ସମସ୍ତ ଦେବତା ମାନଙ୍କ ମାମୁଁ ‘ବୁଢ଼ାରଜା’

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡିର ମାଟି ହେଉଛି ଆଦି ସଂସ୍କୃତିର ମାଟି। ଏହି ମାଟିର ପ୍ରାଚୀନ ଧର୍ମଧାରା ପିତୃ ଓ ପ୍ରକୃତିକୁ ଆଧାରକରି ବ୍ୟାପ୍ତ ହୋଇଥିଲା। ପ୍ରାଚୀନ ଭାରତବର୍ଷରେ ଚାଲିଥିବା ଅଭିଚାର ତନ୍ତ୍ରଧାରାର ଏକ କ୍ଷୀଣ ସ୍ରୋତ ଆଜି ମଧ୍ୟ କଳାହାଣ୍ଡିରେ ଦେଖବାକୁ ମିଳେ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣିର ବୁଢ଼ାରଜା ଅଭିଚାର ତନ୍ତ୍ର ଧାରାର ଏକ ବଳିଷ୍ଠ ଦେବତା ଭାବେ ଆଜି ମଧ୍ୟ ଉପାସିତ ହୋଇ ଆସୁଛନ୍ତି। ସେ ଅଭିଚାର ତନ୍ତ୍ର ଧାରାରେ ପୂଜା ପାଉଥିଲେ ମଧ୍ୟ ଅଭିଚାର ତନ୍ତ୍ର ଧାରାର ବହୁ ପୂର୍ବରୁ ତାଙ୍କର ଉପାସନା ହେଉଥିବା ବିଶ୍ବାସ କରାଯାଏ। ଲୋକ ବିଶ୍ଵାସ ଅନୁସାରେ ବୁଢ଼ାରଜା ସମସ୍ତ ଦେବତାଙ୍କ ମାମୁଁ। ଆମପାଣିରେ ବର୍ଷକୁ ଥରେ ବୁଢ଼ାରଜାଙ୍କ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଲୋକ ସଂସ୍କୃତି ଗବେଷକ ମାନଙ୍କ ମତରେ ବୁଢ଼ାରଜାଙ୍କ ଦଶରା ବର୍ତ୍ତମାନର ଦଶହରା ପର୍ବ ଠାରୁ ବହୁତ ପୁରୁଣା। ବୁଢ଼ାରଜା କଳାହାଣ୍ଡିରେ ପ୍ରାଚୀନ ଧର୍ମ ଧାରାର ମୁଖ୍ୟ ଦେବତା ଭାବେ ରହି ଥିବାବେଳେ ପାର୍ଶ୍ଵ ଦେବଦେବୀ ଭାବେ ଭୀମା, ଜାଡେନ, ମାଉଳୀ, ବସ୍ତେରେନ, ଜେନାବୁଡା, ଡଙ୍ଗରବୁଡା, କବଡା, ଦୁଆରଶନୀ, ମାନେକଶରୀ, ବାଆଦୀ, ମା’ ଠାକୁରାଣୀ, ଭୈରବ, ଗରବରାଇ, ଚଅଁରୀଆ, ଭଣ୍ଡାରଘରେଣୀ ଆଦି ପୂଜା ପାଇଥାନ୍ତି। ବୁଢ଼ାରଜାଙ୍କ ମୂଖ୍ୟ ବିଗ୍ରହରେ ଶୁକ୍ଳଭୋଗ ଲାଗୁଥିବାବେଳେ ପାର୍ଶ୍ବ ଦେବା ଦେବୀମାନଙ୍କୁ ମଦ୍ୟ ଓ ବଳୀ ପ୍ରଦାନ କରାଯାଇଥାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.