ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଡୁଡୁକାଠେଙ୍ଗା ପଞ୍ଚାୟତର ମୁଗୁନାପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି, ଯାହାକି ଆଶ୍ଚର୍ଯ୍ୟ କରିଛି ଛେଳି ଚାଷୀ ମହଲରେ । ସୂଚନାନୁସାରେ ଏହି ଗ୍ରାମର ଗୟାଧର ପୁଝାରୀ ନିକଟସ୍ଥ ଜଙ୍ଗଲକୁ ତାଙ୍କର ସମସ୍ତ ଛେଳିକୁ ନେଇ ଚାରାଇବାକୁ ଯାଇଥିଲେ। ଛେଳି ଗୁଡ଼ିକ ଚରିବା ପରେ ଘରକୁ ଆଣି ଗୁହାଳରେ ବାନ୍ଧିଥିବାବେଳେ ଗୋଟିଏ ପରେ ଗୋଟିଏ ଛେଳି ଅସୁସ୍ଥ ହେବାରେ ଲାଗିଥିଲା। ଏହାପରେ ତୁରନ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଖବରେ ଦେବାପରେ ଏକ ଟିମ୍ ପହଞ୍ଚି ଥିଲା। ଟିମ୍ ପହଞ୍ଚିବା ଆଗରୁ ଗୟାଧରଙ୍କ ୧୬ ଗୋଟି ଛେଳିର ମୃତ୍ୟୁ ହୋଇସାରିଥିବା ଜଣାପଡିଛି। ତେବେ ଏକା ସାଙ୍ଗରେ ଏତେ ମାତ୍ରାରେ ଛେଳିର ମୃତ୍ୟୁକୁ ମାଲିକ ସହ୍ୟ କରିପାରୁ ନାହାନ୍ତି। ଅନ୍ୟପଟେ ସମସ୍ତ ଛେଳିର ଆନୁମାନିକ ମୁଲ୍ୟ ୫ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାପାଇଁ ମାଲିକ ଦାବି କରିଛନ୍ତି। ତେବେ ଛେଳି ଗୁଡ଼ିକର ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। କେଉଁ କାରଣରୁ ଛେଳି ଗୁଡ଼ିକର ଏକା ସାଙ୍ଗରେ ମୃତ୍ୟୁ ହେଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏନେଇ କୋକସରା ଏମଭିୟୁ ସ୍ମୃତି ରଞ୍ଜନ ଦାସଙ୍କୁ ପଚାରିବାରୁ ଖବର ଆସିବା ପରେ ଆମର ଏକ ଟିମ୍ ସେଠାକୁ ପଠାଇଥିଲୁ। ଆମ ଟିମ୍ ପହଞ୍ଚିବା ଆଗରୁ ଛେଳି ଗୁଡ଼ିକର ମୃତ୍ୟୁ ଘଟିଥିଲା। ଛେଳି ମାନଙ୍କ ପାଟିରୁ ଫେଣ ବାହାରିଥିବାରୁ କୈାଣସି ବିଷାକ୍ତ ଜିନିଷ ଖାଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଇଛି ବୋଲି କହିଛନ୍ତି।

 
                                        
 
 
        
 
 
         
 
         
 
        

