ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନର ତତ୍ପରତା

ଆଭାସୀ ମାଧ୍ୟମରେ ଜିଲ୍ଲାପାଳ କଲେ ସମୀକ୍ଷା ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ଏବଂ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଆଭାସୀ ମାଧ୍ୟମରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ବଙ୍ଗୋପ ସାଗରରେ ପ୍ରାକ୍-ବାତ୍ୟା ବଳୟ ସୃଷ୍ଟି ହୋଇଥିବା ବେଳେ ଆସନ୍ତା ୨୩, ୨୪ ଓ ୨୫ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ରେଡ଼ ୱାର୍ଣ୍ଣିଙ୍ଗ୍ ଜାରି କରାଯାଇଛି। ଜିଲ୍ଲାରେ ସମସ୍ତ ପ୍ରକାର ଆପଦକାଳୀନ ପ୍ରସ୍ତୁତି ବ୍ୟବସ୍ଥା ପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲାପାଳ ଏହି ବୈଠକରେ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ସୋର ଭଳି ସମ୍ବେଦନଶୀଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣରେ ପୂର୍ବ ବ୍ୟବସ୍ଥା କରିଥିବା ବେଳେ ସମ୍ଭାବ୍ୟ ବର୍ଷାରେ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ସମସ୍ତ ଜରୁରୀକାଳୀନ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳରେ ପ୍ରମୁଖତଃ ଗର୍ଭବତୀ ମହିଳା ଓ ପ୍ରଭାବିତ ଜନସାଧାରଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆଦେଶ ଦିଆଯାଇଛି। ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ପର୍ଯ୍ୟାପ୍ତ ଜଳ ଯୋଗାଣ, ଆଲୋକୀକରଣ, ପରିମଳ ବ୍ୟବସ୍ଥା ଏବଂ ମୌଳିକ ସୁବିଧା ଉପଲବ୍ଧ କରାଯିବ। ଶୁଖିଲା ଖାଦ୍ୟ ଓ ଶିଶୁ ଖାଦ୍ୟ ସମେତ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ରଖିବା ପାଇଁ ବ୍ୟବସ୍ଥା କରାଯିବ। ପ୍ରଭାବିତ ଅଞ୍ଚଳଗୁଡିକରେ ନିରାପଦ ପାନୀୟ ଜଳ, ଔଷଧ, ଗୋଖାଦ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରାଯିବା ପାଇଁ ଆଦେଶ ଦିଆଯାଇଛି।

ସେହିଭଳି ଜରୁରୀକାଳୀନ ପରିସ୍ଥିତିରେ ଅଙ୍ଗନବାଡ଼ି, ସ୍କୁଲ ଏବଂ କଲେଜ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆ ଯାଇପାରେ ବୋଲି ସମୀକ୍ଷା ବୈଠକରେ ଆଲୋଚନା କରାଯାଇଥିଲା। ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟରେ ସହାୟତା ନିମନ୍ତେ ସମସ୍ତ ଅଗ୍ନିଶମ କେନ୍ଦ୍ର ପ୍ରସ୍ତୁତ ରହିବେ। ସମସ୍ତ ବିଡ଼ିଓ, ତହସିଲଦାର, ରାଜସ୍ବ ନିରୀକ୍ଷକ ଓ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ବିପର୍ଯ୍ୟୟ ପ୍ରବଣ ଗ୍ରାମ ଓ ବାସସ୍ଥାନ ପାଇଁ ସ୍ଥାନାନ୍ତର ଯୋଜନା ପ୍ରସ୍ତୁତ କରିବା ପାଇଁ ଆଦେଶ ଦିଆ ଯାଇଛି। _ବାତ୍ୟା ପ୍ରଭାବିତ ସମସ୍ତ ଅଞ୍ଚଳରେ ଡେପୁଟି ଓ ସହକାରୀ କଲେକ୍ଟରଙ୍କୁ ନିୟୋଜିତ କରିବା ପାଇଁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି_। ବିଶେଷ କରି ତୁରନ୍ତ ରିଲିଫ୍ ଯୋଗାଣ, ବିଶୁଦ୍ଧ ଜଳ ଓ ଖାଦ୍ୟ ଯୋଗାଣ, ଆବଶ୍ୟକ ସ୍ଥଳେ ଅସ୍ଥାୟୀ ଆଶ୍ରୟସ୍ଥଳୀ ସ୍ଥାପନ ଏବଂ ଚିକିତ୍ସା ସହାୟତାକୁ ସୁଗମ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିସହିତ ଆବଶ୍ୟକସ୍ଥଳେ କ୍ଷତିଗ୍ରସ୍ତଙ୍କ ଥଇଥାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟ ମୁଖ୍ୟାଳୟ ନ ଛାଡ଼ିବା ପାଇଁ ଜିଲ୍ଲାପାଳ ଆଦେଶ ଦେଇଛନ୍ତି। ସରକାରୀ ସୂତ୍ରରୁ ମିଳୁଥିବା ସୂଚନା ବିଷୟରେ ଅବଗତ ରହିବାକୁ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଜନସାଧାରଣ ମାନଙ୍କୁ ଅନୁରୋଧ କରାଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ ଆୟୋଜିତ ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ, ବାଲେଶ୍ୱର ଉପଜିଲ୍ଲାପାଳ ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜେସିର୍କେ, ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶ୍ରୀ ସାଇ କୃଷ୍ଣ ଜେନା, ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳର ପରିଷଦର ନିର୍ବାହୀ ଅଧିକାରୀ, ତହସିଲଦାର ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.