ଅଡବା ଥାନା ପୋଲିସର ବଡ ସଫଳତା : ରାସ୍ତାକଡ଼ରୁ ଜବତ କଲେ ୩ କ୍ୟୁଣ୍ଟାଲ ୩୭ କେଜି ୭୦୦ ଗ୍ରାମ ଗଞ୍ଜେଇ, ଜଣେ ଗିରଫ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ଅନ୍ତର୍ଗତ ଅଡବା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ଯାହାକି, ବିଶେଷ ସୂତ୍ରରୁ ଖବର ପାଇ ରାସ୍ତା କଡ଼ରୁ ଜବତ କଲେ ୩୩୭ କେଜି: ୭୦୦ ଗ୍ରାମ ଗଞ୍ଜାଇ । ଏ ସଂକ୍ରାନ୍ତରେ ଜଣକୁ ଗିରଫ କରାଯାଇଛି ବୋଲି ଗଜପତି ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଛନ୍ତି। ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ କହିଛନ୍ତି ଯେ, ଆର: ଉଦୟଗିରି ଏସଡିପିଓଙ୍କ ନିର୍ଦ୍ଦେଶ କ୍ରମେ ଅଡବା ପୋଲିସ ଅଡବା ଥାନା ଅନ୍ତର୍ଗତ ନଳାଘାଟ, ଉଲିପଦା , ପରମାଗୁଡ଼ା ଓ ଗୁଡୁରିପଙ୍କା ଅଞ୍ଚଳରେ ପେଟ୍ରଲିଂ କରୁଥିବା ବେଳେ ବିଶେଷ ସୂତ୍ରରୁ ଏକ ନିର୍ଭର ଯୋଗ୍ୟ ଖବର ପାଇଲେ ଯେ ଗୁଡୁରିପଙ୍କା ଅଞ୍ଚଳରେ ଗଞ୍ଜେଇ ଚାଲାଣ ହେବ ବୋଲି । ତତକ୍ଷଣାତ୍ ପୋଲିସ ଦଳ ଗୁଡୁରିପଙ୍କା ଛକ ଠାରେ ଜଣେ ବ୍ୟକ୍ତି ସହିତ ରାସ୍ତା କଡ଼ରେ ୬ ଟି ଜରି ଅଖା ବସ୍ତା ରହିଥିବା ଦେଖିଥିଲେ । ସେଠାରେ ଜରି ବସ୍ତା ଯାଞ୍ଚ କଲା ପରେ ଗଞ୍ଜେଇ ଭର୍ତ୍ତି ଥିବା ଏବଂ ତାହା ଚୋରା ଚାଲାଣ ପାଇଁ ରହିଥିବା ଜାଣି ସେଠାକୁ ମାଜିଷ୍ଟ୍ରେଟ ଡକାଇ ଗଞ୍ଜେଇ ସବୁ ଜବତ କରି ଓଜନ କରା ଯାଇଥିଲା । ଓଜନରୁ ଜଣା ପଡ଼ିଲା ଯେ , ସେଥିରେ ୩୩୭ କେଜି ୭୦୦ ଗ୍ରାମ ଗଞ୍ଜାଇ ରହିଛି । ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତିରେ ଗଞ୍ଜେଇ ସବୁ ଜବତ କରାଯିବା ସହ ସଂପୃକ୍ତ ଗୁଡୁରିପଙ୍କା ଗ୍ରାମର ଜଗନ୍ନାଥ ପରିଛା କୁ ଗିରଫ କରା ଯାଇଥିଲା ।

ଏ ସଂକ୍ରାନ୍ତରେ ଅଡବା ଥାନା ପକ୍ଷରୁ କେଶ ନଂ ୧୬୮/୨୦୨୪ ଧାରା-୫୨(ଏ)(i)(ସି) ଏନଡିପିଏସ ଆକ୍ଟ ପ୍ରକାରେ ମକଦ୍ଦମା ଦାଏର କରି ଜବତ ଗଞ୍ଜେଇ ସବୁ ଗିରଫ ବ୍ୟକ୍ତି ଜଣକ କେଉଁଠୁ ଆଣିଲା , କାହା ପାଖକୁ ନେଉଥିଲେ ଏବଂ କେଉଁ ଭଳି ଭାବେ କେଉଁ ଗାଡ଼ିରେ ନେଇଥାନ୍ତେ ପୋଲିସ ପକ୍ଷରୁ ସେ ସବୁ ଉପରେ ତଦନ୍ତ ଚାଲିଛି । ଏହି ଗଞ୍ଜେଇ ଚାଲାଣ ରେ ଆଉ କାହା କାହାର ସଂପୃକ୍ତି ରହିଛି , ଜଣା ପଡ଼ିଲେ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବର୍ତ୍ତମାନ ସୁଦ୍ଧା ଏ ସଂକ୍ରାନ୍ତରେ ଗଞ୍ଜେଇ ସହ ଜଣକୁ ଗିରଫ କରାଯାଇଛି । ତାକୁ ଜମାନ ବନ୍ଦିରେ ଅଣାଯାଇ ଘଟଣା ସମ୍ପର୍କରେ ଅଧିକ ପଚରା ଉଚୁରା କରା ଚାଲିଛି । ଯେଉଁମାନେ ଏହି ଗଞ୍ଜେଇ ଚାଲାଣ ରେ ସଂପୃକ୍ତ ଥିବା କିମ୍ବା ଯେଉଁ ଭଳି ଭାବେ ସଂପୃକ୍ତ ଥାଆନ୍ତୁ, ତାଙ୍କୁ ଆଇନର ପରିସରକୁ ଅଣାଯାଇ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଗଜପତି ଜିଲ୍ଲାର ଯେଉଁ ଅଞ୍ଚଳ ଗୁଡିକରେ ଗଞ୍ଜେ ଚାଷ ହେଉଛି , ସେହି ଚାଷ କରୁଥିବା ଲୋକ ମାନଙ୍କୁ ପୋଲିସ ପକ୍ଷରୁ ସଚେତନ କରାଯିବ ଯେ , ଗଞ୍ଜେଇ ଚାଷ ଛାଡ଼ି ଅନ୍ୟ କୌଣସି ଫସଲ କି ପନିପରିବା ଚାଷ କରନ୍ତୁ , ସେଥିରେ ମଧ୍ୟ ସେମାନଙ୍କ ଜୀବନ ଜୀବିକା ଠିକ୍ ଭାବେ କରିପାରିବେ ।
ସଚେତନ କରାଯିବା ସତ୍ତ୍ୱେ ଯେଉଁ ଅଞ୍ଚଳରେ ଗଞ୍ଜେଇ ଚାଷ ହେଉଥିବ , ସେ ସବୁ ଗଞ୍ଜେଇ ଚାଷ ଅଞ୍ଚଳରେ ପୋଲିସ ଦଳ ପହଞ୍ଚି ଗଞ୍ଜେଇ ଗଛ ନଷ୍ଟ କରିଦେବା ସହ ଯେଉଁ ଲୋକମାନେ ସେହି ଗଞ୍ଜେଇ ଚାଷ କରିଥିବେ , ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଅନ୍ୟ ପକ୍ଷରେ ଗଜପତି ଜିଲ୍ଲାର ଯେଉଁ ଅଞ୍ଚଳ ଗୁଡିକ ଗଞ୍ଜେଇ ଚାଷ ଓ ଚୋରା ଚାଲାଣ କ୍ଷେତ୍ରରେ ପ୍ରଭାବିତ ଅଛି , ସେ ସବୁ ଉପରେ ପୋଲିସର କଡା ନଜର ରହିଛି । ସବୁ ସମୟରେ ୨୪ ଘଣ୍ଟିଆ ନାକା କରି ଜିଲ୍ଲା ଓ ଜିଲ୍ଲା ବାହାରୁ ଯିବା ଆସିବା କରୁଥିବା ପ୍ରତ୍ୟେକ ଯାନବାହାନ ସବୁକୁ ଅଟକାଇ ଯାଞ୍ଚ କରା ହେଉଛି । ଏହା ବ୍ୟତୀତ ପୋଲିସର ରହିଥିବା ବିଭିନ୍ନ ସୂତ୍ର ଦ୍ଵାରା ମଧ୍ୟ କିଛି ଖବର ସଂଗ୍ରହ କରାଯାଇ ଏବଂ ସେ ସମସ୍ତକୁ ଆଧାର କରି ପୋଲିସ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଆଗାମୀ ଦିନ ମାନଙ୍କରେ ତାକୁ ଆହୁରି ଅଧିକ ତ୍ଵରାନିତ କରାଯିବ ବୋଲି ଏସପି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.