ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ବାପା-ମା’ ଛେଉଣ୍ଡ ବବଲୁ: ଅଭିଯୋଗ ଶୁଣି ଭାବବିହ୍ୱଳ ହେଲେ ଜିଲ୍ଲାପାଳ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଦୁଇଶହରୁ ଅଧିକ ଅଭିଯୋଗ ଦାଖଲ କରାଯାଇଥିବାବେଳେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଜିଲ୍ଲାପାଳଙ୍କୁ ଅଭିଯୋଗ କରିବାକୁ ସ୍କୁଲ ବନ୍ଦ କରି ଆସି ଜିଲ୍ଲାପାଳଙ୍କୁ ନିଜ ଦୁଃଖ ବଖାଣଛନ୍ତି।

ମୋର ଦୁଃଖ ବୁଝନ୍ତୁ ଆପଣଙ୍କୁ ଭେଟିବାକୁ ମୁଁ ସ୍କୁଲ ବନ୍ଦ କରି ଆସିଛି। ମୋର ଆହା ସାହା କେହି ନାହାନ୍ତି। ବହୁତ ଛୋଟବେଳୁ ମରିଗଲା ମାଆ। ତିନି ବର୍ଷ ହେଲା ଛାଡି ଚାଲିଗଲେ ବାପା। ପିଲାଟି ଦିନରୁ ମୋର ବୁଢ଼ୀ ଆଇ ମୋତେ ପୋଷି ପାଳି ବଡ଼ କଲା। ଏବେ ସେ ବି ଆଉ କାମ ଧାମ କରିପାରୁନି। ରହିବାକୁ ଘର ଖଣ୍ଡିଏ ବି ନାହିଁ। ଭଙ୍ଗା କୁଡ଼ିଆରେ ମୁଣ୍ଡ ଗୁଞ୍ଜିଛୁ ଆଇ ନାତି। ତାର ଭତ୍ତା ଟଙ୍କା ଓ ଚାଉଳରେ ଆମେ ଚଳିପାରୁନୁ। ବଡ଼ କଷ୍ଟରେ ପାଠ ପଢୁଛି ମୁଁ। ସେଦିନ ସ୍କୁଲରେ ଶୁଣିଲି ଆପଣ କୁଆଡେ ସମସ୍ତଙ୍କର ଦୁଃଖସୁଖ ବୁଝନ୍ତି। ଆଉ ଆମ ବ୍ଲକକୁ ଆସୁଛନ୍ତି ଆପଣ। ତେଣୁ କାହାକୁ କିଛି ନକହି ଚାଲି ଆସିଲି। ଆପଣଙ୍କୁ ଭେଟିବି ବୋଲି।

ମୋତେ କିଛି ଦରକାର ନାହିଁ ସାର। ମୋର ଆଇ ନାଁରେ ଗୋଟେ ଘର ଆଉ ମୋର ପାଠ ପଢିବା ପାଇଁ ବ୍ୟବସ୍ଥା କରିଦିଅନ୍ତୁ। ଏଭଳି କିଛି କହି ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଛି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର। ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ନିଜର ସମସ୍ୟା ଜଣାଇବାକୁ ଆସିଥିବା ଏହି ଛାତ୍ର ଜଣକ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଖୋଦ ଜିଲ୍ଲାପାଳ ମଧ୍ୟ ତାର କଥାକୁ ମନଧ୍ୟାନ ଦେଇ ଶୁଣିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ କେଶପଦର ଗାଁର ବବଲୁ ବାଗ ନାମକ ଏହି ଛାତ୍ର ଜଣକ ଆଜି ସ୍କୁଲ ଛୁଟି କରି ବିଶ୍ୱନାଥପୁର ଆସିବା ସହିତ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଦାବିପତ୍ର ଦେଇଥିଲା। ଦାବି ଅନୁଯାୟୀ, ପିଲାଟିର ନାଁ ବବଲୁ ବାଗ। ସେ ପିଲାଟି ଦିନରୁ ନିଜ ମାକୁ ହରାଇଥିବାବେଳେ ବର୍ଷକ ତଳୁ ତାର ବାପାଙ୍କ ମୃତ୍ୟୁ ଘଟିଛି। ସେହିଦିନରୁ ବାପ- ମାଆ ଛେଉଣ୍ଡ ବବଲୁ ନିଜ ଆଇ ପାଖରେ ଆଶ୍ରୟ ନେଇଛି। ବୃଦ୍ଧା ଆଇ ନିଜର ଭତ୍ତା ଟଙ୍କା, ଚାଉଳ ବ୍ୟତୀତ ମାଗିଯାଚି ନିଜର ନାତିକୁ ପୋଷିବା ସହିତ ପୋଖରୀବନ୍ଧ ସ୍କୁଲରେ ପାଠ ପଢାଉଛି। ତେବେ ବବଲୁ ନିଜ ସାଙ୍ଗସାଥିଙ୍କଠାରୁ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସମ୍ପର୍କରେ ଶୁଣି ନିଜେ ଅଭିଯୋଗ ଦାଖଲ କରିବାକୁ ପହଂଚିବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ଜିଲ୍ଲାପାଳ ବବଲୁର କଥା ଶୁଣିବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ରଙ୍କୁ ତାର ଅଭିଯୋଗ ସମ୍ପର୍କରେ ତଦନ୍ତ ସହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ଶଶାଙ୍କ ପାତ୍ର ଗାଁ ଗସ୍ତ କରି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ସେହିପରି କେହିଜଣେ ବଦାନ୍ୟ ବ୍ୟକ୍ତି ତାକୁ ନୂଆ ସାଇକେଲଟିଏ କିଣିଦେଇଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.