ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଶାନ୍ତପୁର ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ସ୍ୱେତାଲିନ ପଧାନଙ୍କ ନେତୃତ୍ୱରେ ହାଇସ୍କୁଲ ପଡିଆରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ଜି.ସ୍ୱାତୀ ଓ ଶାରିରୀକ ଶିକ୍ଷକ କିଶୋର ଚନ୍ଦ୍ର ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କେନ୍ଦ୍ର ସରକାରଙ୍କ ଆରଏସସିଆର ତରଫରୁ ଗତ ୬ ମାସରୁ ଉର୍ଦ୍ଧ୍ୱ ହୋଇଗଲାଣି ଏହି ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ଭ୍ୟାନ ସାରା ରାଜ୍ୟର ବିଭିନ୍ନ ହାଇସ୍କୁଲ ଗୁଡିକୁ ଯାଇ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବିଷୟରେ ତଥ୍ୟ ଭିତ୍ତିକ ଶିକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଗତ ଦଶହରା ଛୁଟି ପରେ ୨୯/୧୦ ରେ ଏହି ଭ୍ୟାନ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ମ.ରାମପୁର କୁ ଆସିଲା । ସେଇଠୁ ନର୍ଲା ବ୍ଲକର ସେରଗଡ, ବାଲସିଙ୍ଗା, ଭାନପୁର, ଘଣ୍ଟମାଳ ପ୍ରଭୃତି ହାଇସ୍କୁଲ ଗୁଡିକୁ ବୁଲି ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷା, ଦୂରବିକ୍ଷଣ ଯନ୍ତ୍ରର ବ୍ୟବହାର ଗୁଡିକ ଉପରେ ପ୍ରଦର୍ଶନୀ ଭିତ୍ତିରେ ଶିକ୍ଷା ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ଏହି କ୍ରମରେ ସୋମବାର ଶାନ୍ତପୁର ରାଧାକୃଷ୍ଣ ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କୁ ଭ୍ୟାନ ସହିତ ଆସିଥିବା ଆରଏସସିବିର ବିଜ୍ଞାନ କମ୍ୟୁନିକେଟର ସୁକାନ୍ତ କୁମାର ବେହେରା ଓ ତାଙ୍କ ସହ ଯୋଗୀ ମାନସ କୁମାର ବେହେରା ଛାତ୍ରଛାତ୍ରୀଙ୍କୁ ସମସ୍ତ ତଥ୍ୟ ବ୍ୟାଖ୍ୟାନ କରି, ବିଭିନ୍ନ ବିଷୟ ପ୍ରଦର୍ଶନୀ ମାଧ୍ୟମରେ ବିଜ୍ଞାନ ଶିକ୍ଷା ପ୍ରଦାନ କରିଥିଲେ । ଏହାପରେ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ ଭ୍ୟାନ ସଂଧ୍ୟା ୫ ଘଣ୍ଟା ସମୟରେ ଘଣ୍ଟମାଳ ହାଇସ୍କୁଲ ଅଭିମୁଖେ ଯାଇଥିଲା । ଘଣ୍ଟମାଳ ହାଇସ୍କୁଲ ତଥା ଅନ୍ୟାନ୍ୟ ହାଇସ୍କୁଲ ଗୁଡିକରେ ଏହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ବିଜ୍ଞାନ ବଳରେ ମଣିଷ ଅସାଧ୍ୟ ସାଧନ କରିପାରୁଥିବା ବେଳେ ବିଜ୍ଞାନ ଭଳି ଏକ ଜଟିଳ ବିଷୟକୁ ସରଳ ଓ ସହଜ କରି ଛାତ୍ରଛାତ୍ରୀ ମାନଙ୍କୁ ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଆକର୍ଷିତ କରିବା ଭଳି କେନ୍ଦ୍ର ସରକାରଙ୍କ ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଏକ ସୁନ୍ଦର ଅଭିନବ ପଦକ୍ଷେପ । ଏଥିପ୍ରତି ଛାତ୍ରଚାତ୍ରୀ ଆକର୍ଷିତ ହେବା ସହ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି ଓ ଅନେକ ବିଜ୍ଞାନ ଭିତ୍ତିକ ଜିନିଷ ଶିଖି ପାରୁଛନ୍ତି ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ପଧାନ ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି ।