ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ପ୍ରଗତି ଶିକ୍ଷାନୁଷ୍ଠାନ ଭବାନୀପାଟଣାରେ ଚଳିତ ଶିକ୍ଷାବର୍ଷରୁ ଏକ ନୂତନ ପାଠ୍ୟକ୍ରମ ବିଏସସି ନର୍ସିଂ ଆରମ୍ଭ ହୋଇଯାଇଛି । ଆଜି ବିଏସସି ନର୍ସିଂରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇବା ସହ ପାଠ୍ୟକ୍ରମ ଆରମ୍ଭ କରିବା ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରାଇମର ଅଧ୍ୟକ୍ଷ ଶ୍ରୀ ଆକାଶ ନନ୍ଦ, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ଅଧ୍ୟକ୍ଷ ଶ୍ରୀ ଚିନ୍ମୟ ଗୁରୁ, ଶ୍ରୀ ଶେଷଦେବ ମୁଣ୍ଡ, ଦେବବ୍ରତ ମହାନ୍ତି, ବିଦ୍ୟା ସାଗର ମୁଣ୍ଡ ଓ ସୁଶ୍ରୀ ହେମଙ୍ଗିନୀ ଦୀପ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିରେନ୍ଦ୍ର କୁମାର ପଟ୍ଟନାୟକ, ଲୋକନାଥ ଖଡ଼ିକାର, ତାପସ ପରିମାଣିକ, ଅଞ୍ଜନ କୁମାର ରଣା, ରମେଶ ମେହେର, କାହ୍ନୁ ଚରଣ ପଣ୍ଡା, ଆର୍ତ୍ତତ୍ରାଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ ଶେଷଦେବ ମୁଣ୍ଡ ପ୍ରଗତି ଶିକ୍ଷାନୁଷ୍ଠାନ ଦୀର୍ଘ ଏକ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷା କ୍ଷେତ୍ରରେ ଯେଉଁ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି ସେଥିରେ ଆଜି ଏକ ନୂଆ ଫର୍ଦ୍ଦ ଯୋଡି ହୋଇଯାଇଛି ଯାହା ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏକ ପରିବର୍ତ୍ତନର ଆଧାର ହେବ ବୋଲି ଅବଗତ କରିଥିଲେ । ଏଥିସହ ଜନସାଧାରଣ କିଭଳି ଉତ୍ତମ ଭାବରେ ସ୍ବାସ୍ଥ୍ୟ ସୁବିଧା ପାଇପାରିବେ ଏବଂ ନର୍ସମାନେ କିଭଳି ସେମାନଙ୍କୁ ସଚେତନ କରାଇବେ ସେ ସମ୍ପର୍କରେ ଶ୍ରୀ ଚିନ୍ମୟ ଗୁରୁ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରେଇଥିଲେ । ନର୍ସିଂ ପାଠ୍ୟକ୍ରମ ହେଉଛି ସ୍ୱାସ୍ଥ୍ୟ ସେବାର ଏକ ମେରୁଦଣ୍ଡ । ଏହା ରୋଗୀମାନଙ୍କୁ ଭାବପ୍ରବଣ ଓ ଶାରୀରିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇଥାଏ । କେବଳ ଶିକ୍ଷା ମଧ୍ୟରେ ସୀମିତ ନରହି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ସୁଦୃଢ କରିବା ନିମନ୍ତେ ପ୍ରଗତି ଶିକ୍ଷାନୁଷ୍ଠାନ ସଦା ସର୍ବଦା ଚେଷ୍ଟା କରିବ ବୋଲି ଅନୁଷ୍ଠାନର ମୁଖ୍ୟ ଇଂ ଅଜୟ କୁମାର ପଣ୍ଡା ମତବ୍ୟକ୍ତ କରିଛନ୍ତି ।