ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମରେ ମହା ଆଳତି ଅନୁଷ୍ଠିତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସନ୍ଧ୍ୟାରେ  ଓଡିଶାର ସ୍ୱର୍ଣ୍ଣ ପ୍ରୟାଗ ଭାବେ ଖ୍ୟାତ ସୁବର୍ଣ୍ଣପୁରର ପୁଣ୍ୟ ପୀଠ ରାମେଶ୍ୱର ତ୍ରିବେଣୀ ସଙ୍ଗମ ଠାରେ ମହା ଆଳତି ଅନୁଷ୍ଠିତ ହୋଇଛି । ବାରଣାସୀ ଗଙ୍ଗା ଆଳତି ଭଳି ଦ୍ବିତୀୟ ବାରଣାସୀରେ ବି ଅବିକଳ ଆଳତି ଅନୁଷ୍ଠିତ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ଆଳତି ଦର୍ଶନ କରି ଦୀପ ଭସାଇ ଥିଲେ । ପୁରୋହିତଙ୍କ ବେଦ ମନ୍ତ୍ର, ହରିବୋଲ, ହୁଳହୁଳି ଏବଂ ଘଣ୍ଟ ଘଣ୍ଟା ବାଦ୍ୟରେ ପ୍ରକମ୍ପିତ ହେଲା ମହାନଦୀ, ତେଲନଦୀ ଓ କର୍ପୂର ନଦୀର ସଙ୍ଗମ ସ୍ଥଳ ପୁଣ୍ୟ ତ୍ରିବେଣୀ ସଙ୍ଗମ। ହଜାର ହଜାର ଶ୍ରଦ୍ଧାଳୁ ବର୍ଷରେ ଅନୁଷ୍ଠିତ ଏହି ଦିବ୍ୟ ମହା ଆଳତି ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ବାବା ରାମେଶ୍ୱର, ପୁଣ୍ୟ ତୋୟା ମହାନଦୀ, ତ୍ରିବେଣୀ ସଙ୍ଗମ ଏବଂ ପୂର୍ଣ୍ଣ ଚନ୍ଦ୍ରଙ୍କୁ ଆଳତି କରାଯାଇ ଥିଲା ।  ପରେ ପୁରୋହିତଙ୍କ ଦ୍ୱାରା ଆଲଟ ଚାମର ସେବା କରାଯାଇ ଥିଲା। ଆଳତି ସମାରୋହରେ ଏଡିଏମ ଅଞ୍ଜଳିନା ପ୍ରଧାନ ମୂଖ୍ୟ  ଅତିଥି ଭାବେ ଯୋଗ ଦେଇଥିଲେ। ପଣ୍ଡିତ ରାଜୀବ ଲୋଚନ ପଣ୍ଡା, ରାଧେଶ୍ୟାମ ପୁରୋହିତ, ବାସୁଦେବ ଶତପଥୀ, ସୁଶାନ୍ତ ପୁରୋହିତ, ବୁଲୁ ମିଶ୍ର,  ଦିନେଶ ତ୍ରିପାଠୀ ଏବଂ ସଚ୍ଚିଦାନନ୍ଦ ଦାଶ ମହାଆଳତି ଅର୍ପଣ କରିଛନ୍ତି। ଅଧ୍ୟାପକ ମଦନ ସୁନ୍ଦର ଖେତି ଆଳତି ବନ୍ଦନା ଗାନ କରିଛନ୍ତି। ଶ୍ୟାମାଓଁ ପ୍ରସାଦ ମିଶ୍ର, ମନୋଜ ବାରିକ, ଦେବଦତ୍ତ ମହାପାତ୍ର,  ବିଘ୍ନରାଜ ପଣ୍ଡା, ଗଣପତି ବାଘ, ସୁଶାନ୍ତ ପଣ୍ଡା, ପ୍ରଭୁଦତ୍ତ ରଥ, ଗଦାଧର ବାରିକ, ବେଣୁଧର ପ୍ରଧାନ, ଧରଣୀଧର ମିଶ୍ର, ସୌରଭ ଖମାରୀ, ଗୌରୀ ଶଙ୍କର ଦଣ୍ଡସେନା, ବିଘ୍ନରାଜ ପଣ୍ଡା, କିଶୋର ମେହେର, ଶ୍ରୀବତ୍ସ ମଲ୍ଲିକ ପ୍ରମୁଖ ମହା ଆଳତି ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.