୧୭ ଦିନର ପଦ ଯାତ୍ରା ପରେ ରାଜ୍ୟପାଳଙ୍କୁ ଦାବୀ ପତ୍ର ପ୍ରଦାନ କଲା କଳାହାଣ୍ଡି ଜନ ସଂଗ୍ରାମ ସମିତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଲେଇ): ଗତ ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କଳାହାଣ୍ଡି ଜିଲ୍ଲା ଜନ ସଂଗ୍ରାମ ସମିତି ସଭାପତି ସାଉଲ ମଙ୍ଗରାଜଙ୍କ ନେତୃତ୍ବରେ କିଛି ସମାଜସେବୀ, ସଚେତନ ଓ ପରିଶ୍ରମୀ ଯୁବକ ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଦାବୀକୁ ନେଇ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିବାକୁ କଳାହାଣ୍ଡିରୁ ଭୁବନେଶ୍ବରକୁ ଏକ ପଦଯାତ୍ରା ଆରମ୍ଭ କରିଥିଲେ। ଦୀର୍ଘ ସତର ଦିନର ପଦଯାତ୍ରା ପରେ ଗତ ୧୮ ତାରିଖରେ ରାଜଭବନରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସଙ୍କୁ ସାକ୍ଷାତ କରି ତାଙ୍କୁ କଳାହାଣ୍ଡି ଜିଲ୍ଲାର ସମସ୍ତ ସମସ୍ୟା ସମ୍ବନ୍ଧୀୟ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ପ୍ରାକୃତିକ ସଂସାଧନରେ ଭରପୁର କଳାହାଣ୍ଡି ଜିଲ୍ଲା ଏପର୍ଯ୍ୟନ୍ତ ପଛୁଆ ରହିଯାଇଥିବା ନେଇ ସେ କ୍ଷୋଭ ଓ ଚିନ୍ତା ପ୍ରକଟ କରିବା ସହ ଆଗାମୀ ଦିନରେ କଳାହାଣ୍ଡି ପରିଦର୍ଶନ କରିବା ପାଇଁ ମଧ୍ୟ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ରାଜ୍ୟପାଳ। କଳାହାଣ୍ଡି ଜିଲ୍ଲାରେ ରେଳଲାଇନର ସଂପ୍ରସାରଣ, ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା, ଚାଷୀମାନଙ୍କୁ ଫସଲ ବୀମା ପ୍ରଦାନ, ଗୋଲାମୁଣ୍ଡାରେ ଜିଏମଏଫସି ସ୍ଥାପନ ଓ ଗୋଲାମୁଣ୍ଡା ସିଏଚସିକୁ ୨୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା କରି ବିଶେଷଜ୍ଞ ଡାକ୍ତର ନିଯୁକ୍ତି, ଜୁନାଗଡ଼ ଡାକ୍ତରଖାନାକୁ ଏରିଆ ଡାକ୍ତରଖାନାରେ ପରିବର୍ତ୍ତନ, ଉଦନ୍ତୀ ଓ ତେଲ ନଦୀରେ ବ୍ୟାରେଜ୍ ନିର୍ମାଣ, ସମସ୍ତ ବ୍ଲକରେ ଶୀତଳ ଭଣ୍ଡାରର ବ୍ୟବସ୍ଥା, ଗୋଲାମୁଣ୍ଡାରେ ଏକ ଶବ ବ୍ୟବଚ୍ଛେଦ କେନ୍ଦ୍ର ପ୍ରତିଷ୍ଠା ସହ ଗତ ନିର୍ବାଚନରେ ବିଜେପି କରିଥିବା ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ସହିତ ସର୍ବମୋଟ ୨୬ ଟି ଦାବୀ ଉପସ୍ଥାପନ କରାଯାଇଛି। ଏହି ପଦଯାତ୍ରାରେ ଅନିଲ କୁମାର ମଲ୍ଲିକ, ଲମ୍ବୋଦର ଜାଲ, କୁମୁଦ ଗହୀର, ରମେଶ ସାହୁ, ରଞ୍ଜନ ବେହେରା, କେଶବ ମାଝୀ, ଅସାରୁ ମାଝୀ, ପର୍ଶୁରାମ ମାଝୀ, ଗୌରାଙ୍ଗ ମାଝୀ, ଦୁର୍ବଳ ମାଝୀ, ସଦାନନ୍ଦ ମାଝୀ, ଚିତ୍ର ମାଝୀ, ଲାଲ ମାଝୀ, ପିତାଶ ସିପକା, ସମୀର ସିପକା, ଦେବେନ୍ଦ୍ର ମାଝୀ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.