ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଅଧୀନ ସିନ୍ଦୁରପୁର ରେଭିନ୍ୟୁ ସର୍କଲରେ ରାଜସ୍ୱ ନିରୀକ୍ଷକ ଦାୟିତ୍ୱରେ ଥିବା ସହକାରୀ ରାଜସ୍ୱ ନିରୀକ୍ଷକ (ଏଆରଆଇ) ବିବେକାନନ୍ଦ ତ୍ରିପାଠୀ। ଭିଜିଲାନ୍ସ ପକ୍ଷରୁ ସୂଚନା ଅନୁସାରେ ସୂର୍ଯ୍ୟ କୁମାର ମହାକୁର ତାଙ୍କ ଜମିର କିସମ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିବା ବେଳେ ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ୬୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିବା ବେଳେ ଯୋଜନା ପ୍ରକାରେ ଆଜି ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ପ୍ରଥମ କିସ୍ତିରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ। ତାଙ୍କଠାରୁ ରାସାୟନିକ ପ୍ରଲେପ ଦେଇ ଲାଞ୍ଚ ବାବଦକୁ ଦିଆଯାଇଥିବା ସମସ୍ତ ୨୦ ହଜାର ଟଙ୍କା ମିଳିଥିଲା। ସହକାରୀ ରାଜସ୍ୱ ନିରୀକ୍ଷକ ବିବେକାନନ୍ଦ ତ୍ରିପାଠୀ ଲାଞ୍ଚ ନେଇ ଧରାପଡ଼ିବା ପରେ ତାଙ୍କର ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଏହି ଚଢାଉରେ ସୋନପୁର ଭିଜିଲାନ୍ସ ଡିଏସପି ରୀତାଞ୍ଜଳି ପଧାନ, ଇନ୍ସପେକ୍ଟର ହୃଦାନନ୍ଦ କାଲୋ, ସମ୍ବଲପୁର ଭିଜିଲାନ୍ସର ଇନ୍ସପେକ୍ଟର ଦିଲ୍ଲୀପ ପଧାନଙ୍କ ସମେତ ସୋନପୁର ଏବଂ ସମ୍ବଲପୁରର ଟିମ୍ ସାମିଲ ହୋଇଥିଲେ।