି ପଥର ଫୋପାଡି ଥିଲେ। ତା’ ପରେ ମନ୍ଦିର ପାଶ୍ୱର୍ରେ ଥିବା ଜେନାବୁଢା ପୀଠରେ ବଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ରକ୍ତ ଭୋଗ ଅର୍ପଣ ଫଳରେ ବଳି ସ୍ଥଳ ରକ୍ତ ରଞ୍ଜିତ ହୋଇ ଉଠିଥିଲା। ସଂଧ୍ୟାରେ ବୁଢାରଜା ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବୁଢ଼ାରଜା ସାଂସ୍କୃତିକ ଅନୁଷ୍ଠାନ ଆମପାଣି ଦ୍ବାରା ଆୟୋଜିତ ଉକ୍ତ ସମାବେଶରେ ରାଜ୍ୟ ତଥା ରାଜ୍ୟ ବାହାରୁ ସାଂସ୍କୃତିକ ଦଳ ଗୁଡ଼ିକ ଯୋଗଦେଇ ନିଜର ନୃତ୍ୟ ପରିବେଷଣ କରି ହଜାର ହଜାର ଭକ୍ତ ଓ ଦର୍ଶକୁ ବିମୋହିତ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ସମାପନ ହେବା ପରେ ବିଳମ୍ବିତ ରାତିରେ ଘୁମୁରା ଓ ନାଟକ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ମନୋଜ ବେହେରା ଓ ଆମପାଣି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ନେତୃତ୍ବରେ ଅଧିକାରୀମାନେ ପୋଲିସ ବଳ ସହ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଏହି ଯାତ୍ରାରେ ଜିଲ୍ଲା, ରାଜ୍ୟ ତଥା ପଡ଼ୋଶୀ ଛତିଶଗଡ଼ରୁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା।