ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀଙ୍କ ପରଲୋକ: କଳାହାଣ୍ଡିରେ ଶୋକର ଛାୟା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡିର ଜଣେ ବରିଷ୍ଠ ସାମ୍ବାଦିକ ବିଜୟ ଦ୍ବିବେଦୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା। ମଙ୍ଗଳବାର ଦିନ ସକାଳୁ ସେ ତାଙ୍କ ଭବାନୀପାଟଣା ସ୍ଥିତ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଭବାନୀପାଟଣାର ସ୍ବର୍ଗତ ଡା. କୃଷ୍ଣଚନ୍ଦ୍ର ଦ୍ବିବେଦୀଙ୍କ ସୁପୁତ୍ର ବିଜୟ ୧୯୮୯ ମସିହାରୁ ସାମ୍ବାଦିକତା ଜୀବନ ଆରମ୍ଭ କରି ପ୍ରଗତିବାଦୀ, ଜନଭାଷା, ପ୍ରଜାତନ୍ତ୍ର ସାପ୍ତାହିକ, ମସୀହା, ସ୍ବରାଜ, ଆରମ୍ଭ, ଉତ୍କଳିକା, ସମୟ, ପ୍ରେସ ନିଉଜ ସାର୍ଭିସ, ଅନୁପମ ଭାରତ ଆଦି ଖବରକାଗଜରେ କାମ କରିଥିଲେ। ୧୯୯୨ ମସିହାରୁ ସେ ଦୀର୍ଘ ବର୍ଷ ଧରି ଦୈନିକ ‘ସମାଜ’ ଖବରକାଗଜର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ। ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସମସ୍ୟାକୁ ସେ ନିଜ ଖବରକାଗଜ ମାଧ୍ଯମରେ ପ୍ରକାଶିତ କରି ପ୍ରଶାସନ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସିଥିଲେ। ଉତ୍କୃଷ୍ଟ ମାନର ସମ୍ବାଦ ସହ କଳାହାଣ୍ଡି ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳର ଖବର ପରିବେଷଣ ପାଇଁ  ପ୍ରଜାତନ୍ତ୍ର ପ୍ରଚାର ସମିତି, ଦେବଗିରି ନାରଦ ସମ୍ମାନ-୨୦୨୨, ଓଡ଼ିଆ ସ୍ୱାଭିମାନ, ଷ୍ଟେଟ୍ସମେନ୍ ସମ୍ମାନ, ରାଧାନାଥ ରଥ ଗୋଲ୍ଡ ଏଓ୍ବାର୍ଡ, ସମଦୃଷ୍ଟି ସାମ୍ବାଦିକତା ସମ୍ମାନ, ସଂଘର୍ଷ ସମ୍ମାନ, ଆଦିବାସୀ ଲୋକ ଉତ୍ସବ, ଶିଶୁ ମେଳା, ଓଡିଶା ସମ୍ବାଦିକ ୟୁନିଅନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ଓଡିଶା ସାମ୍ବାଦିକ ଗୌରବ ସମ୍ମାନ, କଳାହାଣ୍ଡି ଉତ୍ସବ ଘୁମୁରା, ବେଷ୍ଟ ରିପୋର୍ଟିଙ୍ଗ ପାଇଁ ନାଗରିକ ସମ୍ମାନ, ବୁଢାଡଙ୍ଗର ଲୋକ ମହୋତ୍ସବ, କଳାହାଣ୍ଡି ଗୈାରବ ସମ୍ମାନ, ରାଧାନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟ କଟକ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ, କଳାହାଣ୍ଡି ଓ୍ବାର୍କିଙ୍ଗ ଜର୍ନାଲିଷ୍ଟ ଏସୋସିଏସନ ପକ୍ଷରୁ ଶ୍ରେଷ୍ଠ ସାମ୍ବାଦିକ ସମ୍ମାନ, ଓଡିଶା ମିଡ଼ିଆ ଏୱାର୍ଡ଼, ପରିବେଶ ସମ୍ବନ୍ଧିତ ସାମ୍ବାଦିକତା ପାଇଁ ସି.ଆର. ଇରାନୀ ସମ୍ମାନ ଆଦି ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ସ୍ବର୍ଗତ ଦ୍ବିବେଦୀ। କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ (ଓୟୁଜେ)ର ସେ ଜଣେ ବରିଷ୍ଠ ସଦସ୍ୟ ଥିଲେ। ସାମ୍ବାଦିକତା ବ୍ୟତୀତ ସାହିତ୍ୟ ସାଧନା ଓ ସଂଗଠନରେ ତାଙ୍କର ଅନୁଭବ ରହିଥିଲା। ତାଙ୍କ ଆବର୍ତ୍ତମାନରେ ଓଡ଼ିଶା ସାମ୍ବାଦିକତା ଜଗତରେ ଏକ ବିଶାଳ ଶୁନ୍ୟ ସ୍ଥାନ ସୃଷ୍ଟି ହେଲା ବୋଲି କହିବାସହ ଗଭୀର ଶୋକବ୍ୟକ୍ତ କରିଛନ୍ତି ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର। ବିଜୟ ଦ୍ବିବେଦୀଙ୍କ ବିୟୋଗରେ କଳାହାଣ୍ଡି ସାମ୍ବାଦିକ ସମୁହ, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ, ଓଡ଼ିଆ ବାର୍ତ୍ତା, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ବୁଢିପଦର ସମେତ ଜିଲ୍ଲାର ଅନେକ ଅନୁଷ୍ଠାନ ଓ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.