ଚନ୍ଦନପୁରରେ ଜନ ଅସନ୍ତୋଷ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଆଜି ବଡି ଭୋରରୁ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିକଟସ୍ଥ ଚନ୍ଦନପୁରସ୍ଥିତ ବେଦାନ୍ତ ରେଳ ଧାରଣାରେ ଘଟିଛି ଏକ ଅଘଟଣ। ଶୌଚ ପାଇଁ ରେଳ ଧାରଣା ପାଖକୁ ଯାଇଥିବା ବଡ଼ ଜାମକି ହେଜୁ ଗାଁର ଚନ୍ଦ୍ର ମାଝୀ ନାମକ ଜଣେ ଯୁବକଙ୍କ ବାମ ଗୋଡ଼ ସଂପୂର୍ଣ୍ଣ ଭାବେ କଟିଯାଇଛି। ବଡ଼ ଜାମକିହେଜୁ ଗାଁର ଚନ୍ଦ୍ର ନିଜ ବଡ଼ମା ଘର ଚନ୍ଦନପୁର ଗାଁରେ ରହି କୁଲି ମଜୁରୀ କରି ଚଳୁଥିଲେ। ଆଜି ସକାଳୁ ସେ ଟ୍ରେନ ଧାରଣା ପାର ହେଉଥିବାବେଳେ ବେଦାନ୍ତ ପ୍ରକଳ୍ପକୁ ଯାଉଥିବା ଏକ ରେଳଗାଡ଼ି ତାଙ୍କୁ ଧକ୍କା ଦେଇ ଘୋଷାଡ଼ି ନେବାରୁ ତାଙ୍କ ବାମଗୋଡ଼ ଆଣ୍ଠୁ ତଳୁ ସଂପୂର୍ଣ୍ଣ ଭାବେ ଛିଣ୍ଡି ଅଲଗା ହୋଇଯାଇଛି। ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଗୁରୁତର ହୋଇପଡିଥିବାବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଏହାକୁ ନେଇ ଚନ୍ଦନପୁର ଗାଁରେ ଜନ ଅସନ୍ତୋଷ ଦେଖିବାକୁ ମିଳିଥିବାବେଳେ ଉତ୍ୟକ୍ତ ଲୋକେ ରେଳରୋକ କରିଥିଲେ। ଏପରିକି ଦୁର୍ଘଟଣାର ଶିକାର ହୋଇଥିବା ଚନ୍ଦ୍ରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହିତ ତାଙ୍କ ପରିବାରକୁ କ୍ଷତିପୂରଣ ଯୋଗାଇଦେବାକୁ ଅଡ଼ି ବସିଥିଲେ।ଏହାକୁ ନେଇ ଚାରିଘଣ୍ଟା ପର୍ଯ୍ୟନ୍ତ ବେଦାନ୍ତ କମ୍ପାନୀ ମଧ୍ୟକୁ ବକ୍ସାଇଟ ଓ ଆଲୁମିନା ପରିବହନ ଠପ ହୋଇଯାଇଥିଲା। ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନାହିଁ।