କଳାହାଣ୍ଡି-ବଲାଙ୍ଗୀର ଲୋକସଭା କ୍ଷେତ୍ରର ପ୍ରଥମ ସାଂସଦ ଗିରିଧାରି ଭୋଇ

କଳାହାଣ୍ଡି ବଲାଙ୍ଗିର ଲୋକସଭା କ୍ଷେତ୍ରର ପ୍ରଥମ ସାଂସଦ ତଥା ଗଡଜାତ ଆନ୍ଦୋଳନର ସଂଗ୍ରାମୀ ନେତା ଗିରିଧାରି ଭୋଇଙ୍କ ଗାଥା ପ୍ରଚାର ପ୍ରସାର ଅଭାବରୁ ଲୋକ ଲୋଚନ ଆଢୁଆଳରେ ରହିଯାଇଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଚିଆଁପଦର ଗ୍ରାମରେ ୦୫ ଜାନୁଆରୀ ୧୯୦୩ ମସିହାରେ ପିତା ଝୁରା ଭୋଇ ଓ ମାତା ବାଲମତୀଙ୍କ କୋଳରେ ଜନ୍ମଗ୍ରହଣ କରିଥିଲେ ଏହି ଯୋଗଜନ୍ମା ବ୍ୟକ୍ତି। ଏକ ସଂଗ୍ରାମୀ ଭାବେ ଗଡଜାତ ଆନ୍ଦୋଳନର ନେତୃତ୍ୱ ନେଇ ସେ ଜେଲ ଯାଇଥିଲେ। ୧୯୫୨ ପ୍ରଥମ ଲୋକସଭା ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ଯୋଗେଶ୍ୱର କୁମରାଙ୍କୁ ବିପୁଳ ଭୋଟରେ ପରାଜିତ କରି କଳାହାଣ୍ଡି – ବଲାଙ୍ଗୀରର ପ୍ରଥମ ସାଂସଦ ହେବାର ସୌଭାଗ୍ୟ ଲାଭ କରିଥିଲେ। ଆଦିବାସୀଙ୍କ ହକ ପାଇଁ ହୋଇଥିବା ୧୯୪୮- ୪୯ ଗଡଜାତ ଆନ୍ଦୋଳନରେ ଗିରିଧାରୀ ଭୋଇ ଗିରଫ ହୋଇ ୮ ମାସ ଜେଲ ଯାଇଥିଲେ। ଏହି ଆନ୍ଦୋଳନର ମୂଖ୍ୟ ଥିଲେ ଗିରିଧାରୀଙ୍କ ବଡଭାଇ ଗୋବର୍ଦ୍ଧନ ଭୋଇ। ସେ ମଧ୍ୟ ସରକାରଙ୍କ ଦ୍ବାରା ଗିରଫ ହୋଇ କାରାବରଣ କରିଥିଲେ। ସରକାର ଅନ୍ୟୋପାୟ ହୋଇ ବିଦ୍ରୋହୀ ମାନଙ୍କୁ ଶାନ୍ତି କରିବାପଇଁ ଏକ ଚୁକ୍ତ କରିଥିଲେ। ଏହି ଚୁକ୍ତି ଫଳରେ ଆଦିବାସୀଙ୍କୁ ରାଜନୈତିକ ସୁବିଧା ଦେବା ଉଦ୍ଦେଷ୍ୟରେ କଳାହାଣ୍ଡି-ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ୨ଜଣ ସାଂସଦ ନିର୍ବାଚିତ ହେବେ, ଜଣେ ଆଦିବାସୀ ଓ ଜଣେ ସାଧାରଣ ସଂପ୍ରଦାୟର ଦୁଇଜଣ ଯାକ ସାଂସଦ ସାମାନ୍ତରାଳ ଭାବେ କଳାହାଣ୍ଡି ଓ ବଲାଙ୍ଗୀର କଥା ବୁଝିବେ। ତେବେ କଳାହାଣ୍ଡି ବଲାଙ୍ଗୀର ଆସନ ଆଦିବାସୀଙ୍କ ପାଇଁ ସଂରକ୍ଷିତ ବୋଲି ଲେଖା ଯାଉଥିଲା। ୧୯୫୨ ନିର୍ବାଚନରେ ଗଣତନ୍ତ୍ର ପରିଷଦର ପ୍ରାଥୀ ଭାବେ ଗିରିଧାରୀ ଭୋଇ (ଆଦିବାସୀ) ଓ ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ (ସାଧାରଣ ବର୍ଗ) ଏକା ସାଙ୍ଗରେ ଏହି କ୍ଷେତ୍ର ପାଇଁ ଗଣତନ୍ତ୍ର ପରିଷଦର ପ୍ରାଥୀ ଭାବେ ଛିଡା ହୋଇ ନିକଟତମ କଂଗ୍ରେସ ପ୍ରାର୍ଥୀଙ୍କୁ ହରାଇ ସାଂସଦ ହେଲେ। ସେହି ସମୟରେ ଗଣତନ୍ତ୍ର ପାର୍ଟିର ଚିହ୍ନ ଧନୁସର ଥିଲା। ଓଡିଶାର ମୋଟ ୨୨ ଲୋକସଭା ଆସନ ମଧ୍ୟରୁ ଗଣତନ୍ତ୍ର ପରିଷଦ ୬ଟି ଆସନରେ ବିଜୟୀ ହୋଇଥିଲା। ୧୯୫୨ ନିର୍ବାଚନରେ ଲୋକସଭା ପାଇଁ ମୋଟ ୪୮୯ ଆସନ ମଧ୍ୟରୁ  ଓଡିଶା ପାଇଁ ୨୨ଟି ଆସନ ରହିଥିଲା। ପ୍ରଥମ ନିର୍ବାଚନରେ ଓଡିଶାରୁ କଂଗ୍ରେସ ୧୧ଟି, ଗଣତନ୍ତ୍ର ପରିଷଦ ୬, ସ୍ବାଧିନ ପ୍ରାର୍ଥୀ ୨, ସିପି ୧, ଏନୟୁଏସି ୧ ଓ ସୋସିଆଲିଷ୍ଟ ପାର୍ଟି ଗୋଟିଏ ଆସନ ପାଇଥିଲେ। ସେହିପରି ରାଜ୍ୟ ବିଧାନସଭା ପାଇଁ ମୋଟ ୧୪୦ ଆସନ ମଧ୍ୟରୁ କଂଗ୍ରେସ ୬୭, ଗଣତନ୍ତ୍ର ପରିଷଦ ୩୧ ଓ ସୋସିଆଲିଷ୍ଟ ପାର୍ଟି ୧୦ଟି ଆସନ ପାଇଥିଲେ। କଂଗ୍ରେସର ବିରୋଧି ଭାବେ ଜଣାସୁଣା ଗଣତନ୍ତ୍ର ପରିଷଦର ସଭାପତି ଥିଲେ ପାଟଣା (ବର୍ତମାନର ବଲାଙ୍ଗୀର) ମହାରାଜା ରାଜେନ୍ଦ୍ର ନାରାୟଣ ସିଂଦେଓ। ସଂସଦରେ ଗିରିଧାରି ଭୋଇ ଓଡିଆରେ ଶପଥ ପାଠ କରିଥିଲେ। ସେହି ସମୟରେ ଲୋକସଭାର ମୋଟ ୪୮୯ ଆସନ ମଧ୍ୟରୁ ସିପିଆଇ ୧୬ଟି ଆସନରେ ରହିଥିଲା ଏପଟେ ଆଞ୍ଚଳିକ ଦଳ ହୋଇମଧ୍ୟ ଗଣତନ୍ତ୍ର ପରିଷଦ ୬ଟି ଆସନରେ ରହି ବିରୋଧୀଦଳର କର୍ତ୍ତବ୍ୟ ସୂଚାରୁରୂପେ ସଂପାଦନ କରିଥିଲେ। ସେହି ସମୟର ସରକାର ଷଢେଇକଲା ଖରସୁଆଁକୁ ବିହାରକୁ ଟେକିଦେବାର ଚକ୍ରାନ୍ତ ଯୋଗୁଁ ଗିରିଧାରି ଭୋଇ ୧୯୫୭ ମସିହାରେ ୬ ମାସ ପୂର୍ବରୁ ସାଂସଦ ପଦରୁ ଇସ୍ତାଫା ଦେଇ ଦିଲ୍ଲୀରୁ ଫେରି ଆସିଥିଲେ ବୋଲି କହିଥିଲେ ତାଙ୍କର ଜୌଷ୍ଠ ନାତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ପ୍ରଫୁଲ୍ଲ କୁମାର ଭୋଇ। କଳାହାଣ୍ଡି ଗଡ଼ଜାତ ଆନ୍ଦୋଳନର ସଂଗ୍ରାମୀ ନେତା ଠାରୁ ସାଂସଦ ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଯାତ୍ରା ସଂଘର୍ଷମୟ ଥିଲା। ସାଂସଦ ଥିବା ସମୟରେ ସେ ଜିଲ୍ଲାରେ ରେଳ ଚଳାଚଳ ଓ ନୂତନ ରେଳ ଷ୍ଟେସନ ସ୍ଥାପନ ସହ ସଡ଼କ ପଥ, ନୂତନ ବିଦ୍ୟାଳୟର ପ୍ରତିଷ୍ଠା ଆଦି ବହୁବିଧ ଉନ୍ନତିମୂଳକ କାର୍ଯ୍ୟ କରି ଯାଇଛନ୍ତି। ତେବେ ଏହି ମହାନ ସଂଗ୍ରାମୀ, ପୂର୍ବତନ ସାଂସଦ ତଥା ଜନନେତାଙ୍କ କଥା ଆଜି ଅନାଲୋଚିତ ହୋଇ ରହିଛି। ଆଜିର ପିଢି ଭୁଲିବାକୁ ବସିଛି ଏହି ନେତାଙ୍କ ତ୍ୟାଗର ଗାଥାକୁ ତେଣୁ ଜିଲ୍ଲାର ମୂଖ୍ୟାଳୟ ତଥା ତାଙ୍କର ଜନ୍ମମାଟିରେ ତାଙ୍କର ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ନିର୍ମାଣ ସହ କଳାହାଣ୍ଡି ଜିଲ୍ଲାର କେତେକ ମାର୍ଗକୁ ଗିରିଧାରି ଭୋଇଙ୍କ ନାମରେ ନାମିତ କରି ଏହି ଜନନେତାଙ୍କ ଗାଥାକୁ ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବା ଜରୁରୀ ହୋଇ ପଡିଛି। 

ସୁନୀଲ କୁମାର ଧଙ୍ଗଡାମାଝୀ 
ସଂପାଦକ, ଓଡ଼ିଆ ବାର୍ତ୍ତା 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.