ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପ୍ରଳୟଙ୍କରୀ ବାତ୍ୟାର ପ୍ରକୋପ ମଧ୍ୟରେ ବାଲେଶ୍ବର ସହର ବୈରାମନଗରର ଜଣାଶୁଣା ସାମାଜିକ କର୍ମୀ ହେମନ୍ତ ଜେନାଙ୍କର ଗତକାଲି ସନ୍ଧ୍ୟା ୭ଟା ସମୟରେ ୭୦ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା। ଚିକିତ୍ସା ସମୟରେ ହିଁ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଭାରତୀୟ ସାମରିକ ବିଭାଗରେ ଚାକିରୀ କରି ଅବସର ଗ୍ରହଣ କରିବା ପରେ ଶ୍ରୀଯୁକ୍ତ ଜେନା ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ସହିତ ରାଜନୀତିରେ ମଧ୍ୟ ଯୋଗଦେଇ ଓ୍ବାର୍ଡ଼ କାଉନସିଲର ଭାବରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ। ପରେ ‘ଷ୍ଟାର ସିକ୍ୟୁରିଟି ଏଜେନ୍ସି’ ନାମରେ ଏକ ସିକୁରିଟି ପ୍ଲେସମେଣ୍ଟ ସଂସ୍ଥାର ନିର୍ଦ୍ଦେଶକ ଭାବରେ ସେ କାର୍ଯ୍ୟ କରୁଥିଲେ। ଶ୍ରୀଯୁକ୍ତ ଜେନାଙ୍କର ବିୟୋଗ ପରେ ତାଙ୍କର ଭଣଜା ଗଞ୍ଜାମର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବଡ଼ ଭଉଣୀ କଟକ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା କେନ୍ଦ୍ରର ବିଶିଷ୍ଟ ବୈଜ୍ଞାନିକ ତଥା ବିଶିଷ୍ଟ ଲେଖିକା ଡକ୍ଟର ମାୟାବିନୀ ଜେନା ପ୍ରମୁଖ ତାଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେଇଛନ୍ତି। ସାମାଜିକ ସଂଗଠନ ‘ମାସ୍’ର ସଭାପତି କବି ଅଭୟ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଜେନାଙ୍କ ଶେଷ ଦର୍ଶନ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।